ସାତକୋଶିଆରେ ଶିକାରୀଙ୍କୁ ଜଗିଛି ସେନା କୁକୁର

ବନବିଭାଗ ଅଧିକାରୀଙ୍କ ସହିତ ପଇଁତରା ମାରୁଛି

ଅନୁଗୁଳ,: ବନ୍ୟଜନ୍ତୁ ସୁରକ୍ଷାରେ କୁକୁର। ପୁଲିସ ପାଳିତ କିମ୍ବା ଗାଁ ଦାଣ୍ଡର କେଉଁ ବୁଲା କୁକୁର ନୁହେଁ, ବିଏସ୍‌ଏଫ୍‌ ଯବାନଙ୍କ ସାଥୀରେ ରହି ସୀମାନ୍ତରେ ଦେଶକୁ ସୁରକ୍ଷା ଦେଉଥିବା ଉନ୍ନତ ପ୍ରଜାତିର ଗୋଟିଏ ସ୍ନିଫର ଡଗ୍‌ ଅନୁଗୁଳକୁ ଆସିଛି। ମଧ୍ୟପ୍ରଦେଶ ବିଏସ୍‌ଏଫ୍‌ ଏକାଡେମିସ୍ଥିତ ଜାତୀୟ କୁକୁର ପ୍ରଶିକ୍ଷଣ କେନ୍ଦ୍ରରୁ(ଏନ୍‌ଟିସିଡି) ବିଧିବଦ୍ଧ ତାଲିମ ପାଇବା ପରେ ସାତକୋଶିଆ ଅଭୟାରଣ୍ୟ ରାଇଗୁଡ଼ା ରେଞ୍ଜ୍‌ରେ ଶିକାରୀଙ୍କୁ ଜଗିବା ପାଇଁ କୁକୁରକୁ ଦୁଇ ସପ୍ତାହ ତଳେ ମୁତୟନ କରାଯାଇଛି। ମଧ୍ୟପ୍ରଦେଶରୁ ଦୁଇ ମହାବଳ ବାଘ ସାତକୋଶିଆ ଜଙ୍ଗଲରେ ଛାଡ଼ିବା ବନ ବିଭାଗ ଜୋର୍‌ସୋର୍‌ରେ ଲାଗି ପଡ଼ିଛି। ତା’ ପୂର୍ବରୁ ବନ୍ୟଜନ୍ତୁ ଅପରାଧ ଠାବ ପାଇଁ ବିଏସ୍‌ଏଫ୍‌ ସ୍ନିଫର ଡଗ୍‌ ମୁତୟନ ସାତକୋଶିଆରେ ଜନ୍ତୁ ସୁରକ୍ଷାକୁ ଆହୁରି ଶକ୍ତିଶାଳୀ କରିବ ବୋଲି ଜଣାପଡ଼ିଛି।
କୁକରଙ୍କୁ ବନ୍ୟଜନ୍ତୁ ସୁରକ୍ଷାରେ ଲଗାଇବା ସାତକୋଶିଆ ଜଙ୍ଗଲ ପାଇଁ କିଛି ନୂଆ କଥା ନୁହେଁ, ପୂର୍ବରୁ ଏକାଧିକବାର ପୁଲିସ ବିଭାଗରୁ ଅବସରପ୍ରାପ୍ତ ବୟସ୍କ କୁକର ସବୁ ଆଣି ବନ ବିଭାଗ ଜଗାରଖା କାମରେ ଲଗାଇବାର ନଜିର୍‌ ରହିଛି। ଏଥର କିନ୍ତୁ ଯେଉଁ ସ୍ନିଫର ଡଗ୍‌ ଅଣାଯାଇଛି ତାହା ସାତକୋଶିଆ ପାଇଁ ସମ୍ପୂର୍ଣ୍ଣ ନୂଆ। ଏମିତିକି ଶିମିଳିପାଳରେ ମାତ୍ର ଗୋଟିଏକୁ ଛାଡ଼ି ଦେଲେ ଓଡ଼ିଶାର ଅନ୍ୟ କେଉଁ ଜଙ୍ଗଲରେ ଏଭଳି ସନ୍ଧାନୀ କୁକୁରଙ୍କୁ ନିୟୋଜିତ କରାଯାଇ ନାହିଁ ବୋଲି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦେଶକ ତଥା ଅନୁଗୁଳ ଆର୍‌ସିସିଏଫ୍‌ ଡ. ସୁଦର୍ଶନ ପଣ୍ଡା ପ୍ରକାଶ କରିଛନ୍ତି।
କୁକୁରଟିର ବିଶେଷତ୍ୱ ହେଉଛି ଆଘ୍ରାଣ ଶକ୍ତି। ଗନ୍ଧ ବାରିବାର କ୍ଷମତା ଏତେ ପ୍ରଖର ଯେ ଦୂର ଦୂରାନ୍ତରୁ ଶିକାର ରେ ବ୍ୟବହୃତ ସାମଗ୍ରୀ ଓ ଶିକାରୀଙ୍କୁ ଠାବ କରିବାରେ କୁକୁର ବେଶ୍‌ ପୋଖତ। ବିଶେଷ କରି ମହାବଳ, କଲରାପତରିଆ ବାଘ, ଭାଲୁ ଆଦି ଜୀବଜନ୍ତୁଙ୍କର ଚର୍ମ, ହାଡ଼ ସମେତ ଶରୀରର ଅନ୍ୟାନ୍ୟ ଅଂଶକୁ ଖୋଜିବାରେ କୁକୁର ବେଶ୍‌ ମାହିର୍‌। ଜନ୍ମ ହେବା ପରେ ପରେ ଜାତୀୟ କୁକୁର ତାଲିମ୍‌ କେନ୍ଦ୍ରରେ ଏ ସମ୍ପର୍କରେ କୁକୁରକୁ ପ୍ରଶିକ୍ଷଣ ଦିଆଯାଇଛି। ସାଥୀରେ ବନ ବିଭାଗର ଦୁଇ ଜଣ କର୍ମଚାରୀ ମଧ୍ୟ ଦୁଇ ମାସ କାଳ ତାଲିମ ନେଇଛନ୍ତି। ମହାନଦୀର ଉଭୟ ପାର୍ଶ୍ୱ ସାତକୋଶିଆ ଜଙ୍ଗଲରେ ବର୍ଷକୁ ହାରାହାରି ୨୦/୨୫ ବନ୍ୟଜନ୍ତୁ ଅପରାଧ ଘଟୁଛି। ସ୍ନିଫର କୁକୁର ଏ ଅପରାଧରେ ଅଙ୍କୁଶ ଲଗାଇବାରେ ସକ୍ଷମ ହେବ ବୋଲି ଆର୍‌ସିସିଏଫ୍‌ ଡ. ପଣ୍ଡା ଦୃଢ଼ ଆଶା ପୋଷଣ କରିଛନ୍ତି।

photo credit-wwf india

କେବଳ ଓଡ଼ିଶାକୁ ନୁହେଁ, ଗତ ଡିସେମ୍ବର ମାସରେ ଜାତୀୟ କୁକୁର ପ୍ରଶିକ୍ଷଣ କେନ୍ଦ୍ରରୁ ୮ଟି ରାଜ୍ୟକୁ ୧୩ଟି ସ୍ନିଫର କୁକୁର ଛଡ଼ା ଯାଇଛି। ସେଥିରୁ ଦୁଇଟି ଉତ୍ତରାଖଣ୍ଡ କର୍‌ବେଟ୍‌ ବ୍ୟାଘ୍ର ପ୍ରକଳ୍ପକୁ ପଠାଯାଇଥିବା ବେଳେ ସିକିମ୍‌କୁ ଦୁଇଟି ଦିଆଯାଇଛି। ସେହିପରି ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ, ଉତ୍ତରପ୍ରଦେଶର କତ୍ତରନୀୟଘାଟ ବନଖଣ୍ଡ, ଦୁଧଓ୍ଵା ବ୍ୟାଘ୍ର ପ୍ରକଳ୍ପ, କେରଳ ମନ୍ନର ବନ୍ୟପ୍ରାଣୀ ବନଖଣ୍ଡ, ପଶ୍ଚିମବଙ୍ଗର ସୁନ୍ଦରବନ, ମହାନନ୍ଦା, ବକ୍ସା ବ୍ୟାଘ୍ର ପ୍ରକଳ୍ପ, ଅଣ୍ଡାମାନ ନିକୋବରର ପୋର୍ଟବ୍ଲେୟାର୍‌କୁ ଗୋଟିଏ ଲେଖାଏ ସ୍ନିଫର କୁକୁର ପଠାଯାଇଥିବା ଜଣାପଡ଼ିଛି। ଦେଶର ୧୭ଟି ରାଜ୍ୟରେ ସ୍ନିଫର ଡଗ୍‌ ବନ୍ୟଜନ୍ତୁ ସୁରକ୍ଷାରେ ନିୟୋଜିତ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର