କୁନ୍ଦୁଲି ମାମଲା : ତଦନ୍ତ କରିବ ଏସ୍‌ଆଇଟି

ହାଇକୋର୍ଟଙ୍କ ତଦାରଖରେ ହେବ ତଦନ୍ତ

ଅଫିସରଙ୍କ ନାଁ ପଠାଗଲା ହାଇକୋର୍ଟକୁ
ପୀଡ଼ିତାଙ୍କୁ ନ୍ୟାୟ ମିଳିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ବିରୋଧୀଙ୍କ ଅଭିଯୋଗରେ ପୂର୍ଣ୍ଣଛେଦ ଟାଣିବା ପାଇଁ ରାଜ୍ୟ ସରକାର ଆଜି ଆଉ ଟିକିଏ କଠୋର ପଦକ୍ଷେପ ନେଇଛନ୍ତି। ତଦନ୍ତକୁ ଆହୁରି ନିରପେକ୍ଷ ଓ ଅବାଧ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବା ଏସ୍‌ଆଇଟି କରିବାକୁ ଘୋଷଣା କରିଛନ୍ତି। ଏହି ଟିମ୍‌ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ ମାମଲାର ତଦନ୍ତ କରିବ। ମାମଲାର ଅଗ୍ରଗତି ଓ ତଦନ୍ତକୁ ଦୈନନ୍ଦିନ ଭିତ୍ତିରେ ପରିଚାଳନା କରିବା ଲାଗି ରାଜ୍ୟ ସରକାର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନିକଟରେ ପ୍ରାର୍ଥନା କରିବେ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏଭଳି ମାମଲାରେ କେନ୍ଦ୍ର ସରକାର ଅଧୀନ ସିବିଆଇରେ ତଦନ୍ତ କରି ସୁନାମ ଅର୍ଜନ କରିଥିବା କିଛି ଅଧିକାରୀଙ୍କ ନାମ ସରକାର ବାଛିଛନ୍ତି। ଏମାନଙ୍କ ନାଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନିକଟକୁ ଆଜି ଅପରାହ୍ନରେ ପଠାଯାଇଛି। ଏଥିରେ ଆଇପିଏସ୍‌ ଅଫିସର ଥିବା କୁହାଯାଉଛି। ଏମାନଙ୍କ ମଧ୍ୟରୁ ଜଣକୁ ହାଇକୋର୍ଟ ଏସ୍‌ଆଇଟି ତଦନ୍ତ ଦାୟିତ୍ୱ ଦେବେ। ତାଙ୍କ ଅଧୀନରେ ବଛା ବଛା ପୁଲିସ ଅଧିକାରୀଙ୍କୁ ନେଇ ଏହି ଟିମ୍‌ ଗଠନ ହେବ। ଯେହେତୁ ଏ ସମୁଦାୟ ପ୍ରକ୍ରିୟା ହାଇକୋର୍ଟଙ୍କ ଦ୍ୱାରା ନିୟନ୍ତ୍ରିତ ହେବ, ଏଣୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ତଦନ୍ତକାରୀ ଅଧିକାରୀଙ୍କ ନାମ ଓ ତଥ୍ୟ ଗୋପନୀୟ ରଖାଯାଇଥିବା କୁହାଯାଇଛି। ହାଇକୋର୍ଟ
ଅନୁମତି ଦେବାପରେ ଜଣେ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏହି ମାମଲାର ତଦନ୍ତ ଚାଲିବ।

ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଥରେ ଏସ୍‌ଆଇଟି ଗଠନ ହୋଇଗଲେ, କ୍ରାଇମବ୍ରାଞ୍ଚ ମାମଲାର ସମସ୍ତ ରେକର୍ଡ ସେମାନଙ୍କୁ ହସ୍ତାନ୍ତର କରିବ। ଏହି ଟିମ୍‌ ମାମଲାର ଅପରାଧିକ ଦିଗର ତଦନ୍ତ କରିବେ ଓ ସେମାନଙ୍କ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ମୁତାବକ, ସମାନ୍ତରାଳ ଭାବେ ଏହି ମାମଲାର ନ୍ୟାୟିକ ତଦନ୍ତ ପ୍ରକ୍ରିୟା ମଧ୍ୟ ଜାରି ରହିବ। ଯେଉଁଥିରେ କି କେଉଁ ପରିସ୍ଥିତିରେ ଏହି ମାମଲା ହେଲା, ଏଥିପାଇଁ କିଏ ଦାୟୀ। ପ୍ରଶାସନିକ ଦୋଷତ୍ରୁଟି ଅଛି କି ଓ ଆତ୍ମହତ୍ୟା ପଛର କାରଣ ଖୋଜିବ ନ୍ୟାୟିକ ତଦନ୍ତ। କମିସନର ଅଫ୍‌ ଇନକ୍ୱାରୀ ଆକ୍ଟରେ ଏହି ତଦନ୍ତ ଚାଲିବ।

ଏଥିସହିତ କୁନ୍ଦୁଲି ମାମଲାଟି ଏକାଧିକ ତଦନ୍ତ ଜାଲରେ ଛନ୍ଦି ହୋଇଯାଇଛି। ପୂର୍ବରୁ କ୍ରାଇମବ୍ରାଞ୍ଚ, ଏଚ୍‌ଆର୍‌ପିସି ତଦନ୍ତ କରିଥିଲେ। ପରେ ଏବେ ଜାତୀୟ ମାନବାଧିକାର କମିସନ ତଦନ୍ତ ଜାରି ରଖିଥିବା ବେଳେ ଜାତୀୟ ଏସ୍‌ସି କମିସନ ମଧ୍ୟ ଖୁବ୍‌ଶୀଘ୍ର କୋରାପୁଟ ଆସି ତଦନ୍ତ ଆରମ୍ଭ କରିବେ। ଅନ୍ୟପକ୍ଷରେ ବିଭିନ୍ନ ବେସରକାରୀ ସାମାଜିକ ସଂଗଠନ, ରାଜନୈତିକ ଦଳ ନେତା ମଧ୍ୟ ନିଜ ନିଜର ତଦନ୍ତ ଜାରି ରଖିଛନ୍ତି। ମାମଲାର ସିବିଆଇ ତଦନ୍ତ ପାଇଁ ମଧ୍ୟ କୋର୍ଟରେ ମାମଲା ହୋଇଛି।

ଆଜି ଏସ୍‌ଆଇଟି ଗଠନ ସଂପର୍କରେ ସୂଚନା ଦେବା ବେଳେ ମୁଖ୍ୟମନ୍ତ୍ରୀ କହିଥିଲେ, କୁନ୍ଦୁଲି ମାମଲା ଏକ ଦୁଃଖଦ ଘଟଣା। ମୋର ଦୃଢ ବିଶ୍ୱାସ ରହିଛି ଯେ ଆଇନ ତା ବାଟରେ ଯିବ ଓ ବିନା ଭୟ ଓ ଚାପରେ ପୀଡ଼ିତାଙ୍କୁ ନ୍ୟାୟ ମିଳିବ। ମୁଖ୍ୟମନ୍ତ୍ରୀ କହିଥିଲେ, କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ଯେଉଁ ଅସାଧାରଣ ପରିସ୍ଥିତି ସୃଷ୍ଟି ହୋଇଛି, ସେଥିରେ ମୋର ବିଶ୍ୱାସ ରହିଛି ଯେ ମହିଳାମାନଙ୍କୁ ସୁରକ୍ଷା ଓ ସମ୍ମାନ ଅବଶ୍ୟ ମିଳିବ। ରାଜ୍ୟ ସରକାର ସ୍ୱତନ୍ତ୍ର ତଦନ୍ତକାରୀ ଦଳକୁ ଖୁବ୍‌ଶୀଘ୍ର ମାମଲା ହସ୍ତାନ୍ତର କରିବେ ଓ କୋର୍ଟକୁ ଏହି ମାମଲା ପରିଚାଳନା ପାଇଁ ଆବଶ୍ୟକ ଅନୁରୋଧ କରାଯିବ। ଅତ୍ୟନ୍ତ ସ୍ୱଚ୍ଛ ଓ ଯଥାଶୀଘ୍ର ନ୍ୟାୟ ପ୍ରଦାନ ଲାଗି ରାଜ୍ୟ ସରକାର ପ୍ରତିବଦ୍ଧ।

ଉଲ୍ଲେଖଯୋଗ୍ୟ, କୁନ୍ଦୁଲି ମାମଲା ରୁଜୁ ହେବାର ପ୍ରଥମ ୧୦୦ ଦିନ ଯାଏ ଉଁ କି ଚୁଁ ପାଟି ଫିଟାଉନଥିବା ବିଜେପି ଏବେ ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରୁଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନିର୍ଦେଶରେ ଏକ ପ୍ରତିନିଧି ଦଳ ତଦନ୍ତ କରି ଫେରିଥିବା ବେଳେ ଏପଟେ ରାଜ୍ୟ ବିଜେପି ନେତା ବିବୃତି ଯୁଦ୍ଧ ଚଳାଇଛନ୍ତି। କେଉଁଦିନ ନବୀନ ନିବାସ ଘେରାଉ କଲେଣି ତ ଆଉ କେଉଁଦିନ ସଚିବାଳୟରେ ପ୍ରବେଶ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।

ଉଭୟ କଂଗ୍ରେସ ଓ ବିଜେପି ଓଡ଼ିଶା ବନ୍ଦ ଡାକରା ଦେଇଥିଲେ। ଯୁବ କଂଗ୍ରେସ ଏହି ମାମଲାରେ ଆସନ୍ତାକାଲି ନବୀନ ନିବାସ ଘେରାଉ କରିବା ଲାଗି ଘୋଷଣା କରିଛି। ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଏହି ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗୁଜୁରାଟ ଗୋଧ୍ରା ଦଙ୍ଗା ଘଟଣାରେ ସଂପୃକ୍ତ ରାଜ୍ୟ ସରକାର ହାଇକୋର୍ଟଙ୍କ ଦ୍ୱାରା ନିୟନ୍ତ୍ରିତ ଏସ୍‌ଆଇଟି ଦ୍ୱାରା ମାମଲାର ତଦନ୍ତ କରାଇଥିଲେ। ସେହିଭଳି କୋଲ୍‌ ଦୁର୍ନୀତି ମାମଲାରେ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିୟନ୍ତ୍ରିତ ଏସ୍‌ଆଇଟି ତଦନ୍ତ କରୁଥିଲେ।

ସମ୍ବନ୍ଧିତ ଖବର