ଟ୍ରକ୍‌ ଧକ୍‌କାରେ ଭଉଣୀ ମୃତ, ଭାଇ ଗୁରୁତର

ବିଶୋଇ : ବିଶୋଇ ଥାନା ଅନ୍ତର୍ଗତ କାଦପାଣି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଭଉଣୀର ମୃତ୍ୟୁ ହୋଇଯାଇଥିବା ବେଳେ ସାନଭାଇ ଗୁରୁତର ହୋଇଛନ୍ତି। ମୃତକ ହେଉଛନ୍ତି କାଦପାଣି ଗାଁର ଯୁଧିଷ୍ଠିର ପାତ୍ରଙ୍କ ମଝିଅାଁ ଝିଅ ସସ୍ମିତା(୨୧)। ଦୁର୍ଘଟଣାରେ ଗୁରୁତର ତାଙ୍କର ସମ୍ପର୍କୀୟ ସାନଭାଇ ସୂରଜ(୧୮)ଙ୍କୁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟିକୁ ଧରିବା ଦାବିରେ ଉତ୍ତ୍ୟକ୍ତ ଲୋକମାନେ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ଜାତୀୟ ରାଜପଥ ଅବରୋଧ କରିଥିଲେ। ପୁଲିସ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।

ସୂଚନା ଅନୁସାରେ, ଆଜି ସସ୍ୱିତା ଓ ସୂରଜ କାଦପାଣି ଛକ ନିକଟସ୍ଥ ଘରୁ ପଡ଼ିଆ ପାଖରେ ଥିବା ପୁରୁଣା ଘରକୁ ଏକ ପଲ୍‌ସର ବାଇକ୍‌ରେ ଯିବାବେଳେ ପଛରୁ ଆସୁଥିବା ଏକ ଟ୍ରକ୍‌ ଧକ୍କା ଦେଇଥିଲା। ସୂରଜ ଭାରସାମ୍ୟ ହରାଇ ବାଇକ୍‌ ସହ ରାସ୍ତାପାଖରେ ମୁହଁମାଡ଼ି ପଡ଼ି ଯାଇଥିବା ବେଳେ ସସ୍ମିତା ସଡ଼କ ଉପରେ ଖସି ପଡ଼ିଥିଲେ। ଫଳରେ ତାଙ୍କ ଉପରେ ଟ୍ରକ୍‌ଟି ମାଡ଼ି ଯାଇଥିଲା। ତେଣୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସୂରଜଙ୍କୁ ପରିବାର ଲୋକେ ଉଦ୍ଧାର କରି ବିଶୋଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି।

ଏହି ଘଟଣା ପରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଧରିବା ଓ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ। ଖବର ପାଇଁ ବିଶୋଇ ଥାନାଧିକାରିଣୀ କୁନି ବେସ୍ରା ଟ୍ରକ୍‌ର ପିଛା କରିଥିଲେ ମଧ୍ୟ ଧରିବାରେ ସମର୍ଥ ହୋଇନଥିଲେ। ଘଟଣାସ୍ଥଳରେ ଏସ୍‌ଆଇ ପଦ୍ମଲୋଚନ ବେହେରା, ଏଏସ୍‌ଆଇ ସୁନ୍ଦରମୋହନ ବାରିକ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ।

ପୁଲିସ ବୁଝାସୁଝା ପରେ ୧୧ଟା ୪୫ରେ ଦୀର୍ଘ ଅଢ଼େଇ ଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା। ପୁଲିସ ରାଇରଂଗପୁରରେ ଶବ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ସସ୍ମିତା ମଣଦା କଳିଙ୍ଗ ଡିଗ୍ରୀ କଲେଜରେ +୩ ଦ୍ୱିତୀୟ ବର୍ଷର ଛାତ୍ରୀ ଥିବା ବେଳେ ସୂରଜ ୧ମ ବର୍ଷର ଛାତ୍ର ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର