ପୁଣି ଗଡ଼ିଲା ଇଂଜିନ ବିହୀନ ରେଳ, ଏଥର ବାଲେଶ୍ୱରରେ

ଭୁବନେଶ୍ୱର: କିଛିଦିନ ତଳେ ସାରା ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡଠାରେ ବିନା ଇଂଜିନରେ ଟ୍ରେନ ୧୩ କିଲୋମିଟର ଗଡ଼ିବା ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏହାକୁ ରେଳ ମନ୍ତ୍ରାଳୟ ମଧ୍ୟ ବେଶ ଗୁରୁତ୍ୱର ସହ ନେଇଥିଲା । ଏପରି ଘଟଣାକୁ ଏଡେଇବାକୁ ଖୋଦ ରେଳମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏତେ ସବୁ ଘଟିବା ପରେ ମଧ୍ୟ ରେଳବାଇ କିଛି ଶିଖିଲା ପରି ଲାଗୁ ନାହିଁ । କାରଣ ପୁଣି ସମାନ ଏକ ଘଟଣା ଓଡ଼ିଶାରେ ଘଟିଛି ।

ମିଳିଥିବା ସୂଚନାରୁ ପ୍ରକାଶ ଯେ ଗତକାଲି ରାତିରେ ଧାମରାରୁ କୋଇଲା ବୋଝେଇ ଏକ ମାଲଗାଡ଼ି ଜାମସେଦପୁର ଯାଉଥିଲା । ବାଲେଶ୍ୱର ଜିଲ୍ଲା କଣ୍ଟାପଡ଼ା ରୁ ବାହାନଗା ଷ୍ଟେସନ ମଧ୍ୟରେ ଏହି ମାଲଗାଡିର ପଛ ୬ଟି ଓ୍ଵାଗନ ମୂଳ ଟ୍ରେନଠାରୁ ଅଲଗା ହୋଇଯାଇଥିଲା । ବିନା ଇଂଜିନରେ ଏହି ୬ଟି ଓ୍ଵାଗନ ପ୍ରାୟ ୨ କିଲୋମିଟର ଗଡ଼ିଯାଇଥିଲା । ତେବେ ରେଲବାଇ ଅଧିକାରୀମାନେ ତୁରନ୍ତ ଜରୁରୀ ପଦକ୍ଷେପ ନେଇ ଏହି ୬ଟି ଓ୍ଵାଗନକୁ ଅଟକାଇବାରେ ସକ୍ଷମ ହୋଇଥିଲେ । ଏହି ୬ଟି ଓ୍ଵାଗନକୁ ଆଣିବା ପାଇଁ ବାହାନଗା ଷ୍ଟେସନରୁ ଏକ ଇଂଜିନ ଯାଇ ସେଗୁଡ଼ିକୁ ଫେରାଇ ଆଣିଥିଲା । ଏହା ଫଳରେ ଦୀର୍ଘ୨ ଘଣ୍ଟା ପାଇଁ ଏହି ଲାଇନରେ ରେଳ ଚଳାଚଳ ବ୍ୟାହତ ହୋଇଥିଲା ।

ସମ୍ବନ୍ଧିତ ଖବର