ଶ୍ରୀମନ୍ଦିର ଝାଡ଼ୁଦାରଙ୍କୁ ହତାଦାର: କାମ କରୁନି ଇଏସ୍‌ଆଇ କାର୍ଡ଼, ଟଙ୍କା ଜମା କରୁନି ଆଉଟ୍‌ସୋର୍ସିଂ ସଂସ୍ଥା

ପୁରୀ: ଶ୍ରୀମନ୍ଦିରରେ ବର୍ଷ ବର୍ଷ ହେଲା ଝାଡ଼ୁଦାର ଭାବେ କାମ କରି ଆସୁଥିବା କର୍ମଚାରୀଙ୍କୁ ହତାଦାର କରାଯାଉଛି। ଇଏସ୍‌ଆଇ, ଇପିଏଫ ଭଳି ସୁବିଧା ସୁଯୋଗ ଯୋଗାଇ ଦେବା ଆଳରେ ବର୍ଷ ବର୍ଷ ଧରି ଠକାଯାଉଛି। ଇଏସ୍‌ଆଇ କାର୍ଡ଼ ଦିଆଯାଇଥିଲେ ବି ନିଯୁକ୍ତି ଦେଇଥିବା ସଂପୃକ୍ତ ଆଉଟ୍ ସୋର୍ସିଂ ସଂସ୍ଥା ଟଙ୍କା ଜମା କରୁନଥିବାରୁ ଏହି ସୁବିଧା ପାଇବାରୁ କର୍ମଚାରୀମାନେ ବଞ୍ଚିତ ହୋଇଛନ୍ତି। ଯାହାକୁ ନେଇ କର୍ମଚାରୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି।
ମିଳିଥିବା ସୂଚନା ମୁତାବକ, ଗୁଣ୍ଡିଚା ବିହାରର ରବିନାରାୟଣ ସାହୁ ଶ୍ରୀମନ୍ଦିରରେ ଝାଡ଼ୁଦାର ଭାବେ କାମ କରନ୍ତି। ସେ ୧୩ ବର୍ଷ ହେଲା ଝାଡ଼ୁଦାର କାମ ନିଷ୍ଠାର ସହ ତୁଲାଇ ଆସୁଛନ୍ତି। ରବିନାରାୟଣଙ୍କ ଭଳି ୬୦ ଜଣ କର୍ମଚାରୀ ଝାଡ଼ୁଦାର ଭାବେ ଶ୍ରୀମନ୍ଦିରରେ କାର୍ଯ୍ୟରତ। ରବିନାରାୟଣ ଏବେ ଦିନକୁ ୨୮୦ ଟଙ୍କା ମଜୁରି ପାଉଛନ୍ତି। ରବିନାରାୟଣଙ୍କ ଭଳି ୬୦ ଜଣ କର୍ମଚାରୀ ଭୁବନେଶ୍ବରର ଏକ ଆଉଟ୍ ସୋର୍ସିଂ ସଂସ୍ଥା ଜରିଆରେ ନିଯୁକ୍ତି ପାଇଛନ୍ତି। ଶ୍ରମ ଆଇନ୍ କହୁଛି, ଆଉଟ୍ ସୋର୍ସିଂ ସଂସ୍ଥାରେ ନିଯୁକ୍ତି କର୍ମଚାରୀଙ୍କୁ ଇଏସ୍‌ଆଇ, ଇପିଏଫ୍ ସୁବିଧା ମିଳିବ। ଶ୍ରୀମନ୍ଦିର ପ୍ରଶାସନ ବି ଏହି ନିୟମକୁ କଡ଼ାକଡ଼ି କରିଛି। କିନ୍ତୁ ସଂପୃକ୍ତ ସଂସ୍ଥା ଇଏସ୍‌ଆଇ କାର୍ଡ଼ ଦେଇଥିଲେ ବି ଠିକରେ ଟଙ୍କା ଜମା କରୁନଥିବାରୁ କର୍ମଚାରୀମାନେ ଏହାର ସୁବିଧା ପାଉନାହାନ୍ତି। ସ୍ବାସ୍ଥ୍ୟ ଖରାପ ହେଲେ ଟଙ୍କା ଦେଇ ଚିକିତ୍ସିତ ହେଉଛନ୍ତି। ୧୩ ବର୍ଷ ହେଲା କାମ କରି ଆସୁଥିବା ରବିନାରାୟଣ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଥିବା ଇଏସ୍‌ଆଇ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ କିନ୍ତୁ ଇଏସ୍‌ଆଇ ସୁବିଧା ମିଳିବନି ବୋଲି ଦାୟିତ୍ବରେ ଥିବା କର୍ମଚାରୀମାନେ ରୋକଠୋକ୍ ମନା କରି ଦେଇଥିଲେ। ଏପରିକି ମାର୍ଚ୍ଚ ପରଠାରୁ ଟଙ୍କା ଜମା ହୋଇନଥିବାରୁ କାର୍ଡ଼ କାମ ଦେବନି ବୋଲି କହିଥିଲେ। ସମାନ ଅବସ୍ଥା ମନୋଜ କୁମାର ବାରିକଙ୍କ କ୍ଷେତ୍ରରେ ଦେଖାଦେଇଛି। ସେ ବର୍ତମାନ ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ଡାକ୍ତର ବଡ଼ ଅସ୍ତ୍ରୋପଚାର ପାଇଁ କହିଛନ୍ତି। ଏଥି ପାଇଁ ସେ ଏବେ ଡାକ୍ତରଖାନାରେ ରହିଛନ୍ତି। ଯେଉଁଥି ପାଇଁ ତାଙ୍କୁ ମୋଟା ଅଙ୍କର ଟଙ୍କା ଗଣିବାକୁ ପଡ଼ୁଛି। ମନୋଜଙ୍କ ନାଁରେ ଇଏସ୍‌ଆଇ କାର୍ଡ଼ ଥିଲେ ବି ସମାନ ଅବସ୍ଥା ଯୋଗୁଁ ଏହା କାମ ଦେଉନି। ଯେଉଁଥି ପାଇଁ ଟଙ୍କା ଗଣିବାକୁ ବାଧ୍ୟ ହୋଇଛନ୍ତି ମନୋଜ। ଏ ଦିଗରେ ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ ପାଇଁ କର୍ମଚାରୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର