ଶ୍ରେୟସଙ୍କୁ ର‍୍ୟାଗିଂ ହୋଇ ନାହିଁ

ସଫେଇ ଦେଲେ ଶ୍ରୀଚୈତନ୍ୟ ସ୍କୁଲ୍‌ କର୍ତ୍ତୃପକ୍ଷ

ଭୁବନେଶ୍ୱର : ବିଶାଖାପାଟଣାର ଶ୍ରୀ ଚୈତନ୍ୟ ସ୍କୁଲ୍‌ର ଏକାଦଶ ଶ୍ରେଣୀ ଛାତ୍ର ତଥା ସମ୍ବଲପୁର ଜିଲ୍ଲାର ଗଡ଼ପୋଷର ଶ୍ରେୟସ କେଶଓ୍ଵାନିଙ୍କ ମୃତ୍ୟୁ ମାମଲାରେ ସ୍କୁଲ୍‌ କର୍ତ୍ତୃପକ୍ଷ ଆଜି ନିଜ ପକ୍ଷ ରଖିଛନ୍ତି। ହୋଟେଲ୍‌ ଶୀତଲ୍‌ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଡିନ୍‌ ଏସ୍‌ ରଘୁ କୁମାର, ଅଧ୍ୟକ୍ଷ ଭି ରବୀନ୍ଦ୍ରନାଥ ଓ ଏମ୍‌.ଏନ୍‌ ପବନ କୁମାର କହିଲେ, ଶ୍ରେୟସଙ୍କ ଅଭିଭାବକ ସ୍କୁଲ ବିରୋଧରେ ଯେଉଁ ର‍୍ୟାଗିଂ ଅଭିଯୋଗ ଆଣିଥିଲେ, ତାହା ଠିକ୍‌ ନୁହେଁ। ସ୍କୁଲ ପରିସରରେ ସେମିତି କୌଣସି ଘଟଣା ଘଟି ନାହିଁ କିମ୍ବା ର‍୍ୟାଗିଂ ହୋଇ ନାହିଁ। ପୁଲିସ ତଦନ୍ତ ରିପୋର୍ଟରେ ମଧ୍ୟ କୌଣସି ପ୍ରକାର ର‍୍ୟାଗିଂ ହୋଇନାହିଁ ବୋଲି ସ୍ପଷ୍ଟ କରିଛି। ଶ୍ରେୟସ ପଢ଼ୁଥିବା ଅନୁଷ୍ଠାନର ପ୍ରଶାନ୍ତି ଭବନ କ୍ୟାମ୍ପସ୍‌ରେ କେବଳ ଜୁନିୟର୍‌ ପିଲା ହିଁ ରୁହନ୍ତି। ତେଣୁ ସିନିୟର୍‌ମାନେ ତାଙ୍କୁ ର‍୍ୟାଗିଂ କରିବା ସମ୍ଭବ ନୁହେଁ। ପୁଣି ଶ୍ରେୟସଙ୍କ ବାପା ତାଙ୍କ ତିନି ବନ୍ଧୁଙ୍କ ବିରୋଧରେ ଆଣିଥିବା ଅଭିଯୋଗ କ୍ରମେ ତାଙ୍କ ଅଡିଓ ରେକର୍ଡିଂ ପୁଲିସ କିମ୍ବା ଡାକ୍ତରଙ୍କ ନିକଟରେ ଉପସ୍ଥାପନ କରିନାହାନ୍ତି। ଡାକ୍ତରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ କିମ୍ବା ଶ୍ରେୟସଙ୍କ ପୂର୍ବ ସ୍ୱାସ୍ଥ୍ୟଗତ ରିପୋର୍ଟ ଠିକ୍‌ ଭାବେ ଉପସ୍ଥାପିତ ହୋଇନାହିଁ। ଏସବୁ ଶ୍ରେୟସଙ୍କ ବାପା ଆଣିଥିବା ଅଭିଯୋଗ ଉପରେ ସନ୍ଦେହ ସୃଷ୍ଟି କରୁଛି।

ସ୍କୁଲ୍‌ ପକ୍ଷରୁ ଆହୁରି କୁହାଯାଇଛି, ଶ୍ରେୟସଙ୍କ ମୃତ୍ୟୁରେ ସ୍କୁଲ କର୍ତ୍ତୃପକ୍ଷ ଗଭୀର ଶୋକ ପ୍ରକାଶ କରିବା ସହ ପୁଲିସ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିଛନ୍ତି। ଶ୍ରେୟସଙ୍କ ବାପା ଯେଉଁ ୩ ଛାତ୍ରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି, ସେମାନଙ୍କୁ ସ୍କୁଲରୁ ବହିଷ୍କୃତ କରାଯାଇଛି। ସ୍କୁଲ ପରିସରର ସମସ୍ତ ସିସିଟିଭି ଫୁଟେଜ୍‌ ପୁଲିସ୍‌କୁ ହସ୍ତାନ୍ତର କରାଯିବା ସହ ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କ ସହ ପୁଲିସର ଆଲୋଚନା ହୋଇଛି। ସମସ୍ତ ପରିସ୍ଥିତିକୁ ଯାଞ୍ଚ କଲାପରେ ପୁଲିସ୍‌ ମଧ୍ୟ ର‍୍ୟାଗିଂ ହୋଇ ନ ଥିବା ନେଇ ସ୍ପଷ୍ଟ କରିିଛି।

ସମ୍ବନ୍ଧିତ ଖବର