ମାଲକାନଗିରି: ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର, ୬ ନିହତ

ମାଲକାନଗିରି: ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର ହେବାରୁ ପଡ଼ୋଶୀ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ମଙ୍ଗଳବାର ୬ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଧୂରବେଡ଼ା ଜଙ୍ଗଲରେ ମାଓବାଦୀ ଥିବା ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାୟ ଅଧଘଣ୍ଟା ଧରି ଗୁଳିବିନିମୟ ହେବା ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାଇଥିଲେ। ପରେ ପୁଲିସ ପକ୍ଷରୁ ୬ଜଣଙ୍କ ମାଓବାଦୀଙ୍କର ମୃତ ଦେହ ଜବତ କରାଯାଇଛିି ବୋଲି ନାରାୟଣପୁର ଏସ୍‌ପି ସନ୍ତୋଷ ସିଂହ ସୂଚନା ଦେଇଛନ୍ତି। ଘଟଣାସ୍ଥଳରୁ ୯ଟି ବନ୍ଧୁକ ଓ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ମୃତଦେହ ଗୁଡ଼ିକୁ ନାରୟାଣପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟକୁ ଅଣାଯାଇଛି। ପୁଲିସ ଶବଗୁଡ଼ିକୁ ଚିହ୍ନିବା ପାଇଁ ଉଦ୍ୟମ କରିବା ସହିତ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ସୋମବାର ମଧ୍ୟ ଛତିଶଗଡ଼ରେ ୭ଜଣ ନକ୍ସଲ ଗିରଫ ହୋଇଛନ୍ତି। ସୁକମା ଜିଲ୍ଲା ପୋଲିସ ୬ ଜଣ ନକ୍ସଲକୁ ଗିରଫ କରିଥିବା ବେଳେ ନାରାୟଣପୁର ଜିଲ୍ଲାରୁ ଜଣେ ନକ୍ସଲଙ୍କୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ସୁକମା ଜିଲ୍ଲା ପୋଲିସ,ସିଆରପିଏଫ,ଏସଟିଏଫ,କୋବ୍ରା ଯବାନ ମିଳିତ ଭାବେ ଚିନ୍ତାଗୁମ୍ଫା,ଦୋରନାପାଲ ଏବଂ ଫୁଲବଗଡି ଅଂଚଳରେ ସର୍ଚ ଅପରେସନ୍‌ ଚଳାଇଥିବା ବେଳେ ଏହି ୬ ଜଣ ନକ୍ସଲକୁ ଗିରଫ କରାଯାଇଥିଲା। ଗିରଫ ହୋଇଥିବା ନକ୍ସଲମାନେ ହେଲେ ଡିକେଏମଏସ ସଦସ୍ୟ ପଡିଆମି ଜଗା,ମାଡବୀ ଦେବା,ମାଡକାମ ମୁୟା,ବଞ୍ଜାମ ନନ୍ଦା,ମାଡବି ଲଖା ଏବଂ ମାଡବି ଗଂଗା।ଏମାନେ ଚିନ୍ତାଗୁମ୍ଫା,ଦୋରନାପାଲ ଏବଂ ଫୁଲବଗଡି ଅଂଚଳରେ ବହୁ ହିଂସା ଘଟାଇଥିବା ପୋଲିସ କହିଛି। ରାସ୍ତା ଖୋଳିବା,ସୋଲାର ପ୍ଲେଟରେ ନିଆଁ ଲଗାଇବା,ପୋଲିସ ଉପରେ ଆକ୍ରମଣ କରିବା ଏବଂ ବୋମା ଖଂଜିବା ଭଳି ବହୁ କାଣ୍ଡ ଘଟାଇଥିବା ଜଣାପଡିଛି। ଏମାନଙ୍କୁ ଜେରା କରାଯିବା ପରେ ଆଜି କୋର୍ଟ ଚାଲାଣ କରାଯାଇଛି।

ସେହିପରି ନାରାୟଣପୁର ଏସପି ସଂତୋଷ ସିଂଙ୍କ କହିବା ଅନୁଯାୟୀ ଝରାଘାଟି ଅଂଚଳରେ କମ୍ବିଂ କରାଯାଉଥିବା ବେଳେ ଜନତାନା ସରକାରର ସଦସ୍ୟ ସୋମନାଥ ସଲାମ ନାମକ ନକ୍ସଲକୁ ଧରିବାରେ ପୋଲିସ ସଫଳତା ପାଇଥିଲା। ଗିରଫ ନକ୍ସଲ ନିକଟରୁ ଗୋଟିଏ ବନ୍ଧୁକ ସହ୧୦ କିଲୋର ଏକ ଟିଫିନ ବୋମା,୪ଟି ଡିଟୋନେଟର,୫୦ ମିଟର ବିଦ୍ୟୁତ ତାର ସମେତ ବହୁ ନକ୍ସଲ ସାମଗ୍ରୀ ଜବତ କରାଯାଇଛି।

 

ସମ୍ବନ୍ଧିତ ଖବର