ଏସ୍‌ଏନ୍‌ସିୟୁ ଭିତର ଭିଡିଓ ଭାଇରାଲ ଘଟଣା, ବାଧ୍ୟତାମୂଳକ ଛୁଟିରେ ଗଲେ ୪ ନର୍ସ

ମାଲକାନଗିରି : ମେଡିକାଲ ଭିତର ଭିଡିଓ ଟିକ୍‌ଟକ୍‌ ଭାଇରାଲ ହେବା ଘଟଣା ମହଙ୍ଗା ପଡ଼ିଛି। ଏହି ଘଟଣାରେ ସମ୍ପୃକ୍ତ ୪ ଜଣ ମହିଳା କର୍ମଚାରୀ ବା ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦିଆଯାଇଛି। ସରକାରଙ୍କ ନିର୍ଦେଶ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେତିକି ଦିନ ପର୍ଯ୍ୟନ୍ତ ସେମାନେ ଛୁଟିରେ ରହିବେ ବୋଲି ଜଣାପଡ଼ିଛି।

ଗତକାଲି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏସ୍‌ଏନ୍‌ସିୟୁ ଭିତର ଭିଡିଓକୁ କିଛି ମହିଳା କର୍ମଚାରୀ ସୋସିଆଲ ମିଡିଆ (ଟିକଟକ୍)ରେ ପୋଷ୍ଟ କରିଥିଲେ। ନବଜାତ ଶିଶୁଙ୍କୁ ଧରି ଖେଳିବା ଭଳି ଭିଡିଓ ବି ଏଥିରେ ରହିଥିଲା। ଏହି ଘଟଣା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଳମ୍ବ ନକରି ମେଡିକାଲ କର୍ତୃପକ୍ଷ ସିଡିଏମଓଙ୍କ ନେତୃତ୍ବରେ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ସେହିପରି ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଉପଜିଲ୍ଲାପାଳ ରାମେଶ୍ବର ପ୍ରଧାନ ବି ପୃଥକ ଭାବେ ତଦନ୍ତ କରିଥିଲେ। ତଦନ୍ତ ବେଳେ ସଂପୃକ୍ତ ୪ଜଣ ମହିଳା କର୍ମଚାରୀ ନିଜ ଭୁଲକୁ ସ୍ବୀକାର କରିଥିଲେ। ଉପଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟକୁ ଆଧାର କରି ଜିଲ୍ଲାପାଳ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗତକାଲି କୁହାଯାଇଥିଲା।

ଏହାପରେ ଆଜି ସିଡିଏମଓଙ୍କ ତରଫରୁ ପୁଣି ଗୋଟିଏ ଟିମ୍ ଗଠନ କରାଯାଇ ତଦନ୍ତ ହୋଇଛି। ଏହି ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ। କେନ୍ଦ୍ର ସରକାରଙ୍କ ଯୋଜନାରେ ସଂପୃକ୍ତ ମହିଳା କର୍ମଚାରୀମାନେ ନିଯୁକ୍ତି ପାଇଥିବାରୁ ରାଜ୍ୟ ସରକାର ହିଁ ନିଷ୍ପତ୍ତି ନେଇପାରିବେ। ସରକାର ଯାହା ନିର୍ଦେଶ ଦେବେ ସେହି ଅନୁସାରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ସଂପୃକ୍ତ ମହିଳା କର୍ମଚାରୀଙ୍କୁ ବାଧ୍ୟତାମୂଳକ ଛୁଟି ପ୍ରଦାନ କରାଯାଇଛି। ସରକାରଙ୍କ ନିର୍ଦେଶ ନମିଳିବା ପର୍ଯ୍ୟନ୍ତ ସେମାନେ ଛୁଟିରେ ରହିବେ ବୋଲି ମେଡିକାଲ କର୍ତୃପକ୍ଷ କହିଛନ୍ତି।

ପ୍ରକାଶଥାଉକି, ଏସ୍‌ଏନ୍‌ସିୟୁ ଦାୟିତ୍ବରେ ଥିବା ମହିଳା କର୍ମଚାରୀମାନେ ବିଭିନ୍ନ ସମୟରେ ଭିଡିଓ କରି ତାହାକୁ ପରବର୍ତୀ ସମୟରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ମଜସିଲ ସମୟର ଏହି ଭିଡିଓ ଗୁଡ଼ିକ ଭାଇରାଲ ହେବାପରେ ଉଭୟ ସ୍ବାସ୍ଥ୍ୟ ବିଭାଗ ଏବଂ ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲେ। ପ୍ରଥମ ପଦକ୍ଷେପ ସ୍ବରୂପ ଗତକାଲି ହିଁ ଚାରି ଜଣ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଆଜି ସେମାନେ ଏହାର ଉତ୍ତର ଦେଇଛନ୍ତି। ସେମାନଙ୍କ ଉତ୍ତରର ତର୍ଜମା କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏବେ ସରକାର କେଉଁଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହାକୁ ଅପେକ୍ଷା ରହିଛି।

ସମ୍ବନ୍ଧିତ ଖବର