ଶ୍ରୀମନ୍ଦିରରେ ସେନାପଟା ଲାଗି ଆଜି

ଆରମ୍ଭ ହେଲା ଠାକୁରଙ୍କ ଗୁପ୍ତ ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡସିଂହାର ବେଶ ସାଙ୍ଗକୁ ବଡସିଂହାର ଭୋଗ, ପହୁଡ ଆଳତି ହୋଇ ଶ୍ରୀମୁଖ ଖଣ୍ଡୁଆ ଲାଗି ହୋଇଛି। ଏହି ନୀତି ପରେ ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ବାହୁଟକଣ୍ଟ ସେବା ଅନୁଷ୍ଠିତ ହୋଇଥିଲା। କୋଠ ସୁଆଁସିଆମାନେ ଚାର ମାଳ ବାନ୍ଧିବା ପାଇଁ ଗର୍ଭଗୃହକୁ ବିଜେ କରିଥିଲେ। ଶ୍ରୀଜିଉଙ୍କ ବାହୁଟକଣ୍ଟ ସେବା ପରେ ଆସନ୍ତାକାଲି ବୁଧବାର ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ। ଏହି ସେବା ପାଇଁ ଶ୍ରୀନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପ୍ରାୟ ୭ ଘଣ୍ଟା ବନ୍ଦ ରହିବ। ସେନାପଟା ଲାଗି ସରିବା ପରେ ମଙ୍ଗଳ ଆଳତି ହେବ। ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ମୁତାବକ, ପୂର୍ବାହ୍ନ ୧୨ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ଆଜି ବିଳମ୍ବିତ ରାତିରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡସିଂହାର ଭୋଗ, ପହୁଡ ଆଳତି ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଶ୍ରୀମୁଖକୁ ଶ୍ରୀମୁଖ ଖଣ୍ଡୁଆରେ ଆଚ୍ଛାଦିତ କରାଯାଇଥିଲା। ପରେ ସେବକମାନେ ପ୍ରଭୁଙ୍କ ବାହୁଟକଣ୍ଟ ଗୋପନ ନୀତି ସଂପାଦନ କରିଥିଲେ। ମହାପ୍ରଭୁଙ୍କ ଭୁଜକୁ ସୁରକ୍ଷା ଦେବା ପାଇଁ ବଉଳ କାଠରେ ବାହୁଟ ନିର୍ମାଣ ହୋଇଛି। ବାହୁଟକଣ୍ଟ ନୀତି ପରେ କୋଠ ସୁଆସିଆଁ ସେବକମାନେ ରତ୍ନ ସିଂହାସନରେ ଚାର ବାନ୍ଧିବାକୁ ଗର୍ଭଗୃହକୁ ବିଜେ କରିଥିଲେ। କୋଠ ସୁଆସିଆଁ ସେବକ ଚାର ବାନ୍ଧି ବାହାରିବା ପରେ ଆସନ୍ତାକାଲି ଦଇତାପତିମାନେ ଶ୍ରୀଜିଉଙ୍କ ସେନାପଟା ବାନ୍ଧିବାକୁ ପୁଣି ଥରେ ଯିବେ। ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ଲାଗି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସେନାପଟା ଲାଗି ହୋଇଥାଏ। ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ରକ୍ଷକ ରୂପେ ଦଇତାପତିମାନେ ଅଣସର ସେବାରେ ସାମିଲ ହୋଇଛନ୍ତି। ମହାପ୍ରଭୁଙ୍କ ସମସ୍ତ ଗୁପ୍ତ ସେବାକୁ ଦଇତାପତିମାନେ ସଂପାଦନ କରିବେ।

ସମ୍ବନ୍ଧିତ ଖବର