ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ରଘୁନାଥପୁର ବ୍ଲକର ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ପରିସରରେ ବଜ୍ରାଘାତ ହେବାରୁ ୩ ଜଣ ଛାତ୍ର ଛାତ୍ରୀ ଆହତ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଘଟଣାରୁ ପ୍ରକାଶ କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ବାଲିଝରୀ ପଞ୍ଚାୟତ ତଇଲାଢିପ ଗ୍ରାମରେ ବଜ୍ରାଘାତରେ ଜଣେ ମହିଳା ପ୍ରାଣ ହରାଇଛନ୍ତି। ମୃତ ମହିଳା ହେଉଛନ୍ତି ହାଡ଼ିବନ୍ଧୁ ଦଳେଇଙ୍କ ପତ୍ନୀ ମୀନା ଦେଈ (୪୮)। ସନ୍ଧ୍ୟା ୬ଟାରେ ମୀନା ଜମିରୁ କାମ ସାରି ଫେରୁଥିବା ବେଳେ ଘରଠାରୁ ଅଳ୍ପ ଦୂରରେ ବଜ୍ରପାତ ହୋଇଥିଲା। ଗ୍ରାମବାସୀଙ୍କ ସହଯୋଗରେ ତାଙ୍କୁ ବାଲିଝରୀ ଦମକଳ ଗାଡ଼ିରେ ସ୍ଥାନୀୟ କାନପୁର ମେଡ଼ିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୀନାଙ୍କୁ ମୃତ ଘୋଷଣା କରିଥିଲେ। ସେହିଭଳି କେନ୍ଦ୍ରାପଡ଼ା ଗରଦପୁର ବ୍ଲକ ରାୟସର ପଞ୍ଚାୟତ କହଣା ଗ୍ରାମର ରାଜେନ୍ଦ୍ର ମଳିକ(୬୧) ବଜ୍ରପାତରେ ପ୍ରାଣ ହରାଇଛନ୍ତି। ସେ ବିଲକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା। ରାଜେନ୍ଦ୍ରଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢ଼ୁଆ ସ୍ଥିତ ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ପରିସରରେ ଆଜି ପାଖାପାଖି ଦିନ ୨ଟା ସମୟରେ ବଜ୍ରପାତ ଯୋଗୁଁ କଲେଜର ଯୁକ୍ତ ୩ ଛାତ୍ର ନିହାର ରଂଜନ ବାରିକ ଗୁରୁତର ଆହତ ହୋଇଥିବା ବେଳେ ଅଇନପୁର ଗ୍ରାମର ଯୁକ୍ତ ୨ର ଛାତ୍ରୀ ଅପର୍ଣ୍ଣା ସାହୁ ଓ ରଚନା ସାହୁ ଆହତ ହୋଇଛନ୍ତି। ଛାତ୍ରଛାତ୍ରୀ ମାନେ କଲେଜର ଶ୍ରେଣୀ ଗୃହ ନିକଟରେ କ୍ଲାସ କରିବା ଲାଗି ଠିଆ ହୋଇଥିବା ବେଳେ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ସେମାନେ ପଡିଯାଇଥିଲେ। ରଘୁନାଥପୁର ଥାନା ତଅଁରା ଗ୍ରାମର ରାଜକିଶୋର ମଲ୍ଳିକ(୬୦) ବିଲରେ ତଳି ରୋଉଥିବା ସମୟରେ ବଜ୍ରପାତ ହେବାରୁ ଗୁରୁତର ଆହତ ହୋଇଛନ୍ତି।
ସେହପରି ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ଓଲଳ ଏବଂ ନଡ଼ିଆଭଙ୍ଗା ପଞ୍ଚାୟତରେ ବଜ୍ରପାତ ଘଟି ଦୁଇଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି। ମୃତକ ହେଲେ କୁନି ପିଙ୍ଗୁଆଙ୍କ ସ୍ତ୍ରୀ ଗୁମି (୨୨) ଏବଂ ନଡିଆଭଙ୍ଗା ପଞ୍ଚାୟତର ରଙ୍ଗାହୁଡି ଗ୍ରାମର ଶଙ୍କର୍ଷଣ ମହାନ୍ତଙ୍କ ପୁଅ ଶମ୍ଭୁନାଥ (୩୦) । ବାଲେଶ୍ୱର ଜିଲ୍ଲା ଔପଦା ବ୍ଳକ ଅଞ୍ଚଳରେ ଆଜି ମଧ୍ୟାହ୍ନରେ ବଜ୍ରାଘାତରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ୨ ଜଣ ହେଲେ ତଳକିଆ ପଞ୍ଚାୟତ ପ୍ରତାପପୁରର ମିଥୁନ ବୈଠା(୨୮) ଓ ଗଡ଼ସାହି ପଞ୍ଚାୟତ ମଡ଼ିଚୁଆ ଗ୍ରାମର ତୁରୀ ହୋଙ୍କ ପୁଅ ନନ୍ଦକିଶୋର(୧୯)। ବଜ୍ରାଘାତରେ ସେହି ମଡ଼ିଚୁଆର ପଦନ ସିଂ(୨୦) ଗୁରୁତର ହୋଇଛନ୍ତି। ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।