ସ୍ମିତାରାଣୀଙ୍କୁ ହତ୍ୟା କରାଯାଇଛି, ପୁଲିସ ମୋ ପତ୍ନୀଙ୍କ ଚରିତ୍ର ସଂହାର କରିଛି
ଭୁବନେଶ୍ବର: ‘ଯାଜପୁର ଜିଲ୍ଲା ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟମୟ ମୃତ୍ୟୁ ଘଟଣାରେ ଆଉ ଏକ ସାଂଘାତିକ ଅଭିଯୋଗ ଆସିଛି ସରପଞ୍ଚ ମୁଧୁସ୍ମିତା ଭଦ୍ର ଓ ତାଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ବିରୋଧରେ। ବିଭିନ୍ନ ସମୟରେ ଉଭୟ ସରପଞ୍ଚ ଓ ତାଙ୍କ ସ୍ବାମୀ ବେଆଇନ କାମ କରିବାକୁ ସ୍ମିତାରାଣୀଙ୍କୁ ବାଧ୍ୟ କରୁଥିଲେ। ବେଆଇନ ଭାବେ ବାର୍ଧକ ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସିକ ଯୋଜନା କାମ ପାଇଁ ଚାପ ପକାଉଥିଲେ। ଏହାକୁ ନେଇ ସ୍ମିତାରାଣୀ ମାନସିକ ଚାପରେ ରହୁଥିଲେ। କେବଳ ସେତିକି ନୁହେଁ, ସ୍ମିତରାଣୀଙ୍କୁ ହତ୍ୟା କରାଯାଇଛି। ପ୍ରମାଣ ନଷ୍ଟ କରିବାକୁ ଆତ୍ମହତ୍ୟାର ରୂପ ଦିଆଯାଇଛି। କାରଣ ପୁଲିସ ଠିକ ଢ଼ଙ୍ଗରେ ତଦନ୍ତ କରି ନାହିଁ। ପୁଲିସ ରୂପେଶଙ୍କ ଚାପରେ ତଦନ୍ତକୁ ଏପଟସେପଟ କରିଛି।’ ଆଜି ସ୍ମିତାରାଣୀଙ୍କ ପତି ସୁଶୀଲ ବିଶ୍ବାଳ ଏଭଳି ଏକ ଅଭିଯୋଗପତ୍ର ରାଜ୍ୟ ମାନବାଧିକାର କମିସନ୍ ଓ ମହିଳା କମିସନ୍ଙ୍କୁ ଭେଟି ପ୍ରଦାନ କରିଛନ୍ତି। ଉଭୟ କମିସନ୍ ତାଙ୍କ ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।
ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସୁଶୀଲ କହିଛନ୍ତି, ସେହି ପଞ୍ଚାୟତରେ ଅନେକ ସାଂଘାତିକ ଦୁର୍ନୀତି ହୋଇଛି। ଯେଉଁଥିରେ ସିଧାସଳଖ ସରପଞ୍ଚ ମୁଧୁସ୍ମିତା ଭଦ୍ର ଓ ତାଙ୍କ ସ୍ୱାମୀ ରୂପେଶ ଭଦ୍ର ସଂପୃକ୍ତ ଅଛନ୍ତି। ଦୁହେଁ ବେଆଇନ କାମ କରିବାକୁ ପତ୍ନୀ ସ୍ମିତାରାଣୀଙ୍କୁ ବାଧ୍ୟ କରୁଥିଲେ। କିନ୍ତୁ ସ୍ମିତାରାଣୀ ଜଣେ ସିଧାସାଧା ଓ ସଚ୍ଚୋଟ ଝିଅ ହୋଇଥିବାରୁ ସେ ଏହାର ପ୍ରତିବାଦ କରିବା ଆରମ୍ଭ କରିଥିଲେ। ସ୍ମିତାରାଣୀ ମଧ୍ୟ ବିଭିନ୍ନ ସମୟରେ କହୁଥିଲେ ସେ ମାନସିକ ଚାପରେ ଅଛନ୍ତି। ତେଣୁ ରାଜ୍ୟ ସରକାର ସେହି ପଞ୍ଚାୟତରେ ହୋଇଥିବା ସମସ୍ତ କାମର ତଦନ୍ତ କଲେ ସବୁ ସତ ପଦାକୁ ଆସି ପାରିବ। ମୋ ପତ୍ନୀଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି। ଘଟଣା ଦିନ ତାଙ୍କୁ ଗେଷ୍ଟ ହାଉସକୁ ଡାକି ଚାପ ପକାଇବା ସହ ହତ୍ୟା କରାଯାଇଥାଇପାରେ ବୋଲି ସୁଶୀଲ ସନ୍ଦେହ କରୁଛନ୍ତି। କାରଣ ପୁଲିସ ଠିକ୍ ଭାବେ ତଦନ୍ତ କରୁନି। ସିସିଟିଭି ଫୁଟେଜ ଗାଏବ ହୋଇଯାଇଛି। ଘଟଣା ଦିନ ଗେଷ୍ଟ ହାଉସରେ ଏକାଧିକ ଲୋକ ଥିଲେ। ପୁଲିସ ସେମାନଙ୍କୁ ମଧ୍ୟ ପଚରାଉଚରା କରୁନାହିଁ। ରାଜନୈତିକ ଚାପରେ ପଡ଼ି ପୁଲିସ ଠିକଣା ଢଙ୍ଗରେ ତଦନ୍ତ କରିନାହିଁ। ତେଣୁ ଘଟଣାର ପୁନଃ ତଦନ୍ତ ବା ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ସେ କମିସନ୍ଙ୍କ ନିକଟରେ ଦାବି କରିଥିବା କହିଛନ୍ତି।
ସେହିପରି ପୁଲିସ ତାଙ୍କ ପତ୍ନୀ ସ୍ମିତରାଣୀଙ୍କ ଚିରିତ୍ର ସଂହାର କରିଛି। ତଦନ୍ତ ନ ସରୁଣୁ ଯାଜପୁର ଏସ୍ପି ଗଣମାଧ୍ୟମକୁ କହିଥିଲେ, ସ୍ମିତାରାଣୀଙ୍କର ରୂପେଶ ସହ ସମ୍ପର୍କ ଥିଲା। ମୃତ୍ୟୁ ପରେ ଯେଉଁ ଭାବେ ପୁଲିସ ଏଭଳି ବେପରୁଆ ମନ୍ତବ୍ୟ ଦେଲା, ତାଙ୍କ ପରିବାର ଲୋକଙ୍କୁ ମର୍ମାହତ କରିବା ସହ ମାନବାଧିକାର କ୍ଷୁଣ୍ଣ କରିଛି। ଜଣେ ମହିଳାର ଚରିତ୍ର ସଂହାର କରିବା ଅଧିକାର ପୁଲିସର ନାହିଁ। ସ୍ମିତାରାଣୀଙ୍କ ଚରିତ୍ର ସଂହାର କରିଥିବା ଏସ୍ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କମିସନ୍ଙ୍କ ନିକଟରେ ନିବେଦନ କରିଛନ୍ତି। ସୁଶୀଲଙ୍କ ସହ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଏ ସମ୍ପର୍କରେ ମହିଳା କମିସନ ଅଧ୍ୟକ୍ଷା ମୀନତି ବେହେରା କହିଛନ୍ତି, ଘଟଣା ପରେ ମହିଳା କମିସନଙ୍କ ଏକ ଟିମ୍ ସେହି ଅଞ୍ଚଳକୁ ଯାଇଥିଲା। ପୁଲିସ ସହ ଏ ସମ୍ପର୍କରେ ଆଲୋଚନା ମଧ୍ୟ କରିଥିଲା। ଯେଉଁ ଗେଷ୍ଟ ହାଉସ୍ରେ ଏହି ଘଟଣା ଘଟିଥିଲା, ସେଠାକୁ ମଧ୍ୟ ଆମ ଟିମ୍ ଯାଇଥିଲା। ସ୍ଥାନୀୟ ଲୋକଙ୍କ ସହ କଥାବର୍ତା କରିବା ସହ ସରପଞ୍ଚଙ୍କ ଘରକୁ ଯାଇଥିଲୁ। ସ୍ମିତାରାଣୀଙ୍କ ପରିବାର ଲୋକଙ୍କଠାରୁ ମଧ୍ୟ ତଥ୍ୟ ସଂଗ୍ରହ ହୋଇଛି। କମିସନଙ୍କ ପକ୍ଷରୁ ଯେଉଁ ତଦନ୍ତ ରିପୋର୍ଟ ଆସିବ, ତାକୁ ଆମେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବୁ। ଆବଶ୍ୟକ ପଡ଼ିଲେ, ଆମର ଆଉ ଏକ ଟିମ୍ ପୁଣି ଥରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବ ବୋଲି ଅଧ୍ୟକ୍ଷା କହିଛନ୍ତି।
ଜିଆରଏସ୍ ଓ ପିଇଓ ସ˚ଘର କଲମଛାଡ଼ ଆନ୍ଦୋଳନ
ଧର୍ମଶାଳା: ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁର ବିଚାର ବିଭାଗୀୟ ତଦନ୍ତ ଦାବିରେ ଧର୍ମଶାଳା ବ୍ଲକ୍ ପିଇଓ ଏବଂ ଜଆର୍ଏସ୍ ସ˚ଘ ପକ୍ଷରୁ କଲମ ଛାଡ଼ ଆନ୍ଦୋଳନ କରାଯାଇଛି। ସ୍ମିତାରାଣୀଙ୍କ ଅସ୍ବାଭାବିକ ମୃତ୍ୟୁର ତଦନ୍ତରେ ଅସନ୍ତୋଷ ପ୍ରକାଶ କରିବା ସହ ଦୁଇ ସ˚ଘ ନ୍ୟାୟପାଳିକା ଜରିଆରେ ତଦନ୍ତ କରିବା ପାଇଁ ଦାବି କରିଛନ୍ତି। ସ୍ମିତାରାଣୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଦେବା ପାଇଁ ସ˚ଘ ନେତାମାନେ ଦାବି କରିଛନ୍ତି। ଯାଜପୁର ଏସ୍ପି ଚରଣ ସି˚ ମୀନା ସ୍ମିତାରାଣୀଙ୍କ ସମ୍ପର୍କରେ ଗଣମାଧ୍ୟମରେ ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି ତାହାକୁ ଜିଆରଏସ୍ ଓ ପିଇଓ ସ˚ଘ ପକ୍ଷରୁ ବିରୋଧ କରାଯାଇଛି। ଆସନ୍ତାକାଲି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯିବ ବୋଲି ସ˚ଘ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/sdgsg24sg5674sg8sgs8gs89g4s56dgds56g4sd56g4d56sgsdgsdgsdg.jpg)