ଭାଙ୍ଗିଲା ଦଇତା ନିଯୋଗ, ୩୧ରେ ନିର୍ବାଚନ

ଗାଦିରୁ ହଟିଲେ ଟିକିପୁଅ, ସ˚ଖ୍ୟା ନଗଣ୍ୟ ଯୋଗୁଁ କାମ ଦେଲାନି ବିରୋଧୀଙ୍କ ବିରୋଧ

ପୁରୀ: ପାଳିଆ ପୁରସ୍କାର ନେଇ ଦଇତା ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନର ଛାଟ ଶେଷରେ କାମ ଦେଇଛି। ବର୍ଷ ବର୍ଷ ଧରି ବିନା ନିର୍ବାଚନରେ ଚାଲି ଆସିଥିବା ଦଇତାପତି ନିଯୋଗକୁ ଶେଷରେ ଭାଙ୍ଗି ଦିଆଯାଇଛି। ଖୁବଶୀଘ୍ର ନୂଆ କର୍ମକର୍ତା ଚୟନ କରାଯିବ ବୋଲି ଦୃଢ଼ ନିଷ୍ପତ୍ତି ନିଆଯାଇଛି। ନିଯୋଗର ପୂର୍ବ କର୍ମକର୍ତାଙ୍କ ପଦ କାଏମ ରଖିବାକୁ କିଛି ଗୋଷ୍ଠୀ ଉଦ୍ୟମ କରିଥିଲେ ବି ଏହା ବିଫଳ ହୋଇଛି। ସ˚ଖ୍ୟା ଗରିଷ୍ଠତା କାରଣରୁ ନିର୍ବାଚନ ସପକ୍ଷରେ ଥିବା ପକ୍ଷଙ୍କ ଦାବି କାଏମ ରହିଛି। ଆପାତତଃ ଜାନୁଆରି ୩୧ରେ ନୂଆ କର୍ମକର୍ତା ନିର୍ବାଚନ ହେବ ବୋଲି ଜଣାପଡ଼ିଛି। ଏଣୁ ବର୍ଷ ବର୍ଷ ଧରି କ୍ଷମତା ଉପଭୋଗ କରି ଆସୁଥିବା ଟିକିପୁଅ ଗାଦିଚ୍ୟୁତ ହୋଇଛନ୍ତି। ଅନ୍ୟପଟେ ଆଜିର କନ୍ଦଳରୁ ଦଇତା ନିଯୋଗରେ ଥିବା ଫାଟ ଜଳଜଳ ଦିଶୁଛି। ଦଇତାପତି ନିଯୋଗରେ ଦୁଇଗୋଷ୍ଠୀଙ୍କ ନେତୃତ୍ବ କାମ କରୁଥିବା ସ୍ପଷ୍ଟ ହୋଇଛି।

ସୋସାଇଟି ରେଜିଷ୍ଟ୍ରେସନ ଆଇନ (ବାଇଲ) ଅନୁଯାୟୀ ୯୦ ଦିନ ଭିତରେ ନିଯୋଗର ନୂଆ କର୍ମକର୍ତା ନିର୍ବାଚନ କରାଯିବାର ବ୍ୟବସ୍ଥା ରହିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ନିଯୋଗର ନିର୍ବାଚନ ହୋଇନି କି ନୂଆ କର୍ମକର୍ତା ବଛା ହୋଇନାହାନ୍ତି। କେବଳ ମନୋନୟନ ଭିତ୍ତିରେ କର୍ମକର୍ତାମାନେ ବର୍ଷ ବର୍ଷ ଧରି ଦାୟିତ୍ବ ସ˚ପାଦନ କରି ଆସୁଥିଲେ। ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦଇତା ନିଯୋଗକୁ ଚିଠି କରିଥିଲା। ତୁରନ୍ତ ନୂଆ କର୍ମକର୍ତା ଚୟନ କରିବାକୁ ଚିଠିରେ ଉଲ୍ଲେଖ କରିଥିଲା। ନଚେତ୍‌ ପାଳିଆ ପୁରସ୍କାର ବନ୍ଦ ଦିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଚେତାବନୀ ଦେଇଥିଲା। ଏହାକୁ ନେଇ ଦଇତାପତି ନିଯୋଗରେ ଦୁଇଗୋଷ୍ଠୀ ଉଭା ହୋଇଥିଲେ। ଗୋଟିଏ ଗୋଷ୍ଠୀ ନିର୍ବାଚନ ସପକ୍ଷରେ ଥିବା ବେଳେ ଅନ୍ୟ ଗୋଷ୍ଠୀ ନିର୍ବାଚନ ବିପକ୍ଷରେ ରହିଥିଲେ। ଯେଉଁ କର୍ମକର୍ତାମାନେ ରହିଛନ୍ତି, ସେହିମାନେ ଦାୟିତ୍ବ ସ˚ପାଦନ କତନ୍ତୁ ବୋଲି ଚାହୁଥିଲେ। ଜଗନ୍ନାଥ ସ୍ବାଇଁ ମହାପାତ୍ରଙ୍କ ଗୋଷ୍ଠୀ ନିର୍ବାଚନ ସପକ୍ଷରେ ରହିଥିବା ବେଳେ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ଗୋଷ୍ଠୀ ନିର୍ବାଚନ ନହେବାକୁ ଚାହୁଥିଲେ। ଏହାକୁ ନେଇ ମାସାଧିକ କାଳ ବାଦବିବାଦ ଲାଗି ରହିଥିଲା। ଏପରିକି ଏହାକୁ ନେଇ ସପକ୍ଷ ଓ ବିପକ୍ଷ ଗୋଷ୍ଠୀ ନିଜ ନିଜ ଗୋଷ୍ଠୀକୁ ଭିତିରିଆ ଶକ୍ତିଶାଳୀ କରିବାରେ ଲାଗି ପଡ଼ିଥିଲେ। ମାସାଧିକ କାଳ ଏହାକୁ ନେଇ ଘଣ୍ଟାଚକଟା ପରେ ଆଜି ନିର୍ବାଚନ ସପକ୍ଷରେ ଥିବା ଗୋଷ୍ଠୀ ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ନିକଟ ଶୀତତାପ ନିୟନ୍ତ୍ରଣ କକ୍ଷରେ ଏକ ଜରୁରୀ ବୈଠକ ଡାକିଥିଲେ। ଏହି ବୈଠକ ନିଯୋଗର ସ୍ଥାୟୀ ସଭାପତି ନବକିଶୋର ପତିମହାପାତ୍ରଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକକୁ ସମର୍ଥନ ଜଣାଇ ୬୦ରୁ ଅଧିକ ଦଇତାପତି ଉପସ୍ଥିତ ଥିଲେ। ସ˚ଧୢା ୭ଟାରୁ ଅନୁଷ୍ଠିତ ଏହି ବୈଠକରେ ବିସ୍ତୃତ ଆଲୋଚନା ପର୍ଯ୍ୟାଲୋଚନା ପରେ ଦଇତାପତି ନିଯୋଗ ପାଇଁ ନିର୍ବାଚନ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ଯେଉଁ ନିଯୋଗ କାର୍ଯ୍ୟ କରୁଥିଲା ଆଜିର ବୈଠକରେ ତାକୁ ଭାଙ୍ଗି ଦିଆଗଲା ବୋଲି ଘୋଷଣା କରାଯାଇଥିଲା। ଅନ୍ୟପଟେ ବିଳମ୍ବିତ ରାତିରେ ଏହି ବୈଠକ ଶେଷ ପରେ ବିପକ୍ଷ ଗୋଷ୍ଠୀ ଅର୍ଥାତ୍‌ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ଗୋଷ୍ଠୀ ଅନ୍ୟ ଏକ ବୈଠକ ଡକାଇଥିଲେ। କିନ୍ତୁ ସେଥିରେ ସଦସ୍ୟଙ୍କ ସ˚ଖ୍ୟା ଅତି ନଗଣ୍ୟ ଥିଲା। ମାତ୍ର ୨୬ଜଣ ସଦସ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ ବୋଲି ଶୁଣିବାକୁ ମିଳୁଛି। ଫଳରେ ସ˚ଖ୍ୟା ଗରିଷ୍ଠତା କାରଣରୁ ନିର୍ବାଚନ ସମର୍ଥିତ ଗୋଷ୍ଠୀ ଅର୍ଥାତ୍‌ ଜଗନ୍ନାଥ ସ୍ବାଇଁ ମହାପାତ୍ରଙ୍କ ଗୋଷ୍ଠୀଙ୍କ ନିଷ୍ପତ୍ତି କାଏମ ରହିଛି। ବୈଠକର ନିଷ୍ପତ୍ତି ଅନୁଯାୟୀ, ଜାନୁଆରି ୩୧ରେ ନିର୍ବାଚନ ପରେ ଦଇତାପତି ନିଯୋଗର କିଏ କର୍ମକର୍ତା ହେବା ତାହା ଚୂଡ଼ାନ୍ତ ହେବ।

ସମ୍ବନ୍ଧିତ ଖବର