ରାଜ୍ୟର ୧୦ହଜାର ପୂଜକଙ୍କୁ ସହାୟତା ଦେବ ସୋଏମଆଇ ସଂଗଠନ, ବାରିପଦାରୁ ହେଲା ଶୁଭାରମ୍ଭ

ବାରିପଦା: କରୋନାଜନିତ ଲକ୍‌ଡାଉନ୍‌ କାରଣରୁ ସମାଜର ବିଭିନ୍ନ ବର୍ଗ ପ୍ରଭାବିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ପୂଜକ ଗୋଷ୍ଠୀ। ମଠ ମନ୍ଦିରରେ ପୂଜାର୍ଚ୍ଚନା କରି ପରିବାର ଗୁଜୁରାଣ ମେଣ୍ଟାଉଥିବା ପୂଜକମାନେ ଅଗତ୍ୟା ଅନ୍ୟ କୌଣସି ବେଉସା କରିପାରିବେ ନାହିଁ। ତେଣୁ ଏହି ଲକ୍‌ଡାଉନ୍‌ ସେମାନଙ୍କ ପାଇଁ ଆର୍ଥିକ ଦୁର୍ଗତି ଆଣିଦେଇଛି। ଏହାକୁ ଦୃଷ୍ଟିରେ ରଖି ସାରା ରାଜ୍ୟର ପୂଜକଙ୍କୁ ଯତ୍କିଞ୍ଚିତ୍ ସହାୟତା ପ୍ରଦାନ କରିବା ପାଇଁ ଆଗେଇ ଆସିଛି ଭୁବନେଶ୍ବରସ୍ଥିତ ସୋ ଏମ୍ ଆଇ ଫାଉଣ୍ଡେସନ୍। ରାଜ୍ୟର ପ୍ରାୟ ୧୦ହଜାର ପୂଜକଙ୍କୁ ଏହି ସଂଗଠନ ଅଧାମାସର ରାସନ ସାମଗ୍ରୀ ଭଳି ସହାୟତା ପ୍ରଦାନ କରିବାକୁ ନିଷ୍ପତି ନେଇଛି।

ସ୍ଥାନୀୟ ବାରିପଦା ଷ୍ଟାଡିୟମ୍ ପଡ଼ିଆରେ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ ଗତକାଲି ହୋଇଯାଇଛି। ଉକ୍ତ ଫାଉଣ୍ଡେସନକୁ ପୃଷ୍ଠପୋଷକତା ଯୋଗାଇ ଦେଇଛି ମୟୂରଭଞ୍ଜ ରାଜପରିବାର । ହିନ୍ଦୁ ରୀତି ନୀତି ତଥା ପରମ୍ପରାର ରକ୍ଷା କରିବାରେ ପୂଜକଗୋଷ୍ଠୀଙ୍କର ଏକ ପ୍ରମୁଖ ଭୂମିକା ରହିଛି। ଯଦି ଆର୍ଥିକ ଅନାଟନ କାରଣରୁ ନିଜର କୌଳିକ ବୃତ୍ତିକୁ ବଦଳାଇବାକୁ ବାଧ୍ୟ ହେବେ, ତେବେ ଶ୍ରାଦ୍ଧ, ବିବାହ ଭଳି ବିଭିନ୍ନ ସାମାଜିକ ପରମ୍ପରାକୁ ପାଳନ କରିବା ଅସମ୍ଭବ ହୋଇପଡ଼ିବବୋଲି ମୟୂରଭଞ୍ଜ ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରକାଶ କରିଥିଲେ।

ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବାରିପଦା ପୌରପରିଷଦର ବିଭିନ୍ନ ମଠ ମନ୍ଦିରଗୁଡ଼ିକରେ ଠାକୁରଙ୍କ ସେବାକାର୍ଯ୍ୟ କରୁଥିବା ୧୦୮ ଜଣ ପୂଜକମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ପୂଜକମାନେ ମଧ୍ୟ କରୋନା କବଳରୁ ସମାଜକୁ ରକ୍ଷା କରିବା ପାଇଁ ସାମୂହିକ ବେଦପାଠ କରିଥିଲେ। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ଅକ୍ଷିତା ମଞ୍ଜରୀ ଭଞ୍ଜଦେଓ ପ୍ରମୁଖଙ୍କ ସମେତ ଭିଡିଓ କନଫରେନ୍ସ ଜରିଆରେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ, ପୁରୀ ସାଂସଦ ପିନାକୀ ମିଶ୍ର , ସୋ ଆଇ ଏମ୍ ଫାଉଣ୍ଡେସନର ପ୍ରତିଷ୍ଠାତା ପିନାକୀ ମହାନ୍ତି ଓ ସହ ପ୍ରତିଷ୍ଠାତା ଚିଦାତ୍ମିକା ଖଟୁଆ ପ୍ରମୁଖ ସାମିଲ ହୋଇଥିଲେ । ପରବର୍ତ୍ତୀ ସମୟରେ ପର୍ଯ୍ୟାୟ କ୍ରମେ ଏହି କାର୍ଯ୍ୟକ୍ରମ ଓଡ଼ିଶାର ଅନ୍ୟ ସମସ୍ତ ଜିଲ୍ଲାଗୁଡ଼ିକରେ ଆରମ୍ଭ ହେବ ବୋଲି ସୋ ଆଇ ଏମ୍ ଫାଉଣ୍ଡେସନର ସଦସ୍ୟ ବିଭୂଦତ୍ତ ଦାସ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର