ସିଜୁଆରୁ ପାରାଦୀପ

ଭୁବନେଶ୍ୱର : ୨୦୦୩ ମସିହା ଜୁଲାଇ ୧୫ ତାରିଖ ପୂର୍ବାହ୍‌ଣ ସମୟ। ଭୁବନେଶ୍ୱରରେ ଏମ୍‌ସ ଭଳି ବିଶ୍ୱସ୍ତରୀୟ ଚିକିତ୍ସାନୁଷ୍ଠାନର ମୂଳଦୁଆ ପକାଇବାକୁ ସେଦିନ କାର୍‌ରେ ସରୁଆ ମାଟି ରାସ୍ତାରେ ସିଜୁଆରେ ପହଞ୍ଚିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ବାଜପେୟୀ ଆସୁଥିବା ଶୁଣି ତାଙ୍କୁ ଦେଖିବାକୁ କୁଆଡ଼ୁ କୁଆଡ଼ୁ ଛୁଟି ଆସିଥିଲେ ଲକ୍ଷାଧିକ ଲୋକ। ଯେବେ ସ୍ୱାସ୍ଥ୍ୟଗତ କାରଣରୁ ବାଜପେୟୀ ଛୋଟେଇ ଛୋଟେଇ ମଞ୍ଚ ଉପରକୁ ଉଠୁଥିଲେ ହୋ ହାଲାରେ ଫାଟି ପଡ଼ିଥିଲା ସମଗ୍ର ଅଞ୍ଚଳ। ମଞ୍ଚ ଉପରେ ବାଜପେୟୀଙ୍କୁ ଦେଖିବେ ବୋଲି ଚାରିପଟେ ଥିବା ଲଙ୍କାଆମ୍ବ ବଣ ସାରା ଛାଇ ଯାଇଥିଲେ ଜନତା। ଅନେକ ଗଛ ଉପରକୁ ଚଢ଼ି ଯାଇଥିଲେ। ପୂରା ଅଞ୍ଚଳ ଜନସମୁଦ୍ର ପାଲଟିଥିଲା। ସେଦିନ ବର୍ଷା ଯୋଗୁଁ ପୂରା ଶରୀର ଭିଜି ଯାଉଥିଲା। ଅଥଚ ଏହାକୁ ଖାତିର୍‌ ନଥିଲା।

ଓଡ଼ିଶାର ଗରିବଗୁରୁବାଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସେଦିନ ସେ ଶିଳାନ୍ୟାସ କରିଥିବା ଏମ୍‌ସ ଯେ ଏତେ ବଡ଼ ଡାକ୍ତରଖାନା ପାଲଟିବ ସେଦିନ ସ୍ଥାନୀୟ ଅଞ୍ଚଳର କେହି ପରିକଳ୍ପନା କରିନଥିଲେ। ମାତ୍ର ସେଦିନ ଅବାସ୍ତବ ଲାଗୁଥିବା ସ୍ୱାସ୍ଥ୍ୟସେବାର ସେହି ଚାରା ଆଜି ମହାଦ୍ରୁମରେ ପରିଣତ ହୋଇଛି।

ଭାଷଣରେ, ଦେଶର ପ୍ରତ୍ୟେକ ଶିଶୁଙ୍କ ପାଇଁ ଶିକ୍ଷା, ସମସ୍ତ ରୋଗୀଙ୍କ ପାଇଁ ମେଡିକାଲ୍‌ ଚିକିତ୍ସା ଏବଂ ଯୁବକମାନଙ୍କ ପାଇଁ ରୋଜଗାର କଥା କହିବା ବେଳେ ତାଳିରେ ଫାଟି ପଡ଼ିଥିଲା ସିଜୁଆ ମାଟି। ସବୁ ଗାଁରେ ପକ୍କା ରୋଡ୍‌ ଏବଂ ପକ୍କା ରୋଡ୍‌କୁ ଜାତୀୟ ରାଜପଥକୁ ସଂଯୋଗ କରିବା ଭଳି ନିଷ୍ପତ୍ତି ସମ୍ପର୍କରେ ମଞ୍ଚରେ କହିବା ସହ ଏମ୍‌ସରୁ ଭଲ ଡାକ୍ତର ତିଆରି କରିବା ପାଇଁ ସେ ଦେଖିଥିବା ସ୍ୱପ୍ନ କଥା ସେଦିନ କହିଥିଲେ ବାଜପେୟୀ।

ଆଜି ଅଟଳ ସଶରୀରେ ସେ ନାହାନ୍ତି ସତ। କିନ୍ତୁ ଏମ୍‌ସ ଥିବା ଯାଏଁ ସିଜୁଆ ସହ ଯୋଡ଼ି ହୋଇଥିବା ସମ୍ପର୍କ ଆଜି ବି ଅନେକଙ୍କ ପାଇଁ ଅପାସୋରା ହୋଇ ରହିଯାଇଛି। ସେଦିନ ସିନା ବାଜପେୟୀଙ୍କୁ ଦେଖିବାକୁ ଲଙ୍କା ଆମ୍ବା ଗଛରେ ଚଢ଼ି ବର୍ଷାରେ ଭିଜିଥିଲେ, ଆଜି ଅଦେଖା ଲୁହରେ ଭିଜୁଛନ୍ତି ସିଜୁଆବାସୀ।

ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ୯୦୦୦ କୋଟି ଟଙ୍କା ଅନୁମୋଦନ କରିଥିଲେ

ଯେବେ ରାଉରକେଲା ସହର ମୃତ ପ୍ରାୟ ଅବସ୍ଥାରେ ଥିଲା ମୁଁ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ (ଆର୍‌ଏସ୍‌ପି)ର ଆଧୁନିକୀକରଣ ବିଷୟ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦୃଷ୍ଟିକୁ ଆଣିଥିଲି। ସେତେବେଳେ କଠିନ ପରିସ୍ଥିତି ସତ୍ତ୍ୱେ ତାଙ୍କର କ୍ୟାବିନେଟ୍‌ ୯ହଜାର କୋଟି ଟଙ୍କାର ପ୍ୟାକେଜ୍‌ ତୁରନ୍ତ ଘୋଷଣା କରିଥିଲା ବୋଲି କୁହନ୍ତି ପୂର୍ବତନ ମନ୍ତ୍ରୀ ତଥା ଦିଲ୍ଲୀପ ରାୟ। ଶ୍ରୀ ରାୟ କହିଛନ୍ତି, ବାଜପେୟୀଙ୍କ ଅଧୀନରେ ଦୁଇଥର ମନ୍ତ୍ରୀ ହେବାର ସୁଯୋଗ ପାଇଛି। ସେ ଥିଲେ ମୋ ପିତା ସଦୃଶ। ତାଙ୍କର ମୋ ଉପରେ ଏତେ ବିଶ୍ୱାସ ଥିଲା ଯେ, ସେ ସମୟରେ ଜୟଲଳିତା ଓ ଚନ୍ଦ୍ରବାବୁ ନାଇଡ଼ୁଙ୍କ ମଧ୍ୟରେ ବୁଝାମଣାର କାମ ମତେ ସମର୍ପିଥିଲେ। ଅତି ଗମ୍ଭୀର ସମସ୍ୟାକୁ ସହଜରେ ସମାଧାନ କରିପାରୁଥିଲେ। କେନ୍ଦ୍ରରେ ମହାମେଣ୍ଟ ସରକାର ଚଳାଇବାରେ ଅଟଳ ଥିଲେ ପ୍ରଥମ ପ୍ରଧାନମନ୍ତ୍ରୀ। ସମସ୍ତଙ୍କୁ ନେଇ ଚାଲିବାର କଳାରେ ସେ ସିଦ୍ଧହସ୍ତ ଥିଲେ।

ଏନ୍‌ଡିଏ ସାଂସଦଙ୍କ ବୈଠକରେ ବି କବିତା ଗାଇ ଶୁଣାଉଥିଲେ

ଉଦାରବାଦୀ ବିଚାରର ମଣିଷ ଥିଲେ। ମମତା ବାନାର୍ଜୀଙ୍କ ଭଳି ନେତାଙ୍କ ସହ ଗଠବନ୍ଧନ କରିପାରିବାର କଳା ବି ତାଙ୍କୁ ଜଣା ଥିଲା। ବିରୋଧୀ ବିଚାର ଚିନ୍ତାଧାରାକୁ ସାଙ୍ଗରେ ନେଇ ଯିବାରେ ତାଙ୍କର ଅଦ୍ଭୁତ ଦକ୍ଷତା ଥିଲା। ସେ ନିଜ ଭିତରେ ଥିବା କବିପଣକୁ ଅଟକାଇ ପାରୁନଥିଲେ। ଏନ୍‌ଡିଏର ସାଂସଦମାନଙ୍କ ବୈଠକରେ ବି ସେ କବିତା ଗାଇ ଶୁଣାଉଥିଲେ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ।

ଶ୍ରୀ ତ୍ରିପାଠୀ କହିଛନ୍ତି, ବ୍ୟକ୍ତିଗତ ଭାବେ ବାଜପେୟୀ ମତେ ବହୁତ ସ୍ନେହ କରୁଥିଲେ। କଥାକୁ ଗୁରୁତ୍ୱ ଦେଉଥିଲେ। ଜନ୍ମ ଦିନରେ ପାଖରେ ବସାଇ ନିଜ ପରିବାର ଲୋକ ଭଳି ବ୍ୟବହାର କରୁଥିଲେ। ଖାଇବାକୁ ଦେଉଥିଲେ। ନାଲ୍‌କୋ ପାଇଁ ମଧ୍ୟ ତାଙ୍କର ଅବଦାନ ସ୍ୱତନ୍ତ୍ର ଥିଲା। ଖୋର୍ଧା, ବଲାଙ୍ଗୀର ରେଳ ଲାଇନ୍‌ ଏବଂ ଜଳସେଚନ ପ୍ରକଳ୍ପ ଭଳି ବହୁ ଯୋଜନା ବାକିଆ ରହିଗଲା।

ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନା ବାଜପେୟୀଙ୍କର ନିଜସ୍ୱ

ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ଭୂପୃଷ୍ଠ ପରିବହନ ମନ୍ତ୍ରୀ ଭାବେ ସ୍ଥାନ ପାଇଥିଲେ ତତ୍‌କାଳୀନ ଦେବଗଡ଼ ସାଂସଦ ଦେବେନ୍ଦ୍ର ପ୍ରଧାନ। ପୁରୁଣା ଦିନର ସ୍ମୃତି ମନେ ପକାଇ ଶ୍ରୀ ପ୍ରଧାନ କହିଛନ୍ତି, ୧୯୯୮ ମସିହାରେ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ଭୂପୃଷ୍ଠ ପରିବହନ ବିଭାଗ ଦାୟିତ୍ୱ ମୋତେ ମିଳିଥିଲା। ସେହି ସମୟରେ ରାସ୍ତାର ବିକାଶ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଥିଲା। ଏହି ଚିନ୍ତାଧାରା ବାଜପେୟୀଙ୍କ ନିଜସ୍ୱ ଥିଲା। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଆଜି ଯେପରି ଗାଁଗଣ୍ଡାରେ ଭଲ ରାସ୍ତା ତିଆରି ହୋଇଛି, ସେହି କାମ ବାଜପେୟୀ ହିଁ ଆରମ୍ଭ କରିଥିଲେ। ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନା ତାଙ୍କରି ମାନସ ସନ୍ତାନ ଥିଲା। କହିବାକୁ ଗଲେ ଉନ୍ନତମାନର ରାସ୍ତାଘାଟ ହିଁ ବିକାଶର ମାପକାଠି ବୋଲି ବାଜପେୟୀ ସେଦିନ ଭାବିଥିଲେ। ରାସ୍ତାଘାଟର ବିକାଶ ପାଇଁ ପ୍ରଚୁର ପାଣ୍ଠିର ଆବଶ୍ୟକତା ଥିବାରୁ ସେ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ସେସ୍‌ ଲଗାଇଥିଲେ। ଡିଜେଲ୍‌ ସେସ୍‌ରେ ଜାତୀୟ ରାଜପଥ ଓ ପେଟ୍ରୋଲ୍‌ ସେସ୍‌ରେ ଅନ୍ୟ ରାସ୍ତାର ବିକାଶ ପାଇଁ ଅର୍ଥ ଦିଆଯାଉଥିଲା। କ୍ୟାବିନେଟ୍‌ ସହଯୋଗୀଙ୍କ ପ୍ରତି ସେ ବେଶ୍‌ ଅମାୟିକ ଥିଲେ। ବ୍ୟକ୍ତିଗତ ଦୁଃଖସୁଖ ବୁଝୁଥିଲେ। ତାଙ୍କର ଆତିଥେୟତା ଓ ଭଲ ପାଇବା କେବେ ଭୁଲି ହେବନି। ସବୁ ଜିଲ୍ଲାରେ କୃଷି ବିଜ୍ଞାନ କେନ୍ଦ୍ର ଖୋଲିବା ପାଇଁ ମୁଁ ପ୍ରସ୍ତାବ ନେଇ ତାଙ୍କ ପାଖକୁ ଯାଇଥିଲି। ସେ ଏହାକୁ ସମ୍ମାନର ସହ ଗ୍ରହଣ କରିଥିଲେ ଓ ଏହାକୁ କାର୍ଯ୍ୟକାରୀ କରିବାକୁ ତତ୍‌କାଳ ପଦକ୍ଷେପ ନେଇଥିଲେ।

ଆଇଓସିଏଲ୍‌ ବି ତାଙ୍କ ଯୋଜନା

୨୦୦୨ ମେ’ ମାସରେ ପାରାଦୀପ ତୈଳ ବିଶୋଧନାଗାରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଅଟଳ ବିହାରୀ ବାଜପେୟୀ। ଆଜି ଏହା କେବଳ ଓଡ଼ିଶା ନୁହେଁ, ସାରା ଦେଶର ବିକାଶ ପାଇଁ ଯୋଗଦାନ ଦେଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର