ଶ୍ରୀଜିଉଙ୍କୁ ଅଧରପଣା ଲାଗି

ପୁରୀ: ନବଦିନ ଧରି ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ରଥରେ ଅବତରଣ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଚଣ୍ଡୀ, ଚାମୁଣ୍ଡା, ଅଶରୀରମାନେ ଘୁରି ବୁଲୁଥାନ୍ତି। ଚଣ୍ଡୀ, ଚାମୁଣ୍ଡା, ଅଶରୀରମାନଙ୍କୁ ତୃପ୍ତ କରିବା ପାଇଁ ଆଜି ଆଷାଢ଼ ଶୁକ୍ଳ ଦ୍ଵାଦଶୀ ତିଥିରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସାମ୍ନାରେ ଅଧରପଣା ପୂଜା କରାଯାଇଛି। ଚତୁର୍ଦ୍ଧା ମୂର୍ତ୍ତିଙ୍କଠାରେ ଏହି ପଣା ଲାଗି ହେବା ପରେ ରଥ ଉପରେ ଅଧରହାଣ୍ଡିକୁ ଭାଙ୍ଗି ଚଣ୍ଡୀ, ଚାମୁଣ୍ଡା, ଅଶରୀରମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ଆଜି ରାତି ପ୍ରାୟ ୮ଟା ୧୦ରେ ତିନି ଠାକୁରଙ୍କଠାରେ ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହୋଇଥିଲା।ଆସନ୍ତାକାଲି ରଥାରୂଢ଼ ଚତୁର୍ଧା ମୂର୍ତ୍ତି ନୀଳାଦ୍ରି ବିଜେ କରିବେ। ଏହା ପୂର୍ବରୁ ଚଣ୍ଡୀ, ଚାମୁଣ୍ଡାଙ୍କୁ ତୃପ୍ତି ଉଦ୍ଦେଶ୍ୟରେ ଆଜି ସିଂହଦ୍ଵାର ଆଗରେ ରଥାରୂଢ଼ ଶ୍ରୀବିଗ୍ରହମାନଙ୍କଠାରେ ଅଧରପଣା ନୀତି ସଂପନ୍ନ ହୋଇଥିଲା। ନୀତି ନିର୍ଘଣ୍ଟ ମୁତାବକ ମଧ୍ୟାହ୍ନ ଧୂପ ପରେ ସ୍ୱତନ୍ତ୍ର ଶୈଳୀରେ ଠାକୁରମାନଙ୍କ ଅଧର ଉଚ୍ଚର ନିର୍ମିତ ୯ଟି ମାଟି ହାଣ୍ଡିରେ ଏହି ପଣା ତିନି ରଥ ଉପରେ ପୂଜା ହୋଇଥିଲା। ତିନି ଠାକୁରଙ୍କ ସମ୍ମୁଖରେ ତିନୋଟି ଅଧର ହାଣ୍ଡିରେ ପଣା ଭୋଗ କରାଯାଇଥିଲା। ସିଂହଦ୍ଵାର ସମ୍ମୁଖ ଛାଉଣୀ ମଠର କୂଅରୁ ପାଣିଆ ଆପଟ ସେବକମାନେ ପାଣି ଆଣି ପିତଳ ହଣ୍ଡାରେ ରଖିବା ପରେ ଅଧର ହାଣ୍ଡି ଉପରେ ଜାଲି କପଡା ଦିଆଯାଇ ପାଣିକୁ ଛଣା ଯାଇଥିଲା। ହାଣ୍ଡିରେ ପାଣି ଭର୍ତି ହେବା ପରେ ସୂପକାର ସେବକମାନେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥିଲେ। ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶାଇ ଏହି ସ୍ୱତନ୍ତ୍ର ପଣା ପ୍ରସ୍ତୁତ କରାଯାଇଥିଲା। ଏହା ପରେ ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ତିନି ରଥରେ ପୂଜାପାଠ ନୀତି ସଂପନ୍ନ କରିଥିଲେ। ପାଳିଆ ପୂଜାପଣ୍ଡା ପଞ୍ଚ ଉପଚାରରେ ଅଧରପଣାକୁ ପୂଜା କରିଥିଲେ। ପୂଜା ନୀତି ବଢ଼ିବା ପରେ ତିନି ରଥ ଉପରେ ପଣା ହାଣ୍ଡିକୁ ବଡଦେଉଳ ପରମ୍ପରା ମୁତାବକ ଅଶରୀରମାନଙ୍କ ଉଦ୍ଧାର ସହ ରଥର ପାର୍ଶ୍ୱ ଦେବଦେବୀ, ଚଣ୍ଡୀ, ଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଭଙ୍ଗା ଯାଇଥିଲା। ଗତକାଲି ରାତି ପ୍ରାୟ ୨ଟା ୨୦ରେ ପହୁଡ଼ ହେବା ପରେ ଆଜି ସକାଳ ୬ଟା ୪୦ରେ ମଙ୍ଗଳ ଆଳତି ନୀତି ସଂପନ୍ନ ହୋଇଥିଲା। ସକାଳ ୭ଟା ୪୫ରେ ଅବକାଶ, ୮ଟା ୧୫ରେ ବେଶ ଶେଷ ପରେ ପୂର୍ବାହ୍‌ଣ ୧୦ଟା ୨୦ରେ ବଲ୍ଲଭ ଭୋଗ, ମଧ୍ୟାହ୍ନ ୧୨ଟାରେ ସକାଳ ଧୂପ ଓ ଅପରାହ୍‌ଣ ୨ଟା୫ରେ ମଧ୍ୟାହ୍ନ ଧୂପ ଶେଷ ହୋଇଥିଲା। ମଧ୍ୟାହ୍ନ ଧୂପ ଶେଷ ପରେ ଅଧରପଣା ନୀତି ଆରମ୍ଭ ହୋଇଥିଲା। ରାତିରେ ଅଧର ପଣା ନୀତି ପରେ ମହାସ୍ନାନ, ମଇଲମ, ବେଶ, ସଂଧ୍ୟା ଆଳତି, ସଂଧ୍ୟାଧୂପ, ମଇଲମ, ଚନ୍ଦନ ଲାଗି ବଡସିଂହାର ବେଶ, ବଡସିଂହାର ଭୋଗ ନୀତି ସଂପନ୍ନ ହୋଇଥିଲା। ସେପଟେ ଆଜି ଏହି ପବିତ୍ର ତିଥିରେ ଗରୁଡ଼ ଶୟନ ନୀତି ପାଳିତ ହୋଇଛି। ଗରୁଡ଼ଙ୍କୁ ସ୍ନାନ କରାଯିବା ପରେ ପୂଜାପଣ୍ଡା ସାମନ୍ତ ଶୀତଳ ଭୋଗ ଲାଗି କରିଛନ୍ତି। ଭୋଗ ଲାଗି ପରେ ଗରୁଡ଼ ଶୟନ ନୀତି ସଂପନ୍ନ ହୋଇ ପହଡ଼ ପଡ଼ିଥିଲା।

ସମ୍ବନ୍ଧିତ ଖବର