ପ୍ରକାଶ ପାଇଲା ରାଜ୍ୟ ଶାସ୍ତ୍ରୀ ଓ ଉପଶାସ୍ତ୍ରୀ ପରୀକ୍ଷା ଫଳ

ଟପ୍ପର୍‌ ତାଲିକାରେ ପୁରୀ, ବାରିପଦା, ଜଗତସିଂହପୁର, ବାଲେଶ୍ୱର ଓ ଗଞ୍ଜାମ କଲେଜର ଛାତ୍ରଛାତ୍ରୀ

ପୁରୀ : ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦ୍ଵାରା ପରିଚାଳିତ ଶାସ୍ତ୍ରୀ ଓ ଉପଶାସ୍ତ୍ରୀର ଶେଷବର୍ଷ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଶାସ୍ତ୍ରୀରେ ୪୮୯୯ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୩୪୧ ଜଣ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଉପଶାସ୍ତ୍ରୀରେ ୯୦୦୪ ଜଣ ପରୀକ୍ଷା ଦେଇଥିବା ବେଳେ ୬୧୪୭ ଜଣ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଚଳିତ ବର୍ଷ ଶାସ୍ତ୍ରୀ ଛାତ୍ରଛାତ୍ରୀମାନେ ପୂର୍ବବର୍ଷ ତୁଳନାରେ ଭଲ ପ୍ରଦର୍ଶନ କରିଥିବା ବେଳେ ଉପଶାସ୍ତ୍ରୀରେ ପାସ୍‌ହାର କମିଛି। ଏ ବର୍ଷ ଶାସ୍ତ୍ରୀରେ ୮୮.୬୦ ପ୍ରତିଶତ ଓ ଉପଶାସ୍ତ୍ରୀରେ ପାସ୍‌ହାର ୭୬.୭୯ ପ୍ରତିଶତ ରହିଛି। ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ରାଜ୍ୟର ୧୪୨ଟି ମହାବିଦ୍ୟାଳୟ ରହିଥିବା ବେଳେ ଟପ୍ପର ତାଲିକାରେ ପୁରୀ, ବାରିପଦା, ବାଲେଶ୍ୱର, ଜଗତସିଂହପୁର ଓ ଗଞ୍ଜାମ ଜିଲ୍ଲାରେ ଥିବା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ଥାନ ପାଇଛନ୍ତି। ସୋମବାର ଅପରାହ୍‌ଣ ୩ଟାରେ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ୱେବ୍‌ସାଇଟ୍‌ରେ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା।

ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ମଧୁସୂଦନ ମିଶ୍ରଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ଫେବ୍ରୁଆରି ୧୯ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୦୧ଟି ପରୀକ୍ଷା କେନ୍ଦ୍ରରେ ଶାସ୍ତ୍ରୀ ପରୀକ୍ଷା ଏବଂ ମାର୍ଚ୍ଚ ୬ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୧୭ଟି ପରୀକ୍ଷା କେନ୍ଦ୍ରରେ ଉପଶାସ୍ତ୍ରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ପୁରୀ ତିନୋଟି କେନ୍ଦ୍ରରେ ପରୀକ୍ଷା ଖାତାଗୁଡ଼ିକର ମୂଲ୍ୟାୟନ କରାଯାଇଥିଲା। ଚଳିତ ବର୍ଷ ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ପରୀକ୍ଷା ଖାତା ମୂଲ୍ୟାୟନରେ ସାମାନ୍ୟ ବିଳମ୍ବ ହୋଇଥିଲା। ଚଳିତ ବର୍ଷ ଶାସ୍ତ୍ରୀରେ ୪୮୯୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୩୪୧ଜଣ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ୫୩୦ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି। ୪୯୦ ଜଣ ଛାତ୍ରଛାତ୍ରୀ ବ୍ୟାକ୍‌ ପେପର ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୫୮ ଜଣ ପାସ୍‌ ହୋଇଛନ୍ତି ଏବଂ ୧୨୫ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି। ସମ୍ମାନ ବିଷୟ ଅଦୈତ ବେଦାନ୍ତରେ ୮୮.୧୩, ଧର୍ମଶାସ୍ତ୍ରରେ ୯୫.୨୯, ସର୍ବଦର୍ଶନରେ ୯୩.୪୪, ନ୍ୟାୟରେ ୯୧.୮୦, ସାହିତ୍ୟରେ ୮୭.୮୮, ବ୍ୟାକରଣରେ ୮୯.୭୭ ପ୍ରତିଶତ ପାସ୍‌ ହାର ରହିଥିବା ବେଳେ ଜ୍ୟୋତିଷ ଓ କର୍ମକାଣ୍ଡରେ ପାସ୍‌ ହାର ଶତପ୍ରତିଶତ ରହିଛି।

ବାରିପଦା ସରକାରୀ ସଂସ୍କୃତ ମହାବିଦ୍ୟାଳୟର ସ୍ୱାଗତିକା ନନ୍ଦ ଅଦୈତ ବେଦାନ୍ତରେ ଟପ୍ପର ହୋଇଥିବା ବେଳେ ଧର୍ମଶାସ୍ତ୍ରରେ ପୁରୀ ଶ୍ରୀଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟର ପ୍ରିୟଦର୍ଶିନୀ ମହାପାତ୍ର, ସର୍ବଦର୍ଶନରେ ପୁରୀ ଶ୍ରୀଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟର ସରଗମ୍‌ ବରାଳ, ଜ୍ୟୋତିଷରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ରାମଧୀନ୍‌ ସଂସ୍କୃତ ମହାବିଦ୍ୟାଳୟର ସୋମେଶ୍ୱର ଶତପଥୀ, କର୍ମକାଣ୍ଡରେ ପୁରୀ ଶ୍ରୀଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟର ଅମୀୟ ଲୋଚନ ପଣ୍ଡା, ନ୍ୟାୟରେ ଜଗତସିଂହପୁର ବ୍ରଜକିଶୋର ସଂସ୍କୃତ ମହାବିଦ୍ୟାଳୟର ସାଗରିକା ସାମନ୍ତ, ସାହିତ୍ୟରେ ବାଲେଶ୍ୱର ଚିନ୍ତାମଣି ସଂସ୍କୃତ ମହାବିଦ୍ୟାଳୟର ପୁଷ୍ପାଞ୍ଜଳି ସାହୁ ଏବଂ ବ୍ୟାକରଣରେ ବାଲେଶ୍ୱର ଶ୍ରୀରାମଚଣ୍ଡୀ ସଂସ୍କୃତ ମହାବିଦ୍ୟାଳୟ ଟି୍ଵଙ୍କିଲ୍‌ ବେହେରା ଟପ୍ପର ହୋଇଛନ୍ତି। ଉପଶାସ୍ତ୍ରୀରେ ୯୦୦୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୦୧୭ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭୦୨ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ଵିତୀୟ ଶ୍ରେଣୀରେ ୪୩୬୨ ଜଣ ଓ ତୃତୀୟ ଶ୍ରେଣୀରେ ୯୭୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। କମ୍ପାଣ୍ଟମେଣ୍ଟାଲ୍‌ ପରୀକ୍ଷାରେ ୧୦୫ ଜଣ ପାସ୍‌ କରିଥିବା ବେଳେ ୧୮୫୭ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି। ଚଳିତ ବର୍ଷ ଏଗ୍ରିଗେଟ୍‌ ନମ୍ବର ରଖି ପାସ୍‌ କରିଥିବା ଛାତ୍ରଛାତ୍ରୀ ଗୋଟିଏ ବିଷୟରେ ଫେଲ୍‌ ହୋଇଥିଲେ ସେମାନଙ୍କ ପାଇଁ ତତ୍କାଳ ପରୀକ୍ଷାର ବ୍ୟବସ୍ଥା କରାଯାଇଥିବା ପରୀକ୍ଷା ନିୟନ୍ତ୍ରକ ଶ୍ରୀ ମିଶ୍ର କହିଛନ୍ତି। ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମାର୍କସିଟ୍‌, ପ୍ରୋଭିଜିନାଲ୍‌ ପାସ୍‌ ସାର୍ଟିଫିକେଟ୍‌, ମାଇଗ୍ରେସନ୍‌ ସାର୍ଟିଫିକେଟ୍‌ ଆଦି ଆସନ୍ତା ୬ ତାରିଖରୁ ଉପଲବ୍ଧ ହେବ ବୋଲି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର