ନଭେମ୍ବର ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

ମୟୂରଭଞ୍ଜ : ଚଳିତ ବର୍ଷ ଜୁନ୍‌ ୧୬ ତାରିଖରୁ ବନ୍ଦ ଥିବା ଶିମିଳିପାଳ ଅଭୟାରଣ୍ୟ ନଭେମ୍ବରରୁ ଖୋଲିବାକୁ ଯାଉଛି। ଆସନ୍ତା ନଭେମ୍ବର ୧ ତାରିଖ ଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲା ରହିବ ଶିମିଳିପାଳ । ଓଡିଶାର କେତେକ ମୂଖ୍ୟ ପର୍ଯ୍ୟଟନ ସ୍ଥଳିମାନଙ୍କ ମଧ୍ୟରୁ ଶିମିଳିପାଳ ଅନ୍ୟତମ । ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକ ଏଠାକୁ ବୁଲିବାକୁ ଆସିଥାନ୍ତି । ଏଠାରେ ବଣଭୋଜି କରିବା ସହ ଶିମିଳିପାଳର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିଥାନ୍ତି । ତେବେ ବର୍ଷା କାରଣରୁ ଏଠାକୁ ଯାତାୟତ କରିବା ସମ୍ଭବ ହୋଇ ପାରୁନଥିବାରୁ ପ୍ରତିବର୍ଷ ବର୍ଷା ଦିନେ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥାଏ । ଚଳିତ ବର୍ଷ ମଧ୍ୟ ଜୁନ ୧୬ ତାରିଖରୁ ଶିମିଳିପାଳ ବନ୍ଦ ରହିଥିବା ବେଳେ ଆସନ୍ତା ନଭେମ୍ବର ୧ ତାରିଖରୁ ଖୋଲାଯିବ ବୋଲି ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ନଭେମ୍ବର ୧ ତାରିଖରୁ ପର୍ଯ୍ୟଟନ ନିମନ୍ତେ ଖୋଲା ରହିବ । ପର୍ଯ୍ୟଟକମାନେ କେବଳ ପିଠାବଟା ଏବଂ କାଳିଆଣି ଫାଟକ ଦେଇ ଶିମିଳିପାଳ ମଧ୍ୟକୁ ପ୍ରବେଶ କରିପାରିବେ । ଦୈନିକ ସର୍ବାଧିକ ୩୫ଟି ଚାରିଚକିଆ ଯାନ କାଳିଆଣି ତନଖି ଫାଟକ ଓ ୨୫ ଗୋଟି ଚାରି ଚକିଆ ଯାନ ପିଠାବଟା ତନଖି ଫାଟକ ମଧ୍ୟ ଦେଇ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ।

ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିବା ପାଇଁ କେତେକ ନିୟମମାନ ମଧ୍ୟ ଲାଗୁ କରାଯାଇଛି । ଯେପରିକି, ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ ନିମନ୍ତେ ପ୍ରବେଶ ଅନୁମତି ପତ୍ର କେବଳ ପିଠାବଟା ଓ ଯଶିପୁର ବୁକିଂ କାଉଣ୍ଟରରୁ ସକାଳ ୬ଟାରୁ ଦିନ ୯ଟା ପର୍ଯ୍ୟନ୍ତ ମିଳିପାରିବ । ଅଭୟାରଣ୍ୟକୁ ପ୍ରବେଶ କରିବା ପୂର୍ବରୁ ପର୍ଯ୍ୟଟକମାନେ ପ୍ରଚଳିତ ନିୟମାବଳୀମାନ ପାଳନ ନିମନ୍ତେ ଏକ ଲିଖିତନାମା ଦେବେ । ଏଥିସହିତ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଅଭୟାରଣ୍ୟ ମଧ୍ୟରୁ ଫେରି ଆସିବାକୁ ପଡିବ ।

ସମ୍ବନ୍ଧିତ ଖବର