ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

ଜଙ୍ଗଲ ଖାଦ୍ୟ, ହାତୀ ପିଠିରେ ବସି ବୁଲିବା, ମଞ୍ଚା ଉପରୁ ପ୍ରାକୃତିକ ଦୃଶ୍ୟ ମୁଖ୍ୟ ଆକର୍ଷଣ

ବାରିପଦା : ଦୀର୍ଘମାସ ଧରି ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ବନ୍ଦ ରହିଥିବା ଶିମିଳିପାଳ ଜାତୀୟ ଉଦ୍ୟାନ ଆଜି ଖୋଲିଛି। ଆଜି ପ୍ରଥମ ଦିନରେ ମୋଟ ୧୦ଟି ଚାରିଚକିଆ ଯାନ ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟକୁ ପ୍ରବେଶ କରିଛି। ମୋଟ ୫୯ ଜଣ ପ୍ରଥମ ଦିନରେ ଶିମିଳିପାଳ ବୁଲି ଫେରିଛନ୍ତି। ଶିମିଳିପାଳର ପିଠାବଟା ଗେଟ୍‌ ପଟୁ ୫ ଟି ଓ ଯଶୀପୁରର କାଳିଆଣି ଗେଟ୍‌ ପଟୁ ୫ଟି ମୋଟ ୧୦ଟି ଚାରିଚକିଆ ଯାନ ଏହି ପର୍ଯ୍ୟଟକମାନେ ଯାଇଥିଲେ।

ଚଳିତବର୍ଷ ଶିମିଳିପାଳର ମୁଖ୍ୟ ଆକର୍ଷଣ ମଧ୍ୟରେ ଜଙ୍ଗଲୀ ଖାଦ୍ୟ, ଗୁଡୁଗୁଡିଆରେ ହାତୀ ପିଠିରେ ବସି ଭ୍ରମଣ ଓ ମଞ୍ଚା ଉପରୁ ପ୍ରାକୃତିକ ଦୃଶ୍ୟ ଆଦି ରହିଛି। ଆଜିର ପର୍ଯ୍ୟଟକଙ୍କ ମଧ୍ୟରୁ ଆସାମ, ପଶ୍ଚିମବଙ୍ଗରୁ କିଛି ପର୍ଯ୍ୟଟକ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ୍‌ ଥିଲେ। ଏତେଦିନ ଅପେକ୍ଷାର ଅନ୍ତ ଘଟିଛି ଏବଂ ଆଜି ଶିମିଳିପାଳକୁ ପୂରା ମନଭରି ଉପଭୋଗ କରିବେ ବୋଲି ଆଜି ଆସିଥିବା ଜଣେ ମହିଳା ପର୍ଯ୍ୟଟକ ଶୁଭାଙ୍ଗି ରାୟବାବୁ ପ୍ରକାଶ କରିଛନ୍ତି। ଚଳିତବର୍ଷ ନଭେମ୍ବର ପହିଲାରୁ ଶୀତ ପଡ଼ିଯାଇଥିବାରୁ ପର୍ଯ୍ୟଟକ ବେଶି ଆସିବାର ଅନୁମାନ କରାଯାଉଛି।

ଗତବର୍ଷ, ଶିମିଳିପାଳକୁ ୨୯ ହଜାର ପର୍ଯ୍ୟଟକ ଆସିଥିଲେ। ଏବର୍ଷ ବଢ଼ିବା ଆଶା କରାଯାଉଛି। ଶିମିଳିପାଳର କୁମାରୀ, ଗୁଡ଼ୁଗୁଡ଼ିଆ, ରାମତୀର୍ଥ ଓ ଜାମୁଆଣି ଠାରେ ଥିବା ଯାତ୍ରୀ ନିବାସ ଗୁଡ଼ିକରେ ରାତ୍ରୀଯାପନ ନିମନ୍ତେ ପର୍ଯ୍ୟଟକଙ୍କୁ ୱେବସାଇଟ୍‌ରେ ଅଗ୍ରିମ ଆରକ୍ଷଣ କରିବାକୁ ହେବ।

ସମ୍ବନ୍ଧିତ ଖବର