ସ୍ୱଚ୍ଛ କ୍ୟାମ୍ପସ୍ ର‍୍ୟାଙ୍କିଂ: ଦେଶରେ ତୃତୀୟ ସ୍ଥାନରେ ସୋଆ

ଭୁବନେଶ୍ୱର : ଓଡ଼ିଶାରେ ସବୁଠାରୁ ସ୍ୱଚ୍ଛ କ୍ୟାମ୍ପସ୍‌ର ମାନ୍ୟତା ପାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ୍ ବିଶ୍ବବିଦ୍ୟାଳୟ। କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛ କ୍ୟାମ୍ପସ୍ ର‍୍ୟାଙ୍କିଙ୍ଗ୍‌-୨୦୧୮ରେ ସୋଆ ଦେଶରେ ତୃତୀୟ ସ୍ଥାନ ହାସଲ କରିଛି। ଓଡ଼ିଶାର ଏକମାତ୍ର ବିଶ୍ବବିଦ୍ୟାଳୟ ଭାବେ ପ୍ରଥମ ୧୦ଟି ଶିକ୍ଷାନୁଷ୍ଠାନରେ ସୋଆ ସ୍ଥାନ ପାଇଛି। ନୂଆଦିଲ୍ଲୀରେ ଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଓ ମାନବ ସମ୍ବଳ ରାଷ୍ଟ୍ର ମନ୍ତ୍ରୀ ସତ୍ୟପାଲ ସିଂହ ସୋଆକୁ ପୁରସ୍କାର ଓ ମାନପତ୍ର ଦେଇ ସମ୍ମାନ କରିଛନ୍ତି। ଅନୁଷ୍ଠାନ ପକ୍ଷରୁ ଡେପୁଟି ରେଜିଷ୍ଟ୍ରାର୍ ସିଧ୍ୟବ୍ରତ ଦାଶ ପୁରସ୍କାର ଗ୍ରହଣ କରିଥିଲେ। ସେହିପରି ପୂର୍ବରୁ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍‌ ରୢାଙ୍କିଙ୍ଗ୍ ଫ୍ରେମ୍‌ୱାର୍କରେ ବିଶ୍ବବିଦ୍ୟାଳୟ କାଟାଗୋରିରେ ସୋ‌ଆ ଦେଶରେ ୨୪ତମ ସ୍ଥାନ ହାସଲ କରିସାରିଥିଲା ବେଳେ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ୩୮ତମ ସ୍ଥାନ ହାସଲ କରିଥିଲା। ସୋଆ ଅଧୀନରେ ଥିବା ୯ଟି ଅନୁଷ୍ଠାନରେ ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ ଓ ଗବେଷଣା କରୁଛନ୍ତି। ଏଠାରେ ଇଞ୍ଜିନିୟରିଂ, ମେଡିକାଲ୍ ସାଇନ୍‌ସେସ୍, ଡେଣ୍ଟାଲ୍ ସାଇନ୍‌ସେସ୍, ଫାର୍ମାସ୍ୟୁଟିକାଲ୍‌ ସାଇନ୍‌ସେସ୍, ବାୟୋଟେକ୍ନୋଲୋଜି, ମ୍ୟାନେଜ୍‌ମେଣ୍ଟ୍, ଆଇନ୍ ଶିକ୍ଷା, ନର୍ସିଂ, ହସ୍ପିଟାଲିଟି ଆଣ୍ଡ୍ ଟୁରିଜିମ୍ ମ୍ୟାନେଜ୍‌ମେଣ୍ଟ ଓ କୃଷି ବିଜ୍ଞାନ ପାଠ୍ୟକ୍ରମ ରହିଛି। ସୂଚନାଯୋଗ୍ୟ ଯେ ସ୍ୱଚ୍ଛ ଭାରତ ମିସନ୍‌କୁ ପ୍ରୋତ୍ସାହନ ଦେବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସ୍ୱଚ୍ଛ କ୍ୟାମ୍ପସ୍ ର‍୍ୟାଙ୍କିଙ୍ଗ୍ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା।

ସମ୍ବନ୍ଧିତ ଖବର