ଶିକ୍ଷା ନିକେତନ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବି

ଭୁବନେଶ୍ବର : ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ଦାବି ନେଇ ଆଜି ଆଦିମ ଅଧିବାସୀ ଜନଜାତି ଶିକ୍ଷା ନିକେତନ କର୍ମଚାରୀ ସଂଘ ଓଡ଼ିଶା ମଡେଲ ଆଦିବାସୀ ଶିକ୍ଷା ପରିଷଦ ବା ଓଏମ୍‌ଟଇଏସ୍‌ରେ ନିଜର ଦାବି ଉପସ୍ଥାପନ କରିଛି। ଦୀର୍ଘ ୧୦ବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ ହେଁ କର୍ମଚାରୀମାନଙ୍କୁ ଅଣଦେଖା କରାଯାଉଛି। ‌ଅନେକ ଶିକ୍ଷକ/ଶିକ୍ଷୟିତ୍ରୀ ଚାକିରି ଛାଡ଼ି ଅନ୍ୟତ୍ର ପଳାଉଛନ୍ତି। ବାରମ୍ବାର ଏ ନେଇ ଦାବି ହେଉଥିଲେ ହେଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ କର୍ମଚାରୀମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ସଂଘର କହିବାନୁଯାୟୀ, ଆଦିମ ଅଧିବାସୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ୨୦୦୮/୦୯ ମସିହାରେ ଅପହଞ୍ଚ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯ଟି ଆଦିମ ଅଧିବାସୀ ଶିକ୍ଷା ନିକେତନ ସ୍ଥାପନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ପାଣ୍ଠି ପକ୍ଷରୁ ଅନୁଦାନ ପ୍ରଦାନ କରାଯିବା ସହିତ ରାଜ୍ୟ ସରକାରଙ୍କ ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗ ଅଧ୍ୟକ୍ଷତାରେ ଓଡ଼ିଶା ମଡେଲ ଅଦିବାସୀ ଶିକ୍ଷା ପରିଷଦ ଜରିଆରେ ଏହାକୁ ପରିଚାଳନା କରାଯାଉଛି। ରାଜ୍ୟର ୧୨ଟି ଜିଲ୍ଲାରେ ଏହା କାର୍ଯ୍ୟ କରୁଛି। ୨୦୦ ଶିକ୍ଷକ ଓ ୨୫୦ ଅଣଶିକ୍ଷକଙ୍କୁ ଏଥିରେ ନିଯୁକ୍ତି ଦିଆଯାଇଛି। ମାତ୍ର ନିଯୁକ୍ତି ଦୀର୍ଘ ବର୍ଷ ବିତିଯାଇଥିଲେ ହେଁ, କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିପାରି ନାହିଁ। ଏପରିକି ଚଳିତ ଏପ୍ରିଲ ମାସରୁ କର୍ମଚାରୀଙ୍କ ଦରମା ବାବଦରେ ଦିଆଯାଉଥିବା ଅର୍ଥକୁ କମାଇ ଦିଆଯାଇଛି। ସଂଘ ଏହାର ପ୍ରତିବାଦ କରିଥିଲେ ହେଁ କୌଣସି ସୁଫଳ ମିଳିପାରି ନାହିଁ। ତେଣୁ ରାଜ୍ୟ ସରକାର ସଂଘର ଦାବି ପୂରଣ କରନ୍ତୁ ବୋଲି ସଭାପତି ଶ୍ରୀକାନ୍ତ ଜୁଆଙ୍ଗ ଓ ସଂପାଦକ ସାମନ୍ତ ଗମାଙ୍ଗ କହିଛନ୍ତି।

ସମ୍ବନ୍ଧିତ ଖବର