ଏନ୍‌ଆଇଆରଏଫ୍‌ରେ ସରକାରୀ ଶିକ୍ଷାନୁଷ୍ଠାନର ନୈରାଶ୍ୟ ପ୍ରଦର୍ଶନ ପ୍ରସଙ୍ଗ : ବିପିୟୁଟି ସମେତ ୭ କଲେଜକୁ ରିପୋର୍ଟ ତଲବ

୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ, ଶୋଇଛି ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ରୢାଙ୍କିଙ୍ଗ୍‌ ଫ୍ରେମ୍‌ୱାର୍କ(ଏନ୍‌ଆଇଆରଏଫ୍‌)ରେ ଓଡ଼ିଶାର ସରକାରୀ ଶିକ୍ଷାନୁଷ୍ଠାନର ଦୟନୀୟ ଚିତ୍ର ପଦାକୁ ଆସିଥିଲା। କୌଣସି ଗୋଟିଏ ହେଲେ ବି ସରକାରୀ ଶିକ୍ଷାନୁଷ୍ଠାନ ୯ଟି ବିଭାଗର ଶ୍ରେଷ୍ଠ ଶହେ ଭିତରକୁ ଆସି ପାରି ନଥିଲେ। ଏହାକୁ ନେଇ ବିଭିନ୍ନ ଆଡ଼ୁ ସମାଲୋଚନା ଶିକାର ହେବା ପରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଭିଏସ୍‌ଏସ୍‌ୟୁଟି ବୁର୍ଲା ବ୍ୟତୀତ ଆଉ କୌଣସି ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ତାଲିକାରେ ସ୍ଥାନ ପାଇ ନାହାନ୍ତି। ତେଣୁ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି)ସମେତ ୭ଟି ସରକାରୀ ବୈଷୟିକ କଲେଜଠାରୁ ‌ରିପୋର୍ଟ ତଲବ କରାଯାଇଛି। ୭ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ବିଭାଗର ଯୁଗ୍ମ ସଚିବ ଅଜୟ କୁମାର ନାୟକ ଚିଠି ଲେଖିଛନ୍ତି।

ଶ୍ରୀ ନାୟକ କହିଛନ୍ତି ଯେ ଏନ୍‌ଆଇଆରଏଫ୍‌ ରୢାଙ୍କିଙ୍ଗ୍‌ ପାଇଁ ବହୁ ଆଗରୁ ପ୍ରସ୍ତୁତ ହେବାକୁ କୁହାଯାଇଥିଲା। ୨୦୧୮ ଜୁନ୍‌ ୧୩ରେ ବିଭାଗ ପକ୍ଷରୁ ଚିଠି ଲେଖାଯାଇ ସମୟ ଅନୁଯାୟୀ ପ୍ରସ୍ତୁତ ହେବାକୁ ନିର୍ଦେଶ ଦିଆଯାଇଥିଲା। ତେବେ ବିଭାଗ ଅଧୀନରେ କୌଣସି ବି କଲେଜ କିମ୍ବା ବିଶ୍ବବିଦ୍ୟାଳୟ ଏହାର ଜବାବ ଦେଲେ ନାହିଁ। ପ୍ରସ୍ତୁତ ବି ହେଲେନି। ଫଳରେ ଭିଏସ୍‌ଏସ୍‌ୟୁଟି ବ୍ୟତୀତ ଆଉ କୌଣସି ବି ବୈଷୟିକ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଭାଗ ନେଲେ ନାହିଁ। ‌କେଉଁ କାରଣ ଲାଗି ଶିକ୍ଷାନୁଷ୍ଠାନ ଭାଗନେଲେ ନାହିଁ ତାହାର ରିପୋର୍ଟ ୭ ଦିନ ମଧ୍ୟରେ ବିଭାଗ ନିକଟରେ ଦାଖଲ କରିବାକୁ କୁହାଯାଇଛି। ବିପିୟୁଟି କୁଳପତିଙ୍କ ସମେତ ଆଇଜିଆଇଟି ସରାଙ୍ଗ, ଭୁବନେଶ୍ବରସ୍ଥିତ ସିଇଟି, ବ୍ରହ୍ମପୁରସ୍ଥିତ ପିଏମ୍‌ଇସି, କଳାହାଣ୍ଡି ଓ କେନ୍ଦୁଝରସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜ, କଟକସ୍ଥିତ ଆଇଏମ୍‌ଆଇଟି, ଭୁବନେଶ୍ବରସ୍ଥିତ ସିଆଇଏମ୍‌ଇ କଲେଜ ନିର୍ଦେଶକଙ୍କଠାରୁ ରିପୋର୍ଟ ମଗାଯାଇଛି। ବିଭାଗର ଏଭଳି ନିଷ୍ପତ୍ତିକୁ ଅଲ୍‌ ଓଡ଼ିଶା ଟେକ୍ନିକାଲ ଆଣ୍ଡ ପ୍ରଫେସନାଲ ଷ୍ଟୁଡେଣ୍ଟ ଆସୋସିଏସନ ଆବାହକ ବିପ୍ଳବ ପ୍ରକାଶ ମହାନ୍ତି ସ୍ବାଗତ କରିଛନ୍ତି। ‌ସେ କହିଛନ୍ତି ଗତ ୧୦ ତାରିଖରେ ଏନେଇ ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଥିଲା। ବିପିୟୁଟି ସମେତ ୭ଟି ସରକାରୀ ବୈଷୟିକ ମହାବିଦ୍ୟାଳୟ ଥିଲେ ମଧ୍ୟ କାହିଁକି ଆବେଦନ କଲେ ନାହିଁ? ନା ଭିତ୍ତିଭୂମି ଅଭାବରୁ ରୢାଙ୍କ ଭିତରକୁ ଆସି‌ପାରିଲେ ନାହିଁ ତାହାର ଜବାବ ମାଗିବାକୁ ଦାବି କରାଯାଇଥିଲା। ଫଳସ୍ବରୂପ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ଆସନ୍ତାବର୍ଷ ରୢାଙ୍କ ପ୍ରକାଶ ପାଇଲା ବେଳକୁ ଶିକ୍ଷାନୁଷ୍ଠାନଗୁଡ଼ିକ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ବୈଷୟିକ ଶିକ୍ଷା ବିଭାଗ ଜବାବ ମାଗିଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ କିନ୍ତୁ ଚୁପ୍‌ ବସିଛି। ଏଦିଗରେ କୌଣସି ଗୋଟିଏ ବି ହେଲେ ଶିକ୍ଷାନୁଷ୍ଠାନକୁ ଏପର୍ଯ୍ୟନ୍ତ କାରଣ ଦର୍ଶାଅ ନୋଟିସ୍‌ ଜାରି କରି ନାହିଁ।

ସମ୍ବନ୍ଧିତ ଖବର