‘ବିଜୁ ବାବୁ’ ରେ ଶିଙ୍ଗବାଜାକୁ ନେଇ ପ୍ରେମ୍‌ ଆନନ୍ଦଙ୍କ ପରୀକ୍ଷଣ ‘ଓୟେ ରାମ୍‌ଜୀ’

କଟକ : ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ଓଲିଉଡ୍‌ ଚଳଚ୍ଚିତ୍ର ‘ବିଜୁ ବାବୁ’ରେ ଢେଙ୍କାନାଳ ଶିଙ୍ଗବାଜାକୁ ନେଇ ପରୀକ୍ଷଣ କରାଯାଇଛି। ମ୍ୟୁଜିକାଲ୍‌ ସାଇଣ୍ଟିଷ୍ଟ ପ୍ରେମ୍‌ ଆନନ୍ଦ ଏହି ସିନେମାର ସଂଗୀତ ନିର୍ଦ୍ଦେଶକ ରହିଥିଲାବେଳେ ପ୍ରଥମ ଥର ପାଇଁ ଶିଙ୍ଗବାଜାକୁ ନେଇ ପରୀକ୍ଷା କରିଛନ୍ତି। ଗୀତର ପ୍ରତ୍ୟେକଟି ଶବ୍ଦ ଓ ଯେଉଁ ସ୍ଥିତିରେ ଏହାକୁ ସୁଟିଂ କରାଯାଇଛି, ଏହାକୁ ନିଶ୍ଚିତ ଭାବେ ଦର୍ଶକ ପସନ୍ଦ କରିବେ। ଗୀତର ପ୍ରଥମ ଦୁଇ ଶବ୍ଦ ‘ଓୟେ ରାମ୍‌ଜୀ’ ଥିବାବେଳେ ସଂପୂର୍ଣ୍ଣ ଗୀତକୁ ଗୁପ୍ତ ରଖାଯାଇଛି। ଅଡିଓ ରିଲିଜ ବେଳେ ସଂପୂର୍ଣ୍ଣ ଗୀତକୁ ଉନ୍ମୋଚନ କରାଯିବ ବୋଲି ପ୍ରେମ ଆନନ୍ଦ କହିଛନ୍ତି। ସି‌ନେମାର ଆରମ୍ଭରୁ ମୁଖ୍ୟ ନାୟକ ଅନୁଭବ ମହାନ୍ତି ବିଜୁ ବାବୁଙ୍କ ଭୂମିକାରେ ଆସୁଛନ୍ତି। ସେ ସମୟରେ ପ୍ରାୟ ୫ମିନିଟ୍‌ ଧରି ଏହି ଗୀତ ବାଜିବ। ଏହି ଗୀତକୁ ଆଶୁତୋଷ ଗାଇଥିଲାବେଳେ ‌ସୁବ୍ରତ ସ୍ବାଇଁ ଏହାକୁ ଲେଖିଛନ୍ତି। ସିନେମାରେ ମୋଟ ୫ଟି ଗୀତ ରହିଥିଲାବେଳେ ସେଗୁଡ଼ିକୁ ହ୍ୟୁମାନ ସାଗର, ଦୀପ୍ତିରେଖା, ଅନନ୍ୟା, ଆଶୁ‌ତୋଷ ଗାଇଛନ୍ତି। ଏମାନଙ୍କ ସହିତ ଆଉ ଏକ ସରପ୍ରାଇଜ୍ କଣ୍ଠଶିଳ୍ପୀଙ୍କୁ ନିଆଯାଇଥିବା ସୂଚନା ଦିଆଯାଇଛି। ଅଡିଓ ରିଲିଜ୍‌ବେଳେ ତାଙ୍କୁ ସମସ୍ତଙ୍କ ସହ ପରିଚିତ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର