ପୁଲିସ୍‌ କବ୍‌ଜାରେ ଶିବ ଗ୍ୟାଙ୍ଗ୍‌ : ୮ ସହଯୋଗୀ ଗିରଫ, ନାବାଳକ ଅଟକ

ପିସ୍ତଲ, ଗୁଳି, ବୋମା, ଖଣ୍ଡା ଜବତ

ବ୍ରହ୍ମପୁର : ସହରତଳି ଅଞ୍ଚଳରେ ଦୀର୍ଘଦିନ ଧରି ଆତଙ୍କରାଜ ସୃଷ୍ଟି କରିବା ସହିତ ଲୋକଙ୍କୁ ହଇରାଣ ହରକତ କରୁଥିବା ଏକ ଗ୍ୟାଙ୍ଗ୍‌କୁ କାବୁ କରିଛି ପୁଲିସ। ଗ୍ୟାଙ୍ଗ୍‌ ମୁଖିଆ ଶିବରାମ ସେଠୀ ଓରଫ୍ ଶିବ ସମେତ ୮ଜଣଙ୍କୁ ପୁଲିସ୍‌ ଧରିଛି। ସେମାନଙ୍କଠାରୁ ପିସ୍ତଲ, ବୋମା, ଖଣ୍ଡା ପ୍ରଭୃତି ଜବତ କରାଯାଇଛି।

ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ ସୂଚନା ଅନୁସାରେ, ଦୁର୍ଦ୍ଦାନ୍ତ ଶିବ ନାଁରେ ଗୋଟିଏ ହତ୍ୟା ସହିତ ମୋଟ ୮ଟି ସଙ୍ଗିନ୍‌ ମାମଲା ରହିଛି। ଗୋପାଳପୁର ଥାନା ବଡ଼କୁଶସ୍ଥଳୀ ଗ୍ରାମର ଶିବ କିଛି ଯୁବକଙ୍କୁ ନେଇ ଏକ ଗ୍ୟାଙ୍ଗ୍‌ ଗଠନ କରିଥିଲା। ସେ ଗୋପାଳପୁର ଏବଂ ଚମମାଖଣ୍ଡି ଥାନା ଇଲାକାରେ ଆତଙ୍କରାଜ ଜାରି ରଖିଥିଲା। ବ୍ୟବସାୟୀଙ୍କୁ ଧମକ୍‌ଚମକ୍‌ ଦେଇ ଦାଦାବଟି ମାଗିବା ସହିତ ଲୋକଙ୍କୁ ହଇରାଣ ହରକତ କରୁଥିଲା।

ଗତକାଲି ସଂଧ୍ୟାରେ ଶିବ ଓ ତାର ସହଯୋଗୀମାନେ ଏକ ନିଛାଟିଆ ସ୍ଥାନରେ ମେଳି ବାନ୍ଧିଥିବା ନେଇ ପୁଲିସ ଖବର ପାଇଥିଲା। ସେ ନେଇ ଗୋପାଳପୁର ଥାନା ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍‌ ସେଠାରେ ଚଢ଼ାଉ କରିଥିଲା। ପୁଲିସ ଚଢ଼ାଉ ଦେଖି ଶିବ ବୋମାମାଡ଼ କରିଥିଲା। ହେଲେ, ଏଥିରେ ପୁଲିସ ଟିମ୍‌ ଅଳ୍ପକେ ରକ୍ଷା ପାଇଯାଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳକୁ ଚାରିପଟୁ ଘେରି ଯାଇଥିଲା। ଘଟଣାସ୍ଥଳରୁ ପୁଲିସ ଶିବ ସମେତ ଜିତୁ ସେଠୀ, ଜି. ବିଶ୍ବନାଥ ରେଡ୍ଡି, ଶଙ୍କର ସେଠୀ, କେ. ଶଙ୍କର ରାଓ, କେ. ତ୍ରିପତି ରେଡ୍ଡିକୁ ଗିରଫ କରିଥିଲା। ଏହାପରେ ଅନ୍ୟ ଏକ ସ୍ଥାନରେ ଚଢ଼ାଉ କରି ଅଜୟ ସେଠୀ ଓ ସୁନୀଲ ସେଠୀକୁ ପୁଲିସ ଗିରଫ କରିଥିଲା। ସମସ୍ତଙ୍କ ଘର ବଡ଼କୁଶସ୍ଥଳୀ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର