ଶ୍ରୀମନ୍ଦିର ଭିଡିଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ କଲେ ଉତ୍ତରପ୍ରଦେଶର ଯୁବତୀ

ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ଭିତର ଫଟୋକୁ ଉତ୍ତରପ୍ରଦେଶର ଜଣେ ଯୁବତୀ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି। ଶ୍ରୀମନ୍ଦିରରେ ସେବାୟତମାନେ ବାନା ବାନ୍ଧିବାକୁ ଯାଇଥିବାର ଫଟୋକୁ ଭାଇରାଲ କରିଛନ୍ତି ବାରବାଙ୍କୀର ଏହି ଯୁବତୀ ନିଧି ଶୁକ୍ଲା। ତାଙ୍କର ଫେସ୍‌ବୁକ୍‌ ପୋଷ୍ଟରୁ ଭିଡିଓ ଫଟୋ ମନ୍ଦିର ଭିତର ବେଢ଼ାରୁ ଉତ୍ତୋଳନ ହେବା ଭଳି ଜଣାପଡୁଛି। ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ପୁଲିସ ଛାନଭିନ୍‌ କରୁଥିବା ଜଣାଯାଇଛି।

ଗତ ଡିସେମ୍ବର ମାସର ଶେଷ ସପ୍ତାହରେ ମଧ୍ୟ ଶ୍ରୀମନ୍ଦିର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି କାମ କରିଥିଲେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଅଞ୍ଚଳର ଜଣେ ଛାତ୍ର ସୋମ୍‌ ମୋଡ଼ାକ। ସୋମ୍‌ଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଶ୍ରୀମନ୍ଦିର ଫଟୋ ଓ ଭିଡିଓ ସମେତ ଗୁଣ୍ଡିଚା ମନ୍ଦିରର ଫଟୋ ଓ ଭିଡିଓ ମଧ୍ୟ ଦେଖିବାକୁ ମିଳିଥିଲା। ଭିଡିଓକୁ ଗତ ଡିସେମ୍ବର ୧୮ ଭୋର ୪ଟା ୭ ମିନିଟରେ ଅପ୍‌ଲୋଡ କରାଯାଇଥିଲା। ୫୦ ସେକେଣ୍ଡର ଭିଡିଓରେ ଶ୍ରୀମନ୍ଦିର ପରିସର ଭିତରୁ ଚିତ୍ର ଉତ୍ତୋଳନ କରାଯାଇଥିଲା। ସୋମ୍‌ ମୋଡ଼ାକ ଏହି ଭିଡିଓକୁ ୩୬ ଜଣଙ୍କୁ ଟ୍ୟାଗ୍‌ କରିଥିଲେ।

ଶ୍ରୀମନ୍ଦିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା, ନୂଆ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର ଶ୍ରୀମନ୍ଦିର ଫଟୋ ଭାଇରାଲ ହୋଇଛି। ଗର୍ଭଗୃହ ଫଟୋକୁ ପ୍ରତ୍ନତତ୍ତ୍ୱ ବିଭାଗର ଜଣେ ଅଧିକାରୀ ଭାଇରାଲ କରିଥିଲେ। ସେହିପରି ସମୁଦ୍ରକୂଳ ଥାନାର ଜଣେ ଅଧିକାରୀ ଶ୍ରୀମନ୍ଦିର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରି ନିକଟରେ ନିଲମ୍ବିତ ହୋଇଥିଲେ। ସୋସିଆଲ ମିଡିଆରେ ବାରମ୍ବାର ଶ୍ରୀମନ୍ଦିର ଫଟୋ ଭାଇରାଲ ହେବା ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଆଘାତ ଲାଗିଛି।

ସମ୍ବନ୍ଧିତ ଖବର