ଚେତାବନୀ ଦେଇ ଫେରିଲେ ବସ୍ତିବାସିନ୍ଦା

ଭୁବନେଶ୍ୱର : ‘ଜାଗା’ ଯୋଜନାରେ ସାମିଲ ହେବା ପାଇଁ ସମସ୍ତ ମହାନଗର ନିଗମ ଅଞ୍ଚଳ ବସ୍ତିବାସିନ୍ଦା ଦୁଇଦିନିଆ ବିକ୍ଷୋଭ ପରେ ସରକାରଙ୍କୁ ଆନ୍ଦୋଳନ ଚେତାବନୀ ଦେଇ ଆଜି ଫେରି ଯାଇଛନ୍ତି। ୬ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରି ବିକ୍ଷୋଭରୁ ଓହରିଛନ୍ତି। ୫ଟି ମହାନଗର ନିଗମ ବସ୍ତିବାସିନ୍ଦାଙ୍କୁ ନେଇ ଗଠିତ ଓଡ଼ିଶା ବସ୍ତି ସଂଘର୍ଷ ସମିତିର ହଜାର ହଜାର ସଦସ୍ୟ ମଙ୍ଗଳବାର ଶୋଭାଯାତ୍ରାରେ ଲୋୟର ପିଏମ୍‌ଜିରେ ପହଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜାଗା ନାହିଁ ତ’ ଭୋଟ୍‌ ନାହିଁ ସ୍ଳୋଗାନ୍‌ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନାଗରିକ ମଞ୍ଚର ଆବାହକ ଚିତ୍ତରଞ୍ଜନ ମହାନ୍ତି, ପ୍ରଶାନ୍ତ ଦାସ, ବାମପନ୍ଥୀ ନେତା ବିଶ୍ବାବସୁ ଦାସ, ଶ୍ରମିକ ନେତା ରାଜକିଶୋର ମଲ୍ଲିକ, ବ୍ୟାଙ୍କ୍‌ ନେତା ପୂର୍ଣ୍ଣଚନ୍ଦ୍ର ବେହେରା, ଛାତ୍ର ନେତା ସୁବାସ ନାଏକ, ବସ୍ତି ନେତା ଦୀପକ ଦାସ, ପାଭେଲ ପ୍ରିୟଦର୍ଶନ, ସସ୍ମିତା ମହାନ୍ତି, ସୁକାନ୍ତ ନାୟକ, ଭାନୁମତୀ ମଲ୍ଲିକ, ଏସ୍‌. ନରସମା, ପ୍ରଫୁଳ୍ଲ ଦାସ, ମୁନା ଦାସ, ସୋରଡ଼ା ଆମ୍ମା, ବିପ୍ର ଦାସ ପ୍ରମୁଖ ନେତୃତ୍ବ ନେଇଥିଲେ। ମହାନଗର ନିଗମ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ କରିବା ସହ ଉଚ୍ଛେଦ ହୋଇ ରାସ୍ତାକଡ଼ରେ ରହୁଥିବା ଜୟ ମା’ ମଙ୍ଗଳା ବସ୍ତିର ଥଇଥାନ ସହ ଝାଡ଼ୁ ବସ୍ତି ଥଇଥାନ ପ୍ରଭୃତି ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର