ସ୍ନାନବେଦିରୁ ଦର୍ଶନ ଦେଲେ ଚତୁର୍ଦ୍ଧା ମୂର୍ତ୍ତି : ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ, ହାତୀ ବେଶରେ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ, ଆଜିଠାରୁ ଅଣସରରେ ରହିବେ ମହାପ୍ରଭୁ

ପୁରୀ : ଶ୍ରୀମନ୍ଦିର ସ୍ନାନବେଦିରେ ଆଜି ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନବେଦିରୁ ସ୍ନାନବେଦିକୁ ଆସି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଏହି ଉପଲକ୍ଷେ ଆଜି ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ ସାରିବା ପରେ ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଭକ୍ତମାନେ ହାତୀବେଶରେ ଦର୍ଶନ କରିବା ସହ କୋଟି ପୂଣ୍ୟ ଲାଭ କରିଥିଲେ। ଏଥିପାଇଁ ଆଜି ସମଗ୍ର ବଡ଼ଦାଣ୍ଡ ହରିବୋଲ, ହୁଳହୁଳି, ଘଣ୍ଟଘଣ୍ଟାରେ ପ୍ରକମ୍ପିତ ହୋଇ ଉଠିଥିଲା। ଭକ୍ତ ଓ ଭଗବାନ ଏକାକାର ହୋଇ ଯାଇଥିଲେ। ଆଜି ରାତିରେ ବାହୁଡ଼ା ପହଣ୍ଡି ଶେଷ ହେବା ପରେ ମହାପ୍ରଭୁ ଅଣସର ଘରକୁ ବିଜେ କରିଛନ୍ତି। ସବୁଠୁ ବଡ଼ କଥା ହେଲା, ବ୍ୟବସ୍ଥାବଳୀରେ ସାମାନ୍ୟ ଏପଟସେପଟ ହୋଇଥିଲେ ବି ପୂର୍ବ ନିର୍ଦ୍ଧାରିତ ନିର୍ଘଣ୍ଟ ଅନୁସାରେ ଆଜି ମହାପ୍ରଭୁଙ୍କ ସମସ୍ତ ନୀତି ସୁରୁଖୁରୁରେ ସଂପନ୍ନ ହୋଇଛି।

ଆରମ୍ଭରୁ ସାମାନ୍ୟ ବିଳମ୍ବ ହୋଇଥିଲେ ବି ଗୁରୁବାର ପୂର୍ବ ନିର୍ଦ୍ଧାରିତ ନିର୍ଘଣ୍ଟ ଅନୁସାରେ ମହାପ୍ରଭୁଙ୍କ ସମସ୍ତ ନୀତି ଆଗେଇ ଚାଲିଥିଲା। ସକାଳ ପ୍ରାୟ ୬ଟାରେ ମଙ୍ଗଳାର୍ପଣ ନୀତି ସଂପନ୍ନ ହେବା ପରେ ଡୋର ଲାଗି ଓ ପୁଷ୍ପାଞ୍ଜଳି ନୀତି ଅନୁଷ୍ଠିତ ହୋଇଥିଲା। ସକାଳ ୬ଟା ୧୦ ମିନିଟ୍‌ରେ ମହାପ୍ରଭୁଙ୍କ ପହଣ୍ଡି ନୀତି ଆରମ୍ଭ ହୋଇଥିଲା। ଦଇତାପତିମାନେ ରତ୍ନବେଦିରୁ ଧାଡ଼ି ପହଣ୍ଡିରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କୁ ସ୍ନାନବେଦିକୁ ପାଛୋଟି ଆଣିଥିଲେ। ସାତ ପାହାଚରେ ଶ୍ରୀଜିଉଙ୍କ ମସ୍ତକରେ ଟାହିଆ ବନ୍ଧା ନୀତି ସଂପନ୍ନ ପରେ ଚତୁର୍ଦ୍ଧା ମୂର୍ତ୍ତି ଝୁଲି ଝୁଲି ସ୍ନାନବେଦିକୁ ବିଜେ କରିଥିଲେ। ସକାଳ ୮ଟାରେ ସ୍ନାନ ବେଦିରେ ଚତୁର୍ଦ୍ଧା ମୂର୍ତ୍ତି ବିଜେ କରିବା ପରେ ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ଅଧରପୋଛା, ଅବକାଶ, ବେଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା ନୀତି ଶେଷ ହୋଇଥିଲା। ଅପରାହ୍‌ଣ ପ୍ରାୟ ଗୋଟାଏରେ ଜଳବିଜେ ଓ ପୂଜା କାର୍ଯ୍ୟ ପରେ ସ୍ନାନ ନୀତି ଆରମ୍ଭ ହୋଇଥିଲା। ଜଳବିଜେ ପୂର୍ବରୁ ପ୍ରତିହାରୀ ସେବକମାନେ ଟେରାବାନ୍ଧି ସ୍ନାନମଣ୍ଡପକୁ ଶୋଧ କରିଥିଲେ। ଶୋଧ ପରେ ଅପରାହ୍‌ଣ ଗୋଟାଏରୁ ୨ଟା ମଧ୍ୟରେ ଜଳବିଜେ, ଜଳପୂଜା ଓ ଜଳଲାଗି ନୀତି ଅନୁଷ୍ଠିତ ହୋଇଥିଲା। ଉତ୍ତରଦ୍ଵାର ମା ଶୀତଳାଙ୍କ ମନ୍ଦିର ନିକଟ ସୁନା କୂଅରୁ ଗରାବଡ଼ୁମାନେ ଆଣିଥିବା ୧୦୮ ଗରା ଜଳକୁ ଅଧିବାସ କରାଯାଇ ସୁବାସିତ ଜଳରେ ମହାପ୍ରଭୁଙ୍କ ସ୍ନାନ କରାଯାଇଥିଲା। ସ୍ୱତନ୍ତ୍ର ରୁପା ପିଙ୍ଗଣରେ ଶ୍ରୀଜିଉଙ୍କୁ ସ୍ନାନ କରାଯାଇଥିଲା। ସ୍ନାନ ଶେଷ ପରେ ମହାପ୍ରଭୁଙ୍କ ମଇଲମ ଓ ମେକାପ ସର୍ବାଙ୍ଗ ନୀତି ସଂପନ୍ନ ହୋଇଥିଲା। ପରେ ମହାପ୍ରଭୁ ନୂଆଲୁଗା ପିନ୍ଧି ବେଶ ହୋଇଥିଲେ। ଗଜପତି ମହାରାଜ ଦିବ୍ୟସିଂହ ଦେବ ରାଜନଅରରୁ ସ୍ୱତନ୍ତ୍ର ମେହେନାରେ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଅପରାହ୍‌ଣ ସାଢ଼େ ୩ଟାରେ ସୁନା ଝାଡ଼ୁରେ ଛେରାପହଁରା କରିଥିଲେ। ଛେରାପହଁରା ନୀତି ପରେ ହାତୀବେଶ ପାଇଁ ପୂର୍ବରୁ ସୋଲରେ ପ୍ରସ୍ତୁତ ହୋଇ ରହିଥିବା ମୁକୁଟ ଶ୍ରୀଜିଉଙ୍କୁ ପିନ୍ଧା ଯାଇଥିଲା। ଅପରାହ୍‌ଣ ପ୍ରାୟ ୪ଟାରେ ତିନି ଠାକୁର ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ପରେ ମହନ୍ତ ଶାଢ଼ୀବନ୍ଧା, ଘଣ୍ଟଛତା ସକାଳଧୂପ ନୀତି ସଂପନ୍ନ ହୋଇଥିଲା। ସାଢ଼େ ୭ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ, ରାତି ୧୦ଟାରେ ପୁଷ୍ପାଞ୍ଜଳି, ଡୋରଲାଗି ନୀତି ଅନୁଷ୍ଠିତ ହୋଇଥିଲା। ରାତି ସାଢ଼େ ୧୦ଟାରୁ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇଥିଲା। ଚତୁର୍ଦ୍ଧ ମୂର୍ତ୍ତି ଅଣସର ଘରକୁ ଯାଇଥିଲେ। ରାତି ସାଢ଼େ ଗୋଟାଏରେ ବାହୁଡ଼ା ପହଣ୍ଡି ଶେଷ ପରେ ସୁନାଚିତା ଓ ରାହୁରେଖା ମଇଲମ ନୀତି ସଂପନ୍ନ ହୋଇଥିଲା।

ଆଜି ସକାଳେ ବର୍ଷା ଯୋଗୁ ଭକ୍ତଙ୍କ ଭିଡ଼ ସେତେଟା ନଥିଲା। କିନ୍ତୁ ପୂର୍ବାହ୍‌ଣ ସାଢ଼େ ୧୦ଟା ପରେ ବର୍ଷା ଛାଡ଼ିଯିବାରୁ ବଡ଼ଦାଣ୍ଡ ଏକପ୍ରକାର ଜନସମୁଦ୍ର ପାଲଟି ଯାଇଥିଲା। ଯେଉଁଠି ହାତଗଣତି ଭକ୍ତ ବଡ଼ଦାଣ୍ଡରେ ଉପସ୍ଥିତ ଥିଲେ ସେଠି ଚାହୁଁ ଚାହୁଁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଭଜନ, ସଂକୀର୍ତନ ମଧ୍ୟରେ ଭକ୍ତ ଓ ଭଗବାନ ଏକାକାର ହୋଇ ଯାଇଥିଲେ। ଗତକାଲିଠାରୁ ସ୍ୱତନ୍ତ୍ର ଟିକେଟ୍‌ କରିଥିବା ଭକ୍ତମାନେ ଆଜି ସ୍ନାନଯାତ୍ରା ଓ ମହାପ୍ରଭୁଙ୍କୁ ହାତୀବେଶରେ ଦର୍ଶନ କରିଥିଲେ। ସଂଧ୍ୟା ବେଳକୁ ପୂରା ବଡ଼ଦାଣ୍ଡ ଲୋକାରଣ୍ୟ ହୋଇ ଯାଇଥିଲା।

ଦର୍ଶନ ପାଇଁ ଆସିଲେନି ଶଙ୍କରାଚାର୍ଯ୍ୟ

ପୁରୀ : ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଆଜି ସ୍ନାନବେଦିରେ ପୁରୀ ଗୋବର୍ଦ୍ଧନ ମଠର ପୀଠାଧୀଶ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ତେବେ ଶଙ୍କରାଚାର୍ଯ୍ୟ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଆସିନଥିଲେ। ଏହାକୁ ନେଇ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଶ୍ରୀଜିଉଙ୍କୁ ଜଳଲାଗି, ମଇଲମ ଓ ମେକାପ ସର୍ବାଙ୍ଗ ଶେଷ ହେବା ପରେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ବ୍ୟବସ୍ଥାବଳୀରେ ବି ଏହା ଉଲ୍ଲେଖ ରହିଥିଲା। ବ୍ୟବସ୍ଥାବଳୀ ଅନୁଯାୟୀ, ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ତାଙ୍କ ୬ ଜଣ ଶିଷ୍ୟ ସାଧକଙ୍କ ସହ ସ୍ନାନବେଦିରେ ଶ୍ରୀଜିଉଙ୍କୁ ଦର୍ଶନ କରିଥାନ୍ତେ। ଏଥି ପାଇଁ ତାଙ୍କୁ ସିଂହଦ୍ଵାରଠାରୁ ସ୍ନାନବେଦି ପର୍ଯ୍ୟନ୍ତ ପାଛୋଟି ନିଆଯିବାର ବ୍ୟବସ୍ଥା ଥିଲା। ଦର୍ଶନ ପରେ ଶୃଙ୍ଖଳିତ ପ୍ରତ୍ୟାବର୍ତ୍ତନ ପାଇଁ ଶ୍ରୀମନ୍ଦିର କମାଣ୍ଡରଙ୍କୁ ଦାୟିତ୍ଵ ଦିଆଯାଇଥିଲା। କିନ୍ତୁ ଆଜି ସ୍ନାନବେଦିକୁ ଶଙ୍କରାଚାର୍ଯ୍ୟ ଆସିନଥିଲେ।

ଏ ସଂପର୍କରେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୁଖପାତ୍ର ମନୋଜ କୁମାର ରଥ କହିଛନ୍ତି, ଗତ କିଛି ଦିନ ହେଲା ଜଗତ୍‌ଗୁରୁ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମରେ ବଦ୍ରିନାଥ ଗସ୍ତରେ ଯାଇଛନ୍ତି। ବର୍ତମାନ ସେ ବଦ୍ରିନାଥରେ ହିଁ ଅଛନ୍ତି। ଏଥି ପାଇଁ ଆଜି ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ନାନବେଦିକୁ ଯାଇପାରିନାହାନ୍ତି। ତେବେ ସେ ରଥଯାତ୍ରା ପୂର୍ବଦିନ ପୁରୀ ଫେରି ଆସିବାର କାର୍ଯ୍ୟକ୍ରମ ରହିଛି। ରଥଯାତ୍ରା ଓ ପରବର୍ତୀ ସମସ୍ତ କାର୍ଯ୍ୟକ୍ରମରେ ସେ ଉପସ୍ଥିତ ରହିବେ ବୋଲି ଶ୍ରୀ ରଥ କହିଛନ୍ତି।

ସୁନା ଚିତା, ରାହୁରେଖା ଓଲାଗି

ପୁରୀ : ସ୍ନାନବେଦିରେ ଶହେ ଆଠଗରା ଅଧିବାସ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଅସୁସ୍ଥ ହୋଇ ପଡିଛନ୍ତି। ମହାପ୍ରଭୁଙ୍କ ଜ୍ୱର ହେବ। ଏଥି ପାଇଁ ଅଣସର ପିଣ୍ଡିରେ ଅବସ୍ଥାନ କରିବେ ଠାକୁର। ଆଜି ସାହାଣମେଲା ଦର୍ଶନ ପରେ ପ୍ରଭୁଙ୍କ ହାତୀବେଶ ଲାଗି ହୋଇଥିଲା। ସ୍ନାନବେଦିରୁ ଶ୍ରୀବିଗ୍ରହମାନେ ବାହୁଡା ବିଜେରେ ଗୋଟି ପହଣ୍ଡିରେ ଆସିିଥିଲେ। ମାତ୍ରାଧିକ ସ୍ନାନ ଯୋଗୁ ବାହୁଡା ପହଣ୍ଡିରେ ଆସୁଥିବା ଶ୍ରୀବିଗ୍ରହମାନେ ଅସୁସ୍ଥତା ଅନୁଭବ କରି ଚିକିତ୍ସା ପାଇଁ ଅଣସର ପିଣ୍ଡିରେ ଅଟକିଥିଲେ। ଅସୁସ୍ଥ ଶ୍ରୀଜିଉଙ୍କୁ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶରେ ଶ୍ରୀମନ୍ଦିର ଭିତର କାଠ ଏବଂ କଳାହାଟ ଦ୍ଵାର ମଧ୍ୟସ୍ଥ ଅଣସର ପିଣ୍ଡିରେ ଅଧିଷ୍ଠିତ କରାଯାଇଥିଲା। ପିଣ୍ଡିରେ ଶ୍ରୀଜିଉଙ୍କ ମସ୍ତକରେ ଶୋଭିତ ସୁନା ଚିତା ଓ ରାହୁରେଖା ଆଦି ଅଳଙ୍କାରକୁ ଓଲାଗି (ଓହ୍ଲାଇ) ଦିଆଯାଇଥିଲା। ଏହି ପିଣ୍ଡିରେ ଅସୁସ୍ଥ ଠାକୁରମାନେ ବୈଦ୍ୟଙ୍କ ପରାମର୍ଶ ମୁତାବକ ଚିକିତ୍ସା ସେବା ପାଇବେ। ନବଯୌବନ ଦର୍ଶନ ପର୍ଯ୍ୟନ୍ତ ଶ୍ରୀବିଗ୍ରହ ଏହି ସ୍ଥାନରେ ରହିବେ। ଠାକୁରମାନଙ୍କୁ ଶ୍ରୀମନ୍ଦିର ବୈଦ୍ୟ ସେବକଙ୍କ ଦ୍ଵାରା ପ୍ରସ୍ତୁତ ଦଶ ମୂଳ ପାଚକ ଆଦିରେ ଉପଚାର କରାଯିବ। ଓଷ ଲାଗି ପରେ ଠାକୁରମାନେ ନବ ଯୌବନପ୍ରାପ୍ତି ହେବେ। ଏହି ସମୟରେ ପତି ମହାପାତ୍ର ଓ ଦଇତାପତି ସେବାୟତମାନେ ମହାପ୍ରଭୁଙ୍କ ଗୁପ୍ତ ସେବା କରିବେ। ପ୍ରଭୁଙ୍କ ଅଣସର ବିଜେ ବେଳେ ଅଣସର ପଣା, ଘଣାଲାଗି, ଖଳିଲାଗି, ଚକାଅପସର ଆଦି ନୀତି ସଂପାଦିତ ହେବ। ଆସନ୍ତା ୧୩ ତାରିଖରେ ମହାପ୍ରଭୁ ନବଯୌବନରେ ଭକ୍ତଙ୍କୁ ଦର୍ଶନ ଦେବେ।

ସମ୍ବନ୍ଧିତ ଖବର