ରାଉରକେଲାର ଆଶା କେତେ?

ବିଶ୍ୱ ବ୍ୟାଙ୍କ ପ୍ରୋତ୍ସାହନ ପାଇଁ ସ୍ମାର୍ଟ ସିଟି ପ୍ରତିଯୋଗିତା

ରାଉରକେଲା : କାର୍ଯ୍ୟ ସମ୍ପାଦନର ଅଗ୍ରଗତି ଓ ସଫଳତାକୁ ବିଚାର କରି ବିଶ୍ୱ ବ୍ୟାଙ୍କ ଦେଶର ୬୦ଟି ସ୍ମାର୍ଟ ସିଟିକୁ ୫୦ କୋଟି ଡଲାର ( ପ୍ରାୟ ୩୨୦୦ କୋଟି ଟଙ୍କା) ଆର୍ଥିକ ପ୍ରୋତ୍ସାହନ ଦେବ। ସେଥିରେ କାର୍ଯ୍ୟ ସମ୍ପାଦନ ଭିତ୍ତିକ ପ୍ରୋତ୍ସାହନ ୪୮ କୋଟି ଡଲାର ଥିବା ବେଳେ ଅବଶିଷ୍ଟ ୨ କୋଟି ଡଲାର୍‌ ଚାହିଦା ଭିତ୍ତିକ ଦକ୍ଷତା ବିକାଶ ନିମନ୍ତେ ଉଦ୍ଧିଷ୍ଟ। ଉଲ୍ଲେଖଯୋଗ୍ୟ, ଅନ୍ୟାନ୍ୟ ସ୍ମାର୍ଟ ସିଟି ଭଳି ରାଉରକେଲା ଉଭୟ କେନ୍ଦ୍ରୀୟ ଅନୁଦାନ ଓ ରାଜ୍ୟ ଅଂଶ ବାବଦରେ ବାର୍ଷିକ ୫୦୦ କୋଟି ଟଙ୍କାରୁ ଅଧିକ ପାର୍ଠି ପାଇବ। ପାଞ୍ଚ ବର୍ଷରେ ଏବାବଦରେ ୨୫୭୧ କୋଟି ଟଙ୍କା ମିଳିବାକୁ ଥିବା ବେଳେ ବିଶ୍ୱ ବ୍ୟାଙ୍କର ପ୍ରୋତ୍ସାହନ ପ୍ରତିଯୋଗିତାରେ ଅତିରିକ୍ତ ପାଣ୍ଠି ମିଳିବା ସମ୍ଭାବନା ଅଛି। ଭାରତୀୟ ସ୍ମାର୍ଟ ସିଟି କାର୍ଯ୍ୟକ୍ରମ (ଆଇଏସ୍‌ସିପି) ନାମରେ ହେବାକୁ ଥିବା ଏହି ପ୍ରତିଯୋଗିତା ଲାଗି ଆଜିଠାରୁ ଅନ୍‌ ଲାଇନ୍‌ ଆବେଦନ ଆରମ୍ଭ ହୋଇଛି। ଆସନ୍ତା ୨୬ ତାରିଖରେ ତାହା ଶେଷ ହେବ। ଏହା ପରେ ଆବେଦନଗୁଡ଼ିକୁ ତିନିଟି ପର୍ଯ୍ୟାୟରେ ବିଚାର କରାଯାଇ ଯୋଗ୍ୟ ସ୍ମାର୍ଟ ସିଟିଗୁଡ଼ିକର ସ୍ପେଶାଲ ପର୍ପସ୍‌ ଭେହିକିଲ୍‌ (ଏସ୍‌ପିଭି)କୁ ସ୍ୱଳ୍ପ ତାଲିକା (ସର୍ଟ ଲିଷ୍ଟ) ଚୂଡ଼ାନ୍ତ କରାଯିବ। ସେଥିରେ କାର୍ଯ୍ୟକ୍ରମ ପ୍ରତି ଜନସାଧାରଣଙ୍କ ପହଞ୍ଚ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ସ୍ୱଳ୍ପ ତାଲିକାରେ ରହିବା ପାଇଁ ଏହା ବୈଧାନିକ ବାଧ୍ୟତା। ତେବେ ଅତିରିକ୍ତ ଆର୍ଥିକ ପ୍ରୋତ୍ସାହନ ପାଇବାକୁ ଉଦ୍ଦିଷ୍ଟ ଏହି ପ୍ରତିଯୋଗିତାରେ ରାଉରକେଲା ସ୍ମାର୍ଟ ସିଟି କେତେ ସଫଳ ହେବ, ଏ ପ୍ରଶ୍ନ ସଚେତନ ସହରବାସୀଙ୍କ ମନରେ ଉଙ୍କି ମାରିଛି।

ଏହି ମହଲର ତର୍ଜମା ଅନୁଯାୟୀ ଦୀର୍ଘ ୧୫ ମାସ ପୂର୍ବରୁ ରାଉରକେଲା ସ୍ମାର୍ଟ ସିଟି ତାଲିକାଭୁକ୍ତ ହୋଇଥିଲେ ହେଁ, ୩୪୦ କୋଟି ୨୦ ଲକ୍ଷ ଟଙ୍କାର ସ୍ୱିରେଜ୍‌ ପ୍ରକଳ୍ପ କାମ ୧୦% ସମ୍ପୂର୍ଣ୍ଣ ହୋଇପାରି ନାହିଁ। ବେଦବ୍ୟାସରେ ୯ କୋଟି ଟଙ୍କାର ଗ୍ୟାସ୍‌ ଚାଳିତ ଶ୍ମଶାନକୁ ବାଦ ଦେଲେ ଗୋଟିଏ ହେଲେ କଠିନ ବର୍ଜ୍ୟ ଉପଚାର ପ୍ରକଳ୍ପ କାମ ଅଦ୍ୟାବଧି ଆରମ୍ଭ ହୋଇନାହିଁ। ସହରର ମୁଖ୍ୟ ପାନୀୟ ଜଳ ଉତ୍ସ ବ୍ରାହ୍ମଣୀ ଓ କୋଏଲ ନଦୀରେ ତିନିଟି ପ୍ରମୁଖ ନାଳ ଦେଇ ତରଳ ବର୍ଜ୍ୟ ସିଧାସଳଖ ମିଶୁଥିବା ବେଳେ ଏହାର ନିରାକରଣ ପାଇଁ ଅତି କମ୍‌ରେ ୩ଟି ତରଳ ବର୍ଜ୍ୟ ଉପଚାର ପ୍ଲାଣ୍ଟ ଜରୁରୀ। ବାଲୁଘାଟରେ ଆରମ୍ଭ ହୋଇଥିବା ଏକ ମାତ୍ର ଉପଚାର ପ୍ଲାଣ୍ଟ କାମ ଅର୍ଦ୍ଧନିର୍ମିତ ପାଚେରୀରେ ସୀମିତ ଥିବା ବେଳେ ଆର୍‌ଏସ୍‌ପି ଜମି ହସ୍ତାନ୍ତର ହୋଇନଥିବାରୁ ପ୍ରସ୍ତାବିତ କୋଏଲ୍‌ ନଗର ପ୍ଲାଣ୍ଟ କେବେ ହେବ, ତାହା ଅନିଶ୍ଚିତ। ସେହିପରି ତୃତୀୟ ପ୍ଳାଣ୍ଟ ନିର୍ମାଣ ସକାଶେ କର୍ତ୍ତୃପକ୍ଷ ସ୍ଥାନ ନିରୂପଣ କରିପାରି ନାହାନ୍ତି। ରାଉରକେଲା ମ୍ୟୁନିସିପାଲିଟିରେ ୬୭୭ଟି ମଞ୍ଜରୀପ୍ରାପ୍ତ ପଦ ଥିବା ବେଳେ ମହାନଗର ନିଗମ ଘୋଷଣା ପରେ ଆଉ ୧୦୮ଟି ଅତିରିକ୍ତ ପଦ ପାଇଁ ମଞ୍ଜୁରୀ ମିଳିଥିଲା। ପରିତାପର ବିଷୟ ଏହି ଯେ ଅତିରିକ୍ତ ପଦ ମଧ୍ୟରୁ ମାତ୍ର ୨୮ଟି ପଦ ଡେପୁଟେସନ୍‌ ଜରିଆରେ ପୂରଣ କରାଯାଇଛି। ମୋଟାମୋଟି ଭାବେ ୫୯୧ଟି ସଫେଇ କର୍ମଚାରୀ, ୧୭ରୁ ଅଧିକ କନିଷ୍ଠ ଯନ୍ତ୍ରୀ, ୪ଟି ଉପ କମିସନର୍‌ ପଦ ସମେତ ପାଖାପାଖି ୭୦୦ ପଦ ଖାଲିପଡ଼ିଛି। ତେଣୁ ପରିମଳଠାରୁ ଆରମ୍ଭ କରି ଭିତ୍ତିଭୂମି ମରାମତି ଓ ରକ୍ଷଣାବେକ୍ଷଣ କେମିତି ଚାଲିଥିବ, ତାହା ଅନୁମାନ କରାଯାଇପାରେ। ଏଭଳି ସ୍ଥିତିରେ ରାଉରକେଲା ସ୍ମାର୍ଟ ସିଟି ଯେ ପ୍ରତିଯୋଗିତା ପାଇଁ ଧାର୍ଯ୍ୟ ମାପକାଠି ଅତିକ୍ରମ କରିବା ସମ୍ଭାବନା କ୍ଷୀଣ, ସେଥିରେ ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର