କେଆର୍ ରେଳଲାଇନରେ ପୁଣି ଅଘଟଣ : ସଟ୍ ସର୍କିଟ୍ ଯୋଗୁ ବିଦ୍ୟୁତ୍ ଲାଇନରେ ଅଗ୍ନିକାଣ୍ଡ

ଅଳ୍ପକେ ବର୍ତିଲା ଡିଏମୟୁ ଓ ମାଲବାହୀ ଟ୍ରେନ୍, ୬ ଘଣ୍ଟା ପରେ ଟ୍ରେନ୍ ଚଳାଚଳ ସ୍ବାଭାବିକ

ରାୟଗଡା : କୋରାପୁଟ-ରାୟଗଡା ରେଳ ଲାଇନରେ ଆଜି ପୁଣି ଅଘଟଣ ଘଟିଛି। ସଟ୍ ସର୍କିଟ୍ ଯୋଗୁ ୧୪୮ ନଂ ଚ୍ୟାନେଲ୍ ନିକଟ ଓଭରହେଡ୍ ବିଦ୍ୟୁତ୍ ଲାଇନରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ବିଦ୍ୟୁତ୍ ତାରରୁ ନିଆଁ ବାହାରୁଥିବା ଦେଖି ଶ୍ରମିକମାନେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ। ଯାହାଫଳରେ ଉକ୍ତ ଲାଇନରେ ଚଳାଚଳ କରୁଥିବା ୨ ଟ୍ରେନ୍ ଅଳ୍ପକେ ଦୁର୍ଘଟଣାରୁ ବର୍ତି ଯାଇଛନ୍ତି। ବିଦ୍ୟୁତ୍ ତାର ମରାମତିର ୬ ଘଣ୍ଟା ପରେ କେଆର୍ ରେଳ ଲାଇନରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି।

ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ କେଉଟଗୁଡା-ଶିକରପାଇ ଷ୍ଟେସନ ମଧ୍ୟବର୍ତୀ ଅଞ୍ଚଳରେ ଶ୍ରମିକମାନେ ଜଂଗଲ ସଫେଇ କାମରେ ନିୟୋଜିତ ହୋଇଥିଲେ। ଏହି ସମୟରେ ହଠାତ୍ ଓଭର୍ ହେଡ୍ ଲାଇନରେ ସଟ୍ ସର୍କିଟ୍ ଯୋଗୁ ନିଆଁ ବାହାରିବା ସହ ତାରରେ ନିଆଁ ଧରିଥିଲା। ବିଦ୍ୟୁତ୍ ଲାଇନରୁ ଜୋରରେ ନିଆଁ ବାହାରୁଥିବା ଦେଖି ଶ୍ରମିକ ମାନେ ଠିକାଦାରକୁ ଅବଗତ କରିଥିଲେ। ଏଥି ସହିତ ଦୁର୍ଘଟଣା ଏଡାଇବାକୁ ଉକ୍ତ ଲାଇନରେ ଆସୁଥିବା ମାଲବାହୀ ଟ୍ରେନକୁ ଅଟକାଇଥିଲେ। ମାଲବାହୀ ଟ୍ରେନ୍ ଡ୍ରାଇଭର ଏ ସଂପର୍କରେ କେଉଟଗୁଡା ଷ୍ଟେସନ ମ୍ୟାନେଜରଙ୍କୁ ଅବଗତ କରିବା ପରେ ବିଶାଖାପାଟଣାରୁ କୋରାପୁଟ ଅଭିମୁଖେ ଯାଉଥିବା ଡିଏମୟୁ ଟ୍ରେନକୁ କେଉଟଗୁଡା ଷ୍ଟେସନରେ ଅଟକା ଯାଇଥିଲା। ଖବର ପାଇ ବୈଷୟିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ମରାମତି ଓ ଯାଞ୍ଚ କାମ ଶେଷ କରିବା ପରେ ଟ୍ରେନ୍ ଚଳାଚଳ କରିଥିଲା। ୬ ଘଣ୍ଟା ବିଳମ୍ବରେ ବିଶାଖାପାଟଣା-କୋରାପୁଟ ଡିଏମୟୁ କେଉଟଗୁଡାରୁ କୋରାପୁଟ ଅଭିମୁଖେ ଯାତ୍ରା କରିଥିଲା। ସେହିପରି ହାୱଡା-ଜଗଦଲପୁର, ବିଶାଖାପାଟଣା-କୋରାପୁଟ ଇଣ୍ଟରସିଟ୍ ଏକ୍ସପ୍ରେସ୍ ପ୍ରାୟ ଗୋଟିଏ ଘଣ୍ଟା ବିଳମ୍ବରେ ଚଳାଚଳ କରିଥିଲା।

ସମ୍ବନ୍ଧିତ ଖବର