ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌ : ୨ ଶିକ୍ଷକଙ୍କ ସମେତ ୬ ଗିରଫ

କୋରାପୁଟ/ଢେଙ୍କାନାଳ : ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌ ଘଟଣାରେ ଆଜି ଆଉ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ କୋରାପୁଟ ଜିଲ୍ଲାର ୪ ଜଣ ହୋଇଥିବାବେଳେ ଢେଙ୍କାନାଳର ୨ଜଣ। କୋରାପୁଟରେ ଗିରଫ ବ୍ୟକ୍ତିମାନଙ୍କଠାରୁ କମ୍ପ୍ୟୁଟର, ମୋବାଇଲ ଓ ଗୋଟିଏ ଜେରକ୍ସ ମେସିନ ଜବତ କରାଯାଇଛି।

ସୂଚନା ଅନୁସାରେ, ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାର ପ୍ରଥମ ଦିନରେ କୋରାପୁଟ ଜିଲ୍ଳା ବନ୍ଧୁଗାଁ ହାଇସ୍କୁଲରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ଏହି ଅଭିଯୋଗ ଆଧାରରେ ବନ୍ଧୁଗାଁ ଥାନାରେ ୧୨/୧୯ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଥିଲା ପୁଲିସ। ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଭିଯୋଗକ୍ରମେ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ଓ ନିରୀକ୍ଷକଙ୍କ ବିରୋଧରେ ମାମଲା କରାଯାଇଥିଲା। ବନ୍ଧୁଗାଁ ପୁଲିସ ଉଭୟ ମାମଲାର ତଦନ୍ତ କରୁଥିଲାବେଳେ ପ୍ରଶ୍ନପତ୍ର ଭାଇରାଲ କରିଥିବା ଯୁବକଙ୍କୁ ଆଜି ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ପି.ନାଗେଶ, ଜି.ଚାଣ୍ଟି, ଜି.ମିଥୁନ ଓ ପ୍ରସନ୍ନ ସୁବୁଦ୍ଧି। ଅପରପକ୍ଷରେ ଏହି ମାମଲାରେ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଓ ନିରୀକ୍ଷକଙ୍କ ବିରୋଧରେ ତଦନ୍ତ ଚାଲିଛି।

ଲକ୍ଷ୍ମୀପୁର ଏସଡିପିଓ ଦାୟିତ୍ବରେ ଥିବା ନିରଞ୍ଜନ ବେହେରା ଏଥିନେଇ ସୂଚନା ଦେଇ କହିଛନ୍ତି ଯେ, ୩ ଜଣ ଯୁବକ ପରୀକ୍ଷାକେନ୍ଦ୍ର ଭିତରକୁ ମୋବାଇଲ ପଠାଇ ପ୍ରଶ୍ନପତ୍ରର ଫଟୋ ଉଠାଇଥିଲେ। ସେମାନେ ଏହି ପ୍ରଶ୍ନର ଉତ୍ତର ପରୀକ୍ଷା କେନ୍ଦ୍ରକୁ ଯୋଗାଇବାକୁ ଉଦ୍ୟମ କରିଥିଲେ। ଏକ କମ୍ପ୍ୟୁଟର ଦୋକାନରେ ଏହି ଉତ୍ତର ପ୍ରସ୍ତୁତ କରାଯାଇଥିଲା
ଅନ୍ୟପକ୍ଷରେ, ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନ ଗଁଦିଆ ବ୍ଲକ ଚିରୁଳେଇସ୍ଥିତ ସୁଦର୍ଶନ ବିଦ୍ୟାଭବନ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ୍‌ ହେବା ଘଟଣାରେ ଆଜି କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ଓ ଜଣେ ନିରୀକ୍ଷକଙ୍କୁ ଗିରଫ କରାଯାଇଛି। ସୁଦର୍ଶନ ବିଦ୍ୟାଭବନ ପରୀକ୍ଷା କେନ୍ଦ୍ରରେ ଗତ ୨୨ ତାରିଖ ଦିନ ଓଡ଼ିଆ ସାହିତ୍ୟ ପ୍ରଶ୍ନପତ୍ର ମୋବାଇଲ୍‌ ଫୋନ୍‌ରେ ପ୍ରଘଟ ହୋଇଥିଲା। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଆଇଟି ଟିମ୍‌ର ରିପୋର୍ଟ ଆଧାରରେ ଗତ ୨୩ ତାରିଖରେ ଜିଲ୍ଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡା ସଂପୃକ୍ତ କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ ତଥା ସ୍କୁଲ୍‌ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ ସାହୁଙ୍କୁ ନିଲମ୍ବିତ କରିଥିଲେ। ଏଥିସହ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା କକ୍ଷରେ ଉକ୍ତ ଦିନ ନିରୀକ୍ଷକ ଦାୟିତ୍ବରେ ଥିବା କାବରା ମାଧପୁର ବଡଜେନା ବିଦ୍ୟାପୀଠର ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀ ବୈଜୟନ୍ତୀ ଶତପଥୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ଏହି ଘଟଣାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗଁଦିଆ ଥାନାରେ ସୁପରିଣ୍ଟେଣ୍ଡେଣ୍ଡ ଏବଂ ନିରୀକ୍ଷକ ଶ୍ରୀମତୀ ଶତପଥୀଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଏ ସଂପର୍କରେ ଗଁଦିଆ ଥାନାରେ କେସ୍ ନମ୍ବର ୪୧/୨୦୧୯ରେ ଏକ ମାମଲା ରୁଜୁକରି ତଦନ୍ତ ଚାଲିଥିଲା। ଆଜି କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ସାହୁ ଏବଂ ନିରୀକ୍ଷକ ଶ୍ରୀମତୀ ଶତପଥୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଗଁଦିଆ ଥାନା ଅଧିକାରୀ ନିରୁପମା ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର