ହଟିଲା ସଟ୍‌ଡାଉନ୍‌ : କମିବ ଆଳୁ-ପିଆଜ ଦର

ଭୁବନେଶ୍ବର : ଧାର୍ଯ୍ୟ ଅବଧି ପରେ ରବିବାର ରାତି ୮ଟାରେ ରାଜଧାନୀରୁ ସଟ୍‌ଡାଉନ୍‌ ହଟିଛି। କିନ୍ତୁ ତେଜରାତି, ପରିବା ଓ ଆମିଷ ଦୋକାନ ବଜାର ସମ୍ପୂର୍ଣ୍ଣ ଖୋଲା ହୋଇପାରିନାହିଁ। ତେଣୁ ସୋମବାର ସକାଳୁ ପୁଣିଥରେ ତାଲା ବନ୍ଦ ନିୟମାନୁସାରେ ହାଟ ବଜାର ଚାଲୁ ରହିବ। ତେଜରାତି ଦର ସ୍ଥିର ରହିବା ସୂଚନା ମିଳିଛି। ପରିବା ବଜାରରେ ଆଳୁ, ପିଆଜ ଓ ଟମାଟୋକୁ ବାଦ୍ ଦେଲେ ଅନ୍ୟ ପରିବା ଦର ସାମାନ୍ୟ ଉଚ୍ଚା ରହିପାରେ ବୋଲି ବ୍ୟବସାୟୀମାନେ କହିଛନ୍ତି।

ଆଇଗିଣିଆ କୁବେରପୁରୀ ଆଳୁ ଗୋଦାମରୁ ମିଳିଥିବା ସୂଚନାନୁସାରେ, ଏବେ ସବୁ ଗୋଦାମରେ ପ୍ରଚୁର ମାଲ୍ ମହଜୁଦ୍ ରହିଛି। ସଟ୍‌ଡାଉନ୍‌ ଯୋଗୁଁ ୪୮ଘଣ୍ଟା ବେପାର ପୂରା ବନ୍ଦ ଥିଲା। ତେଣୁ ଗୋଦାମରେ ଥିବା ଆଳୁ, ପିଆଜ ନଷ୍ଟ ହେବାର ସମ୍ଭାବନା ରହିଛି। ସେହିଭଳି ଗୋଦାମରେ ବହୁ ଟ୍ରକ୍‌ ଅଟକି ରହିଛି ଓ ସଟ୍‌ଡାଉନ୍‌ ପାଇଁ ସେଥିରୁ ମାଲ୍ ଅନ୍‌ଲୋଡ୍‌ ହୋଇପାରିନାହିଁ। ଫଳରେ ଟ୍ରକ୍‌ରେ ଲଦି ହୋଇ ରହିଥିବା ଆଳୁ, ପିଆଜ ଓ ଟମାଟୋ ମଧ୍ୟ ଗରମ ଯୋଗୁଁ ନଷ୍ଟ ହେବାକୁ ବସିଲାଣି। ତେଣୁ ସେଗୁଡ଼ିକୁ ତୁରନ୍ତ ଖାଲି କରିବା ପାଇଁ ବ୍ୟବସାୟୀମାନେ ବାଧ୍ୟ ହେବେ ଓ ଏହା ଦରହ୍ରାସର କାରଣ ପାଲଟିବ। ପାଇକାରୀ ଦର ହିସାବରେ ଆଳୁ କ୍ବିଣ୍ଟାଲ ୧ ହଜାର ଟଙ୍କା ଓ ପିଆଜ କ୍ବିଣ୍ଟାଲ ୧୫ଶହ ଟଙ୍କା ହୋଇପାରେ। ତେଣୁ ଖୁଚୁରା ବଜାରରେ ଆଳୁ କିଲୋ ୧୫ଟଙ୍କା ଓ ପିଆଜ ୨୦ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ସେହିଭଳି ଟମାଟୋ ଖୁଚୁରା ବଜାରରେ ୧୦/୧୨ଟଙ୍କା କିଲୋ ଦରରେ ବିକ୍ରି ହେବ। ଏସବୁ ସତ୍ତ୍ବେ ପ୍ରଶାସନର କଟକଣା ନ ରହିଲେ, ଖୁଚୁରା ବେପାରୀମାନେ ଖାଉଟିଙ୍କୁ ଶୋଷଣ କରିବାକୁ ମଉକା ହାତଛଡ଼ା କରିବେ ନାହିଁ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ସବୁଜ ପରିବା ଦର ସାମାନ୍ୟ ଉଚ୍ଚା ରହିପାରେ। ଚାଷୀ ଜମିରେ ପରିବା ନଷ୍ଟ ହେଉଥିବାରୁ ବଜାରକୁ ପ୍ରଚୁର ମାଲ୍‌ ଆସିବ, କିନ୍ତୁ ସୋମବାର ପରିବା ହାଟରେ ଭିଡ଼ ଜମିବ। ଦୁଇଦିନିଆ ସଟ୍‌ଡାଉନ୍‌ ପରେ ଲୋକଙ୍କ ଘରେ ପରିବା ନାହିଁ। ତେଣୁ ବଜାର ଚାହିଦାକୁ ନେଇ ସବୁଜ ପରିବା ଦର ବଢ଼ିବା ସ୍ବାଭାବିକ ବୋଲି ବେପାରୀମାନେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର