ରାତି ପାହିଲେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ: ଶ୍ରୀକ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି, ଫୁଲବାଣୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ପୁରୀ/କନ୍ଧମାଳ: ରାତି ପାହିଲେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସାରା ଦେଶରେ ପାଳିତ ହେବ। ଏ ନେଇ ଗାଁରୁ ସହର ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇ ଉଠିଛି। ମନ୍ଦିର ଗୁଡ଼ିକ ଆଜିଠାରୁ ଆଲୋକମାଳାରେ ସଜାଇ ହୋଇଛି। ଜନ୍ମାଷ୍ଟମୀ ପାଇଁ ଶ୍ରୀକ୍ଷେତ୍ର ପୁରୀରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ କନ୍ଧମାଳ ଜିଲ୍ଲାର ଚକାପାଦ ଆଶ୍ରମରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି।

ଶ୍ରୀକ୍ଷେତ୍ର ପୁରୀରେ ବର୍ଷର ବିଭିନ୍ନ ସମୟରେ ହର୍ଷୋଲ୍ଲାସ ସହିତ ବିଭିନ୍ନ ପର୍ବପର୍ବାଣୀ ପାଳନ କରାଯାଇଥାଏ। ବୈଷ୍ଣବ ଧର୍ମର ଚାରିଟି ଧାମ ମଧ୍ୟରୁ ପୁରୀ ଅନ୍ୟତମ ହୋଇଥିବାରୁ ଏଠାରେ ଶ୍ରୀକୃଷ୍ଣ ଜନ୍ମ ମହତ୍ୱ ରଖିଥାଏ। ତେଣୁ ଜନ୍ମାଷ୍ଟମୀକୁ ହସଖୁସିର ସହିତ ପାଳନ କରାଯାଇଥାଏ। ଏଠାରେ ଶ୍ରୀଜଗନ୍ନାଥ ମନ୍ଦିର ସମେତ ବହୁ ମଠ ଓ ମନ୍ଦିର ଥିବାରୁ ଜନ୍ମାଷ୍ଟମୀର ମହତ୍ୱ ଅଧିକ। ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ପରେ ଭିତର କାଠ ନିକଟରେ ଜଗନ୍ନାଥଙ୍କ ଆଜ୍ଞାମାଳ ଆସିବା ପରେ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ। ଶ୍ରଦ୍ଧାଳୁମାନେ ଦିନସାରା ଉପବାସ ରହି ବ୍ରତ ରଖିଥାନ୍ତି। ଗୌଡ଼ିୟ ମଠମାନଙ୍କରେ ଧୁମ୍‌ଧାମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ ହୋଇଥାଏ।

ଯେହେତୁ ମହାପ୍ରଭୁ ଗର୍ଭଧାରଣ କରିଛନ୍ତି, ଆସନ୍ତାକାଲି ତାଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମନେବେ ଗର୍ଭ ବେଦନାକୁ କମାଇବା ପାଇଁ ଆଜି ମହାପ୍ରଭୁଙ୍କ ଠାରେ ଜେଉଡ଼ ଭୋଗ ଲାଗିଛି। ଯେଉଡ ଏକ ଖଟା ଫଳ। ଏହି ଫଳକୁ ଆଜି ତରକାରୀ କରି ମହାପ୍ରଭୁଙ୍କୁ ଲାଗି ରହିଛି। ଆସନ୍ତାକାଲି ଜନ୍ମାଷ୍ଟମୀ ପାଳନ ନେଇ ଶ୍ରୀମନ୍ଦିର ଉତ୍ସବ ମୁଖର ହୋଇ ଉଠିଛି। ଏଥି ପାଇଁ ସ୍ୱତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। ଆସନ୍ତାକାଲି ସନ୍ଧ୍ୟା ସାଢ଼େ ୫ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ନୀତି ଅନୁଷ୍ଠିତ ହେବ ଏବଂ ଏହି ଉପଲକ୍ଷେ ସାଧାରଣ ଦର୍ଶନ ବନ୍ଦ ରଖାଯାଇଛି।

କନ୍ଧମାଳ ଜିଲ୍ଲାର ଚକାପାଦ ଆଶ୍ରମରେ ୧୦ ବର୍ଷ ତଳେ ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ ସଦସ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରାଯାଇଥିଲା। ସ୍ୱାମୀଙ୍କୁ ଯେଉଁ ଦିନ ହତ୍ୟା କରାଯାଇଥିଲା ସେହି ଦିନ ଥିଲା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ। ସେହି ଘଟଣା ପୁଣି ଥରେ ଦେଖା ନଯାଉ ବୋଲି ପୁଲିସ ପକ୍ଷରୁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେଥିପାଇଁ ପୁଲିସ ମୁତୟନ କରାଯାଇଛି। ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା ପରେ କନ୍ଧମାଳରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା। ତୁମିଡିବନ୍ଧ ଅଞ୍ଚଳର ଜଳେଶପେଟ୍ଟା ଆଶ୍ରମରେ ମଧ୍ୟ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର