ଶ୍ରାବଣ ପ୍ରଥମ ‌ସୋମବାର : ଲୋକନାଥ ମନ୍ଦିରରେ ପାଣି ଢ଼ାଳିଲେ ୧୦ ହଜାର କାଉଡ଼ିଆ

ପୁରୀ : ଶ୍ରାବଣ ମାସ ପ୍ରଥମ ସୋମବାରରେ ପ୍ରସିଦ୍ଧ ଲୋକନାଥଙ୍କ ମନ୍ଦିରରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ପ୍ରଥମ ସୋମବାରରେ ୧୦ ହଜାର ଶହେ କାଉଡ଼ିଆ ଲୋକନାଥଙ୍କ ନିକଟରେ ପାଣି ଢ଼ାଳି ମାନସିକ ପୂରଣ କରିଛନ୍ତି। କାଉଡ଼ିଆମାନେ ପାର୍ବତୀ ସାଗର ଦେଇ ଠାକୁରଙ୍କୁ ଜଳାଭିଷେକ କରିବା ପରେ ମୁଖ୍ୟ ଦ୍ବାର ଦେଇ ଫେରିଛନ୍ତି। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଓ ପୁଲିସ ସହଯୋଗରେ ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ ସଂପନ୍ନ ହୋଇଛି। ଆଗକୁ ଭିଡ଼ ବଢ଼ିବାର ଥିବାରୁ ସିସିଟିଭି ସଂଖ୍ୟା ବୃଦ୍ଧି ସହ ଅଧିକ ପୁଲିସ ମୁତୟନ କରିବାକୁ ଯୋଜନା କରାଯାଇଛି।

ଲୋକନାଥଙ୍କ ପୀଠରେ ପାଣି ଢ଼ାଳିବା ପାଇଁ ଗତରାତିରୁ ଭିଡ଼ ଆରମ୍ଭ ହୋଇ ଯାଇଥିଲା। କଟକ, ଖୋର୍ଦ୍ଧା, ପୁରୀ ସମେତ ଅନ୍ୟାନ୍ୟ ଜିଲ୍ଲାରୁ ବହୁ ମହିଳା, ପୁରୁଷ କାଉଡ଼ିଆ ଲୋକନାଥଙ୍କଠାରେ ଜଳଲାଗି କରିଥିଲେ। ଏଥି ପାଇଁ ପ୍ରତି କାଉଡ଼ିଆଙ୍କ ପିଛା ୨୦ ଟଙ୍କା ଦେୟ ଧାର୍ଯ୍ୟ ହୋଇଥିଲା। ୨୦ ଟଙ୍କାର ଟିକେଟ୍ କାଟି କାଉଡ଼ିଆମାନେ ପାଣି ଢ଼ାଳିଥିଲେ। ଏହି ଟଙ୍କା ପରିମଳ ଓ ଅନ୍ୟାନ୍ୟ କାର୍ଯ୍ୟରେ ବି‌ନିଯୋଗ କରାଯିବ ବୋଲି ଲୋକନାଥ ମନ୍ଦିର କର୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର