ଦୟନୀୟ ସ୍ଥିତିରେ ସିପକୁଦାର ୪୦ ବାସନ୍ଦ ପରିବାର : ପହଞ୍ଚିପାରୁନି ବାତ୍ୟା ସହାୟତା, ହାତ ଟେକି ଦେଇଛି ପ୍ରଶାସନ

ପୁରୀ : ବାତ୍ୟା ହେଉ କି ଝଡ଼, ସାମାଜିକ ବାସନ୍ଦ ଭଳି ଘୃଣ୍ୟ ପ୍ରଥାରୁ ମୁକୁଳି ପାରିନି କୃଷ୍ଣପ୍ରସାଦ ବ୍ଲକର ସିପକୁଦା-ବନମାଳୀପୁର ଗାଁ। ଏଠାରେ ୪୦ଟି ପରିବାରକୁ ବାସନ୍ଦ କରାଯାଇଛି। ଗାଁ ଦାଣ୍ଡଠୁ ସରକାରୀ ରାସ୍ତା ସବୁ ବନ୍ଦ। ବାତ୍ୟା ଭଳି ବିପର୍ଯ୍ୟୟରେ ଆସିଥିବା ସରକାରୀ ସହାୟତା ବି ଛଡ଼ାଯାଉନି। ସବୁ କିଛି ଅଧାରୁ ଲୁଟି ନିଆଯାଉଛି। ଏଭଳି ସ୍ଥିତିକୁ ଦୂରେଇବା ପାଇଁ ପୁଲିସ ଓ ପ୍ରଶାସନ ହାତ ଟେକି ଦେଇଛି। ସେପଟେ ଭୋଟ୍‌ ସରିଥିବାରୁ ନେତାମାନେ ବି ଏ ସଂପର୍କରେ ମୁଣ୍ଡ ଖେଳାଉ ନାହାନ୍ତି। ଏଭଳି ସ୍ଥିତିରେ ବାସନ୍ଦ ପରିବାର ଆଜି ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସଭାରେ ଯୋଗ ଦେଇଥିବା କାରଣରୁ ସିପକୁଦା ବନମାଳୀପୁର ଗାଁର ୧୨ ପରିବାରକୁ ବାସନ୍ଦ କରାଯାଇଥିଲା। ଗତ ଜାନୁଆରି ମାସରୁ ସେମାନେ ବାସନ୍ଦ ହୋଇ ଚଳୁଥିଲେ। ତାଙ୍କୁ ଅନ୍ୟ ୨୦-୨୫ ପରିବାର ସହାୟତା କରିବାରୁ ସେମାନଙ୍କୁ ବି ବାସନ୍ଦ କରିଦିଆଗଲା। ପ୍ରାୟ ୪୦ ପରିବାରକୁ କୋଣଠେସା କରାଗଲା। ସେମାନଙ୍କୁ ଗାଁ ଦାଣ୍ଡ ବାରଣ କରାଗଲା। ଏମିତିକି ଗାଁ ଦାଣ୍ଡ ଦେଇ ସରକାରୀ ରାସ୍ତାକୁ ବି ସେମାନେ ଯାଇ ପାରିଲେନି। ଚିଲିକାରେ ମାଛ ମାରିବାଠାରୁ ଆରମ୍ଭ କରି ଜେଟି ବି ବାରଣ ହେଲା। ରାଜନୈତିକ ବିବାଦରୁ ସେମାନଙ୍କୁ ସାମାଜିକ ସୁବିଧା ସୁଯୋଗ ବନ୍ଦ କରାଗଲା। ଗାଁ ଭିତରେ ଚାଲିଲା କଙ୍ଗାରୁ ଶାସନ। ପୁଲିସ ହସ୍ତକ୍ଷେପ କଲା, ହେଲେ କିଛି ହେଲାନି। ରାଜନେତାମାନେ ନିର୍ବାଚନ ଥିବାରୁ କେହି ମୁଣ୍ଡ ଖେଳାଇଲେନି। ଭୋଟ୍‌ ସରିଗଲା ପରେ ବି କାହାର ଦେଖା ମିଳିଲାନି। ଭୋଟ ପରେ ଆସିଲା ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ‘ଫନି’। ସବୁ କିଛି ଉଜାଡ଼ ଦେଲା। ଘରଦ୍ବାର ଭାଙ୍ଗି ଛାରଖାର୍‌ କରିଦେଲା। ତଥାପି ଗାଁର ରାଜନୈତିକ ବିବାଦ ତୁଟିଲାନି। ଏପରିକି ଘର ଭାଙ୍ଗିଯିବା ପରେ ସିଡିଏର ପାର୍କିଂରେ ମୁଣ୍ଡ ଗୁଞ୍ଜିଥିବା ବାସନ୍ଦ ପରିବାରକୁ ଧମକ ଦେଇ ତଡ଼ି ଦିଆଗଲା। ବାତ୍ୟା ପରେ ଯାଉଥିବା ସରକାରୀ ସହାୟତା ସେମାନଙ୍କୁ ପାଖରେ ପହଞ୍ଚୁନାହିଁ। ସ୍ବେଚ୍ଛାସେବୀ ସଂସ୍ଥାମାନଙ୍କୁ ସେମାନଙ୍କ ନିକଟକୁ ଛଡ଼ାଯାଉନାହିଁ। ବଡ଼ କଷ୍ଟରେ ସେମାନେ ରହିଛନ୍ତି। ଗତ ୧୨ ତାରିଖରେ କେନ୍ଦ୍ରାଞ୍ଜଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଆପୋସ ସମାଧାନ ପାଇଁ ଯାଇଥିଲେ। ହେଲେ କିଛି ନିଷ୍କର୍ସ ବାହାରି ପାରିଲାନାହିଁ। ଏବେ ସ୍ଥାନୀୟ ପୁଲିସ ଚାପରେ ହିଂସା ନିୟନ୍ତ୍ରଣରେ ରହିଥିଲେ ମଧ୍ୟ ବାସନ୍ଦ ପରିବାରକୁ କିଛି ମିଳୁନାହିଁ। ଆଜି ବାସନ୍ଦ ପରିବାରର ୨୦ରୁ ଅଧିକ ଲୋକ ଆସି ଜିଲ୍ଲାପାଳଙ୍କୁ ଭେଟି ସହାୟତା ମାଗିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର