ବିଜୁଳି ଓ ଘଡ଼ଘଡ଼ି ସାଜୁଛି କାଳ : ୩ ବର୍ଷରେ ମଲେଣି ୧୨୫୬

ମେ’ ମାସ ପୂର୍ବରୁ ଆସିବ ମୋବାଇଲ୍‌ ଆପ୍‌, ବିଜୁଳି ସୂଚନା ଦେବ ସାଇକ୍ଲୋନ୍‌ ଟାୱାର

ଭୁବନେଶ୍ବର : ପ୍ରାକୃତିକ ବିପର୍ଯ୍ୟୟରେ ବିଜୁଳି ଓ ଘଡ଼ଘଡ଼ି ଏବେ ଅଧିକ ସମ୍ବେଦନଶୀଳ ହୋଇପଡ଼ିଛି। ଏହି କାରଣ ପାଇଁ ପ୍ରତିବର୍ଷ ୪୦୦ରୁ ଅଧିକ ଜୀବନ ଯାଉଛି। ଗତ ୩ ବର୍ଷର ତଥ୍ୟକୁ ଦେଖିଲେ ପ୍ରାକୃତିକ ବିପର୍ଯ୍ୟୟରେ ୪ ହଜାର ୬୮୯ ଜଣଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ୧୨୫୬ ଅର୍ଥାତ୍‌ ୨୭ ପ୍ରତିଶତ ମୃତ୍ୟୁ କେବଳ ବିଜୁଳି ଓ ଘଡ଼ଘଡ଼ି ଯୋଗୁଁ ହୋଇଥିବା ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି) ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।

ଏସ୍‌ଆରସି ଶ୍ରୀ ସେଠୀଙ୍କ ସୂଚନା ଅନୁଯାୟୀ, ଉତ୍ତର ଓ ଉପକୂଳ ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ଏବେ ସବୁଠାରୁ ଅଧିକ ବିପଦ ସୃଷ୍ଟି କରିଛି। ୨୦୧୬ ଜାନୁଆରିରୁ ୨୦୧୮ ଡିସେମ୍ବର ମଧ୍ୟରେ ମୟୂରଭଞ୍ଜରେ ସର୍ବାଧିକ ଲୋକଙ୍କର ଏହି କାରଣ ପାଇଁ ମୃତ୍ୟୁ ହୋଇଛି। ମୟୂରଭଞ୍ଜରେ ସର୍ବାଧିକ ୧୩୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହା ତଳକୁ ବାଲେଶ୍ବର ରହିଛି। ଏଠାରେ ୯୫ ଜଣଙ୍କ ମୃତ୍ୟୁ ଘଟିଛି। ତୃତୀୟ ସ୍ଥାନରେ ଗଞ୍ଜାମ ଥିବା ବେଳେ କେନ୍ଦୁଝର, କଟକ, ସୁନ୍ଦରଗଡ଼, ଭଦ୍ରକ, ନବରଙ୍ଗପୁର, ଅନୁଗୁଳ, ଯାଜପୁର ପ୍ରଭୃତି ଜିଲ୍ଲା ତଳକୁ ରହିଛନ୍ତି। ସୁବର୍ଣ୍ଣପୁର, ମାଲକାନଗିରି, ଗଜପତି, ଝାରସୁଗୁଡ଼ା, ଦେବଗଡ଼କୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ିରେ ଲୋକଙ୍କ ମୃତ୍ୟୁ ହୋଇଛି।

ପ୍ରାକୃତିକ ଦୁର୍ବିପାକରୁ ଲୋକଙ୍କୁ ରକ୍ଷା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୋବାଇଲ୍‌ରେ ଲୋକଙ୍କୁ ସଚେତନ କରିବା ପାଇଁ ଏସ୍‌ଏମ୍‌ଏସ୍‌ ବ୍ୟବସ୍ଥା ହୋଇଛି। ପ୍ରଥମ ପର୍ଯ୍ୟାୟରେ କେବଳ ବିଏସ୍‌ଏନ୍‌ଏଲ୍‌ ସହ ମିଶି ପଦକ୍ଷେପ ନିଆଯାଇଛି। ପରବର୍ତୀ ସମୟରେ ସମସ୍ତ ନେଟଵାର୍କ କମ୍ପାନି ସହ ଯୋଡ଼ି ହୋଇ ଲୋକଙ୍କୁ ସୂଚନା ଦିଆଯିବ। ଏଥିସହ ରାଜ୍ୟର ୬ଟି ସ୍ଥାନରେ ଲାଇଟ୍‌ନିଙ୍ଗ ସେନ୍‌ସର ଲଗାଯାଇଛି। ବିଜୁଳି ଓ ଘଡ଼ଘଡ଼ି ମାରିବାର ୩୦ରୁ ୪୫ ମିନିଟ୍‌ ମଧ୍ୟରେ ଲୋକଙ୍କୁ ସୂଚନା ଦିଆଯାଉଛି। ଏହାକୁ ଅଧିକ ବ୍ୟାପକ କରିବା ପାଇଁ ଆଉ ୭ଟି ସ୍ଥାନରେ ସେନ୍‌ସର‌୍‌ ଲଗାଇବାକୁ ନିଷ୍ପତ୍ତି ହୋଇଛି। ସ୍ମାର୍ଟ ଫୋନ୍‌ ବ୍ୟବହାରକାରୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ସୂଚନା ଦେବା ପାଇଁ ଏକ ମୋବାଇଲ୍‌ ଆପ୍‌ ପ୍ରସ୍ତୁତ କରାଯାଉଛି। ଆସନ୍ତା ଦୁଇରୁ ତିନି ମାସ ମଧ୍ୟରେ ଏହା ଚୂଡ଼ାନ୍ତ ହେବ। ମେ’ ମାସଠାରୁ ଓଡ଼ିଶାରେ ବର୍ଷା, ଲାଇଟ୍‌ନିଙ୍ଗ, ବାତ୍ୟା, ବନ୍ୟା ପରି ପ୍ରାକୃତିକ ଦୁର୍ବିପାକ ଆରମ୍ଭ ହୋଇଥାଏ। ତାହାକୁ ନଜରରେ ରଖି ପଦକ୍ଷେପ ନିଆଯାଉଛି। ପୂର୍ବରୁ ତାମିଲନାଡ଼ୁ ରାଜ୍ୟରେ ଏଭଳି ଏକ ଆପ୍‌ ପ୍ରସ୍ତୁତ ହୋଇଥିବା ଶ୍ରୀ ସେଠୀ ସୂଚନା ଦେଇଛନ୍ତି।

ଯେଉଁ ପଞ୍ଚାୟତ ଅଧିକ ଲାଇଟ୍‌ନିଙ୍ଗ ହେଉଛି ସେଠାରେ ଆଉଟ୍‌ଡୋର୍‌ ଆଲର୍ଟିଂ ସିଷ୍ଟମ୍‌ର ବିକାଶ କରାଯାଉଛି। ଫଳରେ ଲାଇଟ୍‌ନିଙ୍ଗ ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଇରନ୍‌ ବାଜିବ। ଉପକୂଳ ଓଡ଼ିଶାର ୧୨୨ଟି ସ୍ଥାନରେ ସାଇକ୍ଲୋନ୍‌ ଟାଵାର ବସାଯାଇଛି। ଏବେ ସେଥିରେ ବାତ୍ୟା ସମ୍ପର୍କରେ ଆଗୁଆ ସୂଚନା ମିଳିପାରୁଛି। ଆଗକୁ ସେଥିରେ ଲାଇଟ୍‌ନିଙ୍ଗ ବ୍ୟବସ୍ଥାକୁ ସାମିଲ କରିବା ଦିଗରେ ପଦକ୍ଷେପ ନିଆଯିବ। ପାରାଦୀପ ଓ ଗୋପାଳପୁରରେ ଡପଲର‌୍‌ ରାଡାର କାର୍ଯ୍ୟକ୍ଷମ ହୋଇଛି। ସମ୍ବଲପୁର ଓ ବାଲେଶ୍ବରରେ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନିଆଯାଉଥିବା ଶ୍ରୀ ସେଠୀ ଆଇଟିଇଆର ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସମ୍ବନ୍ଧିତ ଖବର