ପ୍ରଭୁ ଲିଙ୍ଗରାଜଙ୍କ ଶୀତଳଷଷ୍ଠୀକୁ ମିଳିଲା ଅନୁମତି, ସମ୍ବଲପୁରରେ ପତରପେଣ୍ଡି ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର/ସମ୍ବଲପୁର: ଲିଙ୍ଗରାଜଙ୍କ ରୁକୁଣା ରଥ ହେଲାନି, କିନ୍ତୁ ଆୟୋଜିତ ହେବ ମହାପ୍ରଭୁଙ୍କ ବିବାହ ଉତ୍ସବ । ଶୀତଳଷଷ୍ଠୀ ଶିବ ପାର୍ବତୀଙ୍କ ବିବାହ ପାଇଁ ମିଳିଛି ପ୍ରଶାସନିକ ଅନୁମତି । ବିଏମସି କମିଶନରଙ୍କ ପକ୍ଷରୁ ମିଳିଛି ଅନୁମତି । ତେବେ ଏଥିପାଇଁ କେତେକ କଟକଣା ମଧ୍ୟ ରଖିଛି ବିଏମସି । ବିନା ଶୋଭାଯାତ୍ରା ଓ ସାଜସଜ୍ଜାରେ ଏହି ଦେବନୀତି ଅନୁଷ୍ଠିତ ହେବ । ସାମାଜିକ ଦୂରତା ରହିବା ସହିତ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି ।ନୀତିର ଦାୟିତ୍ୱରେ ଥିବା ସୀମିତ ସେବାୟତ ହିଁ ଏହି ଶୀତଳଷଷ୍ଠୀ କାର୍ଯ୍ୟକ୍ରମରେ ସାମିଲ ହେବେ । ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । ଥଣ୍ଡା, କାଶ ଭଳି ଲକ୍ଷଣ ଥିଲେ ସେମାନେ ଏଥିରେ ସାମିଲ ହୋଇ ପାରିବେ ନାହିଁ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ମନ୍ଦିର ପ୍ରଶାସନ, ବିଏମସି ଏବଂ ବିଭିନ୍ନ ନିଯୋଗର ସଦସ୍ୟଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପଟେ ସମ୍ବଲପୁରରେ ସୋମବାର ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ବର ବାବା, ବଡ଼ବଜାରର ଶୀତଳେଶ୍ବର ବାବା, ଠାକୁରପଡ଼ାର ଗୁପ୍ତେଶ୍ବର ବାବା, ବାଲିବନ୍ଧାର ସୋମନାଥ ବାବାଙ୍କ ବିବାହ ପାଇଁ କନ୍ୟା ଅନ୍ବେଷଣ ପର୍ବ ପତ୍ରପେଣ୍ଡି ବିଧି ଅନୁସାରେ ପାଳିତ ହୋଇଯାଇଛି। ଝାଡ଼ୁଆପଡ଼ାର ଲୋକନାଥ ବାବାଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ବରପିତା ଅମରନାଥ ସୁପକାର, ସପ୍ତଋଷି ପୀତବାସ ବିଶି, ପୁରନ୍ଦର ପାଣିଗ୍ରାହୀ, ହରିହର ପଣ୍ଡା, ଜଗଦୀଶ ବଡ଼ପଣ୍ଡା, ରାଧାବଲ୍ଲଭ ମିଶ୍ର, ଧୀରେନ୍ଦ୍ର କୁମାର ପଣ୍ଡା, ସଦାନନ୍ଦ ପରିଚ୍ଛା, ସଂଜୀବ ପାଢ଼ୀ, ପୂଜକ ରାମନାଥ ମହାପାତ୍ର, ମହେନ୍ଦ୍ର ପୂଜାରୀ ପ୍ରମୁଖ କନ୍ୟା ଅନ୍ବେଷଣରେ ବାହାରିଥିଲେ। ଆରଣ୍ୟକ ମଣ୍ଡପଠାରେ ପହଞ୍ଚିବା ପରେ କନ୍ୟା ପିତାମାତା କିଶୋର ଷଡ଼ଙ୍ଗୀ, ବିଜୟିନୀ ଷଡ଼ଙ୍ଗୀ ଓ ଅନ୍ୟମାନେ ବରପକ୍ଷଙ୍କୁ ପାଛୋଟି ନେଇଥିଲେ। ସେଠାରେ ପରଂପରା ଅନୁଯାୟୀ କଥୋପକଥନ ପରେ ବର ପିତା କନ୍ୟା ପିତାମାତାଙ୍କୁ ସରଗିପତ୍ର, ଫୁଲ, ବେଲପତ୍ର ଦେଇ ମାତା ପାର୍ବତୀଙ୍କ ସହ ଲୋକନାଥ ବାବା ସ୍ଥିର ନିଶ୍ଚିତ କରିଥିଲେ।

ବରଗଡ଼ ସାଂସଦ ସୁରେଶ ପୂଜାରୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଂଗାଲି ବିଧାୟକ ନାଉରୀ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯାତ୍ରା କମିଟି ସଦସ୍ୟ ସରୋଜ ଦଳପତ, ସୁଶାନ୍ତ ପୁରୋହିତ, ପାର୍ଥସାରଥୀ ମିଶ୍ର, ସଂଜୀବ ପାଢ଼ୀ, ପ୍ରାଣରଞ୍ଜନ ପଣ୍ଡା, ସଞ୍ଜୟ ମିଶ୍ର, ଶୁଭେନ୍ଦ୍ର ପଣ୍ଡା, ଶୁଭେନ୍ଦୁ ମିଶ୍ର, ମିଲୁ ପାଣିଗ୍ରାହୀ, ଅଭିଷେକ ମିଶ୍ର, ଶେଖର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।
ମୁଦିପଡ଼ା ଜାଗେଶ୍ବର ବାବାଙ୍କ ପତ୍ରପେଣ୍ଡି ମଧ୍ୟ ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି। ଜାଗେଶ୍ବର ବାବାଙ୍କ ନିମନ୍ତେ କନ୍ୟା ଅନ୍ବେଷଣ ନିମନ୍ତେ ବରପିତା ମଧୁସୂଦନ ନେଗୀ, ସପ୍ତଋଷି ଅରବିନ୍ଦ ମହାପାତ୍ର, ଶଶୀଭୁଷଣ ତ୍ରିପାଠୀ, ଜଗଦୀଶ ପଣ୍ଡା, ବିଜୟ ଷଡଙ୍ଗୀ, ଶାନ୍ତନୁ ପାଣିଗ୍ରାହୀ, ସଞ୍ଜୀବ ଦାଶ, ରଘୁନାଥ ମିଶ୍ର, ପଣ୍ଡିତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ପୂଜକ ଗୋବିନ୍ଦ ପଣ୍ଡା ପ୍ରମୁଖ ମୁଦିପଡ଼ାସ୍ଥିତ କନ୍ୟାଳୟରେ ପହଞ୍ଚିଥିଲେ। କନ୍ୟା ପିତାମାତା ଅଭିରାମ ପଟେଲ ଏବଂ ସୌଭାଗିନୀ ପଟେଲଙ୍କୁ ସରଗିପତ୍ର ପେଣ୍ଡା ଦେଇ ବିିବାହ ନିର୍ଦ୍ଧାରିତ ହୋଇଥିଲା। ଯାତ୍ରା କମିଟି ଓ ପଡ଼ାର ହାତ ଗଣତି ଲୋକ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ବଡ଼ବଜାର ଶୀତଳେଶ୍ବର ବାବାଙ୍କ ପତ୍ରପେଣ୍ଡି ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା। ବରପିତା ଜଗଦୀଶ କାଲାନୋରିଆ, ସପ୍ତଋଷି ପିତାମ୍ବର ରାଏ, ସୁରେନ୍ଦ୍ର ନାଏକ, ସାରଙ୍ଗ ରାଏ, ନୀଳାମ୍ବର ପଣ୍ଡା, କୃଷ୍ଣଚନ୍ଦ୍ର ମହାକୁର, ରାମନାରାୟଣ ପ୍ରଧାନ, ଦୀନବନ୍ଧୁ ଦେଓ, ପଣ୍ଡିତ ଯୋଗେଶ୍ୱର ନନ୍ଦ ଏବଂ ସରିତ କୁମାର ପାଢ଼ୀ, ପୂଜକ ସଞ୍ଜୟ ବଡ଼ମାଳି ଏବଂ ସଂଜୀବ, ଯାତ୍ରା କମିଟିର ସଭାପତି ସୁରେନ୍ଦ୍ର ମହାନ୍ତି ପ୍ରମୁଖ ମନ୍ଦିରରୁ ବାହାରି କନ୍ୟା ପିତା ଭବେଶ ଚାନ୍ଦଙ୍କ ଘରେ ପହଞ୍ଚିଥିଲେ। ସେଠାରେ ବିଧି ଅନୁଯାୟୀ ପତ୍ରପେଣ୍ଡି ବିଧି ସମ୍ପନ୍ନ ହୋଇଥିଲା। ଠାକୁରପଡ଼ାର ଗୁପ୍ତେଶ୍ବର ବାବାଙ୍କ ପତ୍ରପେଣ୍ଡି ମଧ୍ୟ ସକାଳେ ଅନୁଷ୍ଠିତ ହୋଇଥିଲା। ବରପିତାମାତା ଶିବ ପ୍ରଧାନ ଏବଂ ମଧୁସ୍ମିତା ପ୍ରଧାନ, ପଣ୍ଡିତ ଆଶୁତୋଷ ପୁରୋହିତ, ପୂଜକ ଲୋକନାଥ ମହାପାତ୍ର, ସପ୍ତଋଷି ଭବାନୀ ବାବୁ, ଗୋଲକ ବିହାରୀ ମିଶ୍ର, ଜଗଦୀପ ସିଂହ, ପ୍ରଫୁଲ୍ଲ ପ୍ରଧାନ, ଲିଂଗରାଜ ପରିଡ଼ା, ବଳରାମ ଜାଲ, ତ୍ରିଲୋଚନ ବେହେରା, କମିଟି ସଦସ୍ୟ ଆନନ୍ଦ ଜାଲ, କାଳିଆ ଦୋରା, ସନ୍ତୋଷ ବାଗ, ନିରଂଜନ ସାହୁ, ସଂଦୀପ ନାୟକ, ମନୋରଂଜନ ସାହୁ ପ୍ରମୁଖ କନ୍ୟା ପିତାମାତା ନିକୁଂଜ ବସନ୍ତରାୟ ଏବଂ ମିନା ବସନ୍ତରାୟଙ୍କ ହାଉସିଂବୋର୍ଡ କଲୋନିସ୍ଥିତ ଗୃହକୁ ଯାଇ ପତ୍ରପେଣ୍ଡି ବିଧି ସମ୍ପନ୍ନ କରିଥିଲେ। ବାଲିବନ୍ଧାର ସୋମନାଥ ବାବାଙ୍କ ପତ୍ରପେଣ୍ଡି ସଂଧ୍ୟାରେ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସପ୍ତଋଷି ଗୋକୁଳି ପଣ୍ଡା, ପ୍ରଶାନ୍ତ ଦିକ୍ଷିତ, ପ୍ରଶାନ୍ତ ପ୍ରଧାନ, ଡ. ବିଜୟ ପ୍ରଧାନ, ବୃହଷ୍ପତ୍ତି ସ୍ବାଇଁ, ଗୋପାଳ ଗୁପ୍ତା, ଲୋକନାଥ ପାଣ୍ଡେ ପ୍ରମୁଖ କନ୍ୟା ପିତାମାତା ଶିବନାରାୟଣ ପାଣିଗ୍ରାହୀ ଏବଂ ସଂଧ୍ୟା ଦିକ୍ଷିତଙ୍କୁ ଫୁଲ, ବେଲପତ୍ର, ସରଗିପତ୍ର ଦେଇ ବିଧି ସମ୍ପନ୍ନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଟ୍ରଷ୍ଟି ନିହାର ବହିଦାର, ‌ଲକ୍ଷ୍ମଣ ପଟେଲ, ଅରକ୍ଷିତ ନାୟକ, ପଣ୍ଡିତ ମନବୋଧ ପାଢ଼ୀ, କୈଳାସ ପୂଜାରୀ, ସଂଜୁ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର