ଶ୍ରେୟସ ର‍୍ୟାଗିଂ ଓ ହତ୍ୟା ମାମଲା : ଆନ୍ଧ୍ର ପୁଲିସ୍‌ର ଚାର୍ଜସିଟ୍‌ ଦାଖଲ

ଗଡ଼ପୋଷ : ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଗାଁର ବହୁଚର୍ଚିତ ଶ୍ରେୟସ ର‍୍ୟାଗିଂ ଓ ହତ୍ୟା ମାମଲାରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ପୁଲିସ ପ୍ରଥମ ଚାର୍ଜସିଟ୍‌ ଦାଖଲ କରିଥିବା ଜଣାପଡ଼ିଛି। ଶୈଳେସ କେଶରଓ୍ଵାନୀଙ୍କ ପୁଅ ଶ୍ରେୟସ ବିଶାଖାପାଟଣାର ଶ୍ରୀଚୈତନ୍ୟ ଇନଷ୍ଟିଚ୍ୟୁଟ୍‌ର ପ୍ରଶାନ୍ତି ନିଳୟମଠାରେ ଯୁକ୍ତ ୨ ଛାତ୍ର ଥିଲେ ଏବଂ ସେଠାରେ ଗତ ଡିସେମ୍ବରରେ ସହପାଠୀଙ୍କ ଦ୍ୱାରା ର‍୍ୟାଗିଂର ଶିକାର ହୋଇଥିଲେ। ଏହାପରେ ସେ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ଘଟଣାଟି ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ମାମଲା ବାବଦରେ ସିଧାସଳଖ କଥାବାର୍ତ୍ତା କରିଥିଲେ। ଇତିମଧ୍ୟରେ ଜାତୀୟ ମାନବାଧିକାର କମିସନ (ଏନଏଚଆରସି)ଙ୍କ ହସ୍ତକ୍ଷେପରେ ମାମଲାର ଚୂଡ଼ାନ୍ତ ରିପୋର୍ଟ କୋର୍ଟରେ ପ୍ରଦାନ କରାଯାଇଛି। ବିଶାଖାପାଟଣା ପୁଲିସ ମଧ୍ୟ ଚାର୍ଜସିଟ୍‌ ଦାଖଲ କରିଛି।

ପି.ଏମ୍‌ ପାଲେମ ପୁଲିସର ଚାର୍ଜସିଟ୍‌ ରିପୋର୍ଟ

ଆନ୍ଧ୍ର ପୁଲିସ୍‌ କହିବା କଥା ଛାତ୍ରମାନେ ଉଦ୍ଦେଶ୍ୟମୂଳକ ଭାବେ ଶ୍ରେୟସଙ୍କୁ ମାରି ନାହାନ୍ତି, ତେଣୁ ଧାରା ୩୦୨/୩୪ ଆଇପିସି ବଦଳରେ ୩୦୪ରେ ମାମଲା ରୁଜୁ ହୋଇଛି। କଲେଜ ପ୍ରଶାସନ ବିରୋଧରେ ଚାର୍ଜସିଟ୍‌ ଆଦୌ ଉଲ୍ଲେଖ କରି ନଥିବାରୁ ପରିବାର ଲୋକେ ଏହି ତଦନ୍ତ ରିପୋର୍ଟ ଉପରେ ସଂଦେହ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ରହିଥିବା ୩ ଛାତ୍ରଙ୍କ ମଧ୍ୟରୁ ୨ ଜଣ ଝାଡ଼ଖଣ୍ଡ ରାଜ୍ୟର ଏବଂ ଜଣେ ବିହାର ରାଜ୍ୟର। କେଉଁ ପରିସ୍ଥିତିରେ ଶ୍ରେୟସ ବାଥରୁମରେ ପଡ଼ି ଯାଇଥିଲେ ବୋଲି ମିଛ କହିଥିଲେ, କଲେଜ ପ୍ରଶାସନ କାହିଁକି ପରିବାରବର୍ଗଙ୍କୁ ସୂଚନା ଦେଇ ନଥିଲେ? କଲେଜରେ ମୋବାଇଲ ନିଷିଦ୍ଧ ଥିବା ବେଳେ ଛାତ୍ରଙ୍କ ପାଖକୁ ଏହା କେମିତି ଆସିଲା, ସେନେଇ ଅନେକ ପ୍ରଶ୍ନ ଉପରେ ତଦନ୍ତ କରାଯାଇ ନଥିବା ଅଭିଯୋଗ ହେଉଛି। ତେବେ, ଡିସେମ୍ବର ୨୦ରୁ ୨୫ ତାରିଖ ମଧ୍ୟରେ ହଷ୍ଟେଲ କୋଠରୀରେ ଶ୍ରେୟସଙ୍କ ତାଙ୍କ ୩ ସହପାଠୀ ବାମ ଗୋଡ଼ରେ ପ୍ରଚୁର ପିଟିଥିବା ଏଥିରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର