ଆର ପାରିରେ ଗୀତିକାର ନିଶାକର

ଭୁବନେଶ୍ୱର: ମିଛ ମାୟା ଭରା ଏ ସାରା ଦୁନିଆ…ଗୀତର ସ୍ରଷ୍ଟା ନିଶାକର ବେହେରା ମିଛ ମାୟାର ଏ ସଂସାରରୁ ଚିରକାଳ ପାଇଁ ବିଦାୟ ନେଇଛନ୍ତି। କାଠଯୋଡ଼ି କୂଳେ ରାଶିରାଶି ଗୀତ ରଚନା କରି ଓଡ଼ିଆ ଜନମାନସରେ ଅମ୍ଲାନ ସ୍ମୃତି ହୋଇଯାଇଥିବା ନିଶାକରଙ୍କର ନିଶାର୍ଦ୍ଧରେ ପରଲୋକ ହୋଇଯାଇଛି। ଗତକାଲି ଗପିଗପି ରାତି ସାଢ଼େ ୨ଟାରେ ଶୋଇବା ପରେ ସେ ଚିରନିଦ୍ରାରେ ଶୋଇ ଯାଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ତାଙ୍କର ମୃତ୍ୟୁ ଓଡ଼ିଆ ସଂଗୀତ ମହଲରେ ଶୋକର ଛାୟା ଖେଳାଇ ଦେଇଛି। ମୃତ୍ୟୁ ଖବର ପ୍ରସାର ହେବା ପରେ ସ୍ୱରୂପ ନାୟକ, କୁନା ତ୍ରିପାଠୀଙ୍କ ସମେତ ବହୁ ଜଣାଶୁଣା ବ୍ୟକ୍ତିବିଶେଷ ତାଙ୍କ କଟକ ତୁଳସୀପୁରସ୍ଥିତ ମଧୁସୂଦନ ନଗର ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ଅର୍ଜୁନ ଚରଣ ସାମଲ ତାଙ୍କର ଅଧିକାଂଶ ଗୀତ ଗାଇଥିବା ବେଳେ ଆଜି ନିଶାକରଙ୍କ ମୃତ୍ୟୁରେ ସେ ମ୍ରିୟମାଣ ହୋଇ ପଡ଼ିଥିଲେ। ବାରିପଦାରେ ୨୫, ଜୁନ୍‌୧୯୪୬ ମୟୂରଭଂଜର ଦେଉଳିଆ ରେ ଜନ୍ମିତ ନିଶାକର ପ୍ରାରମ୍ଭରେ କବିତା ଲେଖାରେ ରୁଚି ରଖୁଥିଲେ। ତେବେ ଧୀରେଧୀରେ କବିତାକୁ ଗୀତରେ ରୂପାନ୍ତର କରି ସେ ପରିଚିତିକୁ ପରିବ୍ୟାପ୍ତ କରିଥିଲେ। ୧୯୬୯ରେ ଓଡ଼ିଶା ରାଜସ୍ୱ ସେବାରେ ଯୋଗ ଦେଇଥିବା ବେଳେ ରାଜସ୍ୱ ବଭାଗର ଅତିରକ୍ତ ସଚିବ ଭାବେ ୨୦୦୪ରେ ଅବସର ନେଇଥିଲେ। ‘ସୁନା ସଂସାର’, ‘ଅପରିଚିତା’, ‘ଛ ମାଣ ଆଠ ଗୁଣ୍ଠ’ ଏବଂ ‘ଆଇ ଲଭ୍‌ ୟୁ’ ଚଳଚ୍ଚିତ୍ରରେ ସେ ଯେତିକି ବି ଗୀତ ରଚନା କରିଛନ୍ତି ସମସ୍ତ ଗୀତ ଏବେ ବି ଲୋକଙ୍କ ଜିଭ ଅଗରେ ସାଇତା ହୋଇ ରହିଛି। ଚଳଚ୍ଚିତ୍ର ସମେତ ବହୁ ସଂଗୀତ ସିଡି ପାଇଁ ଗୀତ ଲେଖି ସେ ପ୍ରସିଦ୍ଧି ଅର୍ଜନ କରିଥିଲେ। ‘ହେ ଦୁଃଖହାରୀ ଗିରିଧାରି ମୁରାରୀ… ହେଉ କି ‘ମିଛ ମାୟାଭରା ଏ ସାରା ଦୁନିଆ… ହେଉ କି ‘ବ୍ରହ୍ମରୁ ଶୁଭୁଛି ଶୁଣ ଓଁ ସାଇ ନାଦ… ଏବଂ ‘ଅଧା ଛାଇ ଆଲୁଅରେ ଲେଖିଛି ଏ ଚିଠି ସିନା…ଭଳି ଅନେକ କାଳଜୟୀ ଗୀତ ତାଙ୍କୁ ଚିରକାଳ ଅମର କରି ରଖିବ। ମୃତ୍ୟୁଶଯ୍ୟା ନିକଟରେ ଝିଅ ଶୁଭଶ୍ରୀ ଜେନା, ପାର୍ବଣୀ ଘୋଷ, ସୁସ୍ମିତା ବେହେରା, ମେଘନା ବେହେରାଙ୍କ ସମେତ ଜ୍ୱାଇଁ ସାତ୍ୟକୀ ଘୋଷ୍‌ ଏବଂ ସମସ୍ତ ନାତି ନାତୁଣୀ ଉପସ୍ଥିତ ଥିଲେ। ଏକମାତ୍ର ପୁତ୍ର ଜଗନ୍ନାଥ ବେହେରା ପୁନେରେ ରହୁଥିବାରୁ ସେ ପହଞ୍ଚିବା ପରେ ଆସନ୍ତାକାଲି ସତୀ ଚଉରାରେ ଶେଷକୃତ୍ୟ ସମ୍ପନ୍ନ ହେବ।

ସମ୍ବନ୍ଧିତ ଖବର