ବିଚ୍ଛିନ୍ନାଞ୍ଚଳର ଅଭିଶପ୍ତ ଜୀବନ : ୬ ଜନ୍ମାନ୍ଧ ସନ୍ତାନଙ୍କ କରୁଣ କାହାଣୀ

ଅସହାୟ ଅବସ୍ଥାରେ ଆଦିବାସୀ ଦମ୍ପତି, ଏ ପର୍ଯ୍ୟନ୍ତ ମିଳିନାହିଁ ସରକାରୀ ସୁବିଧା

ଚିତ୍ରକୋଣ୍ଡା : ନିଷ୍ଠୁର ଦଇବ। ଅସହାୟ ଦମ୍ପତି। ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରେ ବିତାଉଛନ୍ତି ଅଭିଶପ୍ତ ଜୀବନ। ଏମାନଙ୍କ କାହାଣୀରେ ରହିଛି ଭାଗ୍ୟର ବିଡ଼ମ୍ବନା ଏବଂ ଅଭାବ ଅନଟନ। ଗୋଟିଏ ପରେ ଗୋଟିଏ ହୋଇ ୬ସନ୍ତାନଙ୍କ ଜନକ ଓ ଜନନୀ ହେଲେ। କିନ୍ତୁ ଜଣେ ବି ଦୁନିଆକୁ ଦେଖି ପାରୁନାହାନ୍ତି। ବାପା, ମାଙ୍କ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ତଥାପି ପିଲାଙ୍କୁ ପାଳିପୋଷି ବଡ଼ କରିବାକୁ ଅହରହ ସଂଘର୍ଷ ଜାରି ରଖିଛନ୍ତି।

ଚିତ୍ରକୋଣ୍ଡା ବ୍ଲକ୍‌ର ପେପରମେଟଲା ପଞ୍ଚାୟତ ଜାମଯୋଡ଼ି ଗାଁରେ ଭୀମ ଖିଲଙ୍କ ଘର। ଜମିବାଡ଼ି ବୋଲି କିଛି ନାହିଁ। ଝାଟିମାଟି ଘରେ ପତ୍ନୀ ରଇମତି ଏବଂ ୬ଭିନ୍ନକ୍ଷମ ସନ୍ତାନଙ୍କ ସହ ରହୁଛନ୍ତି। ଘର ପାଖ ଜଙ୍ଗଲ ଜମିରେ ଯାହା ଚାଷ କରନ୍ତି ସେତିକିରେ ମୁଠେ ଖାଇ ଦଣ୍ଡେ ଜିଇଁବା ଛଡ଼ା ଆଉ କିଛି ବିକଳ୍ପ ନାହିଁ। ଏମିତି ସ୍ଥିତିରେ ଏ ପର୍ଯ୍ୟନ୍ତ ଏହି ପରିବାର ନିକଟରେ ଆଜି ପର୍ଯ୍ୟନ୍ତ ପ୍ରଶାସନ ପହଞ୍ଚି ପାରି ନଥିଲା। ସରକାରୀ ଯୋଜନାରୁ ବଞ୍ଚିତ କରି ରଖିଥିଲା। ନିଜ ଭାଗ୍ୟରେ ବଞ୍ଚିବା ପାଇଁ ଛାଡ଼ି ଦେଇଥିଲା। ବିଳମ୍ବ ହେଲେ ମଧ୍ୟ ଶେଷରେ ଏହି ପରିବାରର କରୁଣ କାହାଣୀ ପ୍ରଶାସନର ନଜରକୁ ଆଜି ଆସିଥିଲା। ଏହାପରେ ସରକାରୀ ସହାୟତା ମିଳିବ ବୋଲି ପ୍ରତିଶ୍ରୁତି ମିଳିଛି। ଯାହାଫଳରେ ଭୀମଙ୍କ ଦମ୍ଭ ବଢ଼ିଥିବା ବେଳେ ପିଲାଙ୍କ ଭବିଷ୍ୟତ ପ୍ରଶାସନକୁ ଲାଗିଲା ବୋଲି କହିଛନ୍ତି।

ଭୀମ ଏବଂ ରାଇମତିଙ୍କ ବଡ଼ ଝିଅ କମଳା। ବୟସ ମାତ୍ର ୧୪ବର୍ଷ ହେବ। ଜନ୍ମ ହେବାପରେ ବାପା, ମା’ଙ୍କ ଖୁସିର ସୀମା ରହିନଥିଲା। କିନ୍ତୁ ଏହି ଖୁସି କିଛି ଦିନ ମଧ୍ୟରେ ହିଁ ନିରାଶା ଓ ଯନ୍ତ୍ରଣାର ବୋଝରେ କେଉଁଠି ମିଳାଇ ଯାଇଥିଲା। କାରଣ ଝିଅ ଥିଲା ଜନ୍ମରୁ ଅନ୍ଧ। ନିଜ ଆଖିରେ ସେ ଦୁନିଆ ଦେଖିପାରିବ ନାହିଁ। ଏହାପରେ କୋଳକୁ ଜଣ ଜଣ ହୋଇ ଆସିଥିଲେ ଯଶୋଦା, ସୁରେଶ, ବିଶ୍ବନାଥ, ରାମା ଓ ପାର୍ବତୀ। ସାନ ଝିଅ ପାର୍ବତୀର ବୟସ ଏବେ ମାତ୍ର ୨ବର୍ଷ। ସମସ୍ତେ ଜନ୍ମରୁ ଅନ୍ଧ। ସଚେତନତା ସାଙ୍ଗକୁ ଅର୍ଥ ଅଭାବ ଯୋଗୁଁ କୌଣସି ଡାକ୍ତରଙ୍କୁ ଏ ପର୍ଯ୍ୟନ୍ତ ବାପା, ମା ଦେଖାଇ ପାରି ନଥିଲେ। ଏପରିକି ବିଚ୍ଛିନ୍ନାଞ୍ଚଳ‌ରେ ରହୁଥିବାରୁ କୌଣସି ଡାକ୍ତର ମଧ୍ୟ ସେମାନଙ୍କ ନିକଟରେ ପହଞ୍ଚି ପାରି ନଥିଲେ। ତେଣୁ ୬ସନ୍ତାନଙ୍କ ସହ ଭାଗ୍ୟକୁ ଆଦରି ରହିଥିଲେ ଖିଲ ଦମ୍ପତି।

ଆଜି ବିଚ୍ଛିନ୍ନାଞ୍ଚଳର ଯନ୍ତାପାଇଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମହାସମାଧାନ ଶିବିରର ଆୟୋଜନ କରାଯାଇଥିଲା। ଏ ନେଇ ଗାଁରେ କେହି ଜଣେ କହିବାରୁ ଦମ୍ପତି ନିଜ ଭିନ୍ନକ୍ଷମ ସନ୍ତାନମାନଙ୍କୁ ନେଇ ଶିବିରରେ ପହଞ୍ଚିଥିଲେ। ୧୪ବର୍ଷ ହେଲା ସେମାନେ କେଉଁଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି; ବଞ୍ଚିବା ପାଇଁ କେମିତି ସଂଘର୍ଷ କରୁଛନ୍ତି ପ୍ରଶାସନକୁ ଜଣାଇଥିଲେ। ଜିଲ୍ଲାପାଳ ମନୀଷ ଅଗ୍ରଵାଲ ଏହା ଜାଣିବା ପରେ ତୁରନ୍ତ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୬ହଜାର ଟଙ୍କ‌ା ମଧ୍ୟ ପ୍ରଦାନ କରିଥିଲେ। ସେହିପରି ପିଲାମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପାଇଁ ଏବିଇଓ ଅଞ୍ଜନ ଚୌଧୁରୀ ଏବଂ ସିଆର୍‌ସିସି ସୁଦନ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଶାସନ ସେମାନଙ୍କୁ ଡାକ୍ତରଖାନାକୁ ନେଇ ସମସ୍ତ ଚିକିତ୍ସା ବ୍ୟବସ୍ଥା କରିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧିତ ଖବର