ଦୋକାନୀ ବାକି ନ ଦେବାରୁ ତାଙ୍କ ଉପରକୁ ଗୁଳି ଚଳାଇ ଅଭିଯୁକ୍ତ ଫେରାର

ବ୍ରହ୍ମପୁର: ଦୋକାନୀ ବାକି ନ ଦେବାରୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗାଁରେ ଜଣେ ଦୋକାନୀଙ୍କ ଉପରକୁ ଗୁଳି ମାଡ଼ ହୋଇଥିବାର ଖବର ମିଳିଛି । ଏଥିରେ ଦୋକାନୀ ସୁଶାନ୍ତ ପାତ୍ର ଆହତ ହୋଇଥିଲେ । ତାଙ୍କୁ ଗତକାଲି ରାତିରେ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅଣ୍ଟାରେ ଗୁଳି ବାଜିଛି । ଅନ୍ୟ ପକ୍ଷରେ ଅଭିଯୁକ୍ତ ସଞ୍ଜୟ ବାରିକ ଫେରାର ହୋଇଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ସିଙ୍ଗିପୁର ଗାଁରେ ସୁଶାନ୍ତ ତେଜରାତି ଦୋକାନ କରିଛନ୍ତି । ଗତକାଲି ରାତିରେ ସଞ୍ଜୟ ବାକି ମାଗିଥିଲେ । ଏହି ସମୟରେ ଦୋକାନରେ କିନ୍ତୁ ସୁଶାନ୍ତ ନଥିଲେ। ପୂର୍ବରୁ ସଞ୍ଜୟଙ୍କର କିଛି ଟଙ୍କା ବାକି ଥିବାରୁ ସୁଶାନ୍ତଙ୍କ ପତ୍ନୀ ଓ ପୁଅ ବାକି ଦେବାକୁ ମନା କରିଥିଲେ ।

ଏଥିରେ ଉତକ୍ଷିପ୍ତ ହୋଇ ସଞ୍ଜୟ ନିଜ ଘରକୁ ଯାଇ ଏକ ମାଉଜର ଧରି ଆସିଥିଲେ। ସେତେବେଳେ ସୁଶାନ୍ତ ଦୋକାନରେ ବସିଥିଲେ। ତାପରେ ସଞ୍ଜୟ ସୁଶାନ୍ତଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ସଞ୍ଜୟ ବାରିକଙ୍କୁ ଖୋଜୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର