କେନ୍ଦୁଝର ଘୂର୍ଣ୍ଣିଝଡ଼ ବେଳେ ସାହା ହୋଇଥିଲେ ସୋମନାଥ ଚାଟାର୍ଜୀ

ଭୁବନେଶ୍ୱର: ୧୯୭୮ ମସିହାର କଥା। ସଂସଦ ଚାଲିଥାଏ। ହଠାତ୍‌ ସୋମନାଥ ଚାଟାର୍ଜୀ ସିଟ୍‌ରୁ ଉଠିପଡ଼ି ଦୃଷ୍ଟି ଆକର୍ଷଣକାରୀ ଭାଷଣ (କଲିଙ୍ଗ୍‌ ଆଟେନ୍‌ସନ୍‌) ଆରମ୍ଭ କରିଦେଲେ। କେନ୍ଦୁଝରର ଭୟାବହ ଘୂର୍ଣ୍ଣିଝଡ଼ ଥିଲା ତାଙ୍କ ଭାଷଣର ପ୍ରସଙ୍ଗ। ସମ୍ବାଦପତ୍ରମାନଙ୍କରୁ କେନ୍ଦୁଝରର ଘୂର୍ଣ୍ଣିଝଡ଼ ତାଙ୍କୁ ଏତେ ଆନ୍ଦୋଳିତ କରିଥିଲା ଯେ ୧୫ ମିନିଟ୍‌ କାଳ ସେ ଏହାର ଏକ ବିସ୍ତତ ଚିତ୍ର ଉପସ୍ଥାପନ କରି ଗୃହରେ ଉପସ୍ଥିତ ସଦସ୍ୟମାନଙ୍କୁ ସ୍ତମ୍ଭୀଭୂତ କରି ଦେଇଥିଲେ। ଗୃହରେ ସେଇ ୧୫ ମିନିଟ୍‌ ନିରବତା ଖେଳି ଯାଇଥିଲା। ଜାତୀୟ ରାଜନୀତିର ଅପ୍ରତିଦ୍ୱନ୍ଦ୍ୱୀ ନେତା ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀ ଇହଧାମରେ ନାହାନ୍ତି ସତ, ମାତ୍ର ଓଡ଼ିଆମାନଙ୍କ ପ୍ରତି ତାଙ୍କର ଏହି ଉଦାରତା ସେଦିନ ମତେ ତାଙ୍କ ପ୍ରତି ଥିବା ସମ୍ମାନକୁ ଦ୍ୱିଗୁଣିତ କରିଦେଇଥିଲା ବୋଲି କହିଛନ୍ତି ତତ୍କାଳୀନ ସାଂସଦ ଶିବାଜୀ ପଟ୍ଟନାୟକ।

୧୯୭୮ ଏପ୍ରିଲ୍‌ ୧୬ ତାରିଖରେ କେନ୍ଦୁଝରରେ ହୋଇଥିବା ୫ ମିନିଟ୍‌ର ଘୂର୍ଣ୍ଣିଝଡ଼ ସାରା ଓଡ଼ିଶାର ଜନମାନସକୁ ଦୋହଲାଇ ଦେଇଥିଲା। ୧୫୦ ଜଣ ମୃତ୍ୟୁବରଣ କରିଥିବା ବେଳେ ଅନେକ ଗୁରୁତର ଆହତ ହୋଇଥିଲେ। ୭୦୦ ପରିବାରର ଘରଦ୍ୱାର ଛାରଖାର ହୋଇଯାଇଥିଲା। ଏ ଖବର ସୋମନାଥ ଚାଟାର୍ଜୀଙ୍କ ଦୃଷ୍ଟିକୁ ଆସିବା ପରେ ପ୍ରଭାବିତ ହୋଇଥିବା କେନ୍ଦୁଝରର ଲୋକଙ୍କ ପାଇଁ ସ୍ୱର ଉଠାଇଥିଲେ। ସଂସଦରେ ଏହି ପ୍ରସଙ୍ଗ ଉଠାଇ, ଖାଲି ସମସ୍ୟା ସମ୍ପର୍କରେ ସଂସଦର ସଦସ୍ୟମାନଙ୍କୁ ଚେତାଇ ଦେଇ ନଥିଲେ, ତାଙ୍କର ଭାଷଣ ଶୁଣି ତତ୍କାଳୀନ କୃଷି ମନ୍ତ୍ରୀ ସୁର୍‌ଜିତ ସିଂହ ବର୍ଣ୍ଣାଲା କେନ୍ଦ୍ରରୁ ତୁରନ୍ତ ରିଲିଫ୍‌ ଦେଇଥିଲେ। ସେତେବେଳେ ନୀଳମଣି ରାଉତରାୟ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦୁଝରର ସାଂସଦ ଥିଲେ ଗୋବିନ୍ଦ ମୁଣ୍ଡା। ଗୋବିନ୍ଦଙ୍କୁ ସେହି ସମୟରେ ସଂସଦ ପରିସରରେ ଦେଖି ସୋମନାଥ ତାଙ୍କୁ ବି ନିଜ ଅଞ୍ଚଳକୁ ଯାଇ ଲୋକଙ୍କ ଦୁଃଖରେ ଠିଆ ହେବାକୁ କହିଥିଲେ। ଶିବାଜୀ ପଟ୍ଟନାୟକଙ୍କ ଭାଷାରେ, ସୋମନାଥ ଥିଲେ ତାଙ୍କ ସମୟର ଅଦ୍ୱିତୀୟ ସାଂସଦ। ଥରେ ଏମିତି ସୋମନାଥଙ୍କ ସହ ଗପିବା ବେଳେ ଶିବାଜୀଙ୍କୁ ସେ ନିଜର ଓକିଲାତି ଓ ସାଂସଦ ହେବା ଭିତରେ ଥିବା ପ୍ରଭେଦକୁ ନେଇ ଆଲୋଚନା କରିଥିଲେ। ସଂସଦକୁ ଆସି କାହାର ସିନା ଲାଭ ହୁଏ, ସୋମନାଥଙ୍କର କିନ୍ତୁ ଆର୍ଥିକ କ୍ଷତି ହୋଇଥିଲା। ସଂସଦରେ ସାଂସଦଙ୍କୁ ଦୈନିକ ଭତ୍ତା ବାବଦରେ ମିଳୁଥିଲା ୨୦୦ ଟଙ୍କା। କିନ୍ତୁ ନାମକରା ଓକିଲ ଭାବେ ତାଙ୍କର ଏତେ ଖ୍ୟାତି ଥିଲା ଯେ, ଗୋଟେ କେସ୍‌ ପରିଚାଳନା କଲେ, ତାଙ୍କ ରୋଜଗାର ୨-୩ହଜାର ଅତିକ୍ରମ କରିଯାଉଥିଲା ଯାହା ତାଙ୍କୁ ଦୈନିକ ଭତ୍ତା ମିଳୁଥିଲା ସେତିକି ଟଙ୍କା ସେ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟରେ କୌଣସି କେସ୍‌ ପରିଚାଳନା ବେଳେ କାହାକୁ ବକ୍ସିସ୍‌ ଦେଉଥିବା ଟଙ୍କାଠୁ ବି କମ୍‌ ଥିଲା। ସ୍ୱର୍ଗତ ଚାଟାର୍ଜୀଙ୍କ ସ୍ମୃତିଚାରଣ କରି ବରିଷ୍ଠ ସିପିଆଇ ନେତା ରାମକୃଷ୍ଣ ପଣ୍ଡା କୁହନ୍ତି, ସେ ଯେବେ ବି ଓଡ଼ିଶା ଆସନ୍ତି ପୁରୀର ବିଏନ୍‌ଆର ଚାଣକ୍ୟ ହୋଟେଲ୍‌ରେ ରୁହନ୍ତି। ସେଠାକୁ କମ୍ୟୁନିଷ୍ଟ ନେତାମାନେ ଯାଇ ତାଙ୍କ ସହ କିଛି ପ୍ରସଙ୍ଗରେ ଆଲୋଚନା କରନ୍ତି। ବାଚସ୍ପତି ଥିବା ସମୟରେ ରାଜଭବନରେ ରହୁଥିଲେ। ବାଚସ୍ପତି ଥିବା ସମୟରେ ରବୀନ୍ଦ୍ର ମଣ୍ଡପରେ ହେଉଥିବା ‘ଲୋକନୀତି’ ପତ୍ରିକାର ଏକ ଉତ୍ସବକୁ ତାଙ୍କୁ ଡାକିଥିଲୁ। ସେଠାରେ ତାଙ୍କ ଭାଷଣ ଯିଏ ଶୁଣିଛି ସେ ନିଶ୍ଚିତ ପ୍ରଭାବିତ ହୋଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର