ତାରାଗାଁରେ ଅଭାବନୀୟ ଘଟଣା : ମା’ ଆଗରେ ଜଳିଗଲେ ପୁଅ, ଝିଅ

ଜୟପୁର/ବୋରିଗୁମ୍ମା : ମା’ର ଆଖି ସମ୍ମୁଖରେ ଜଳି ଗଲେ ଦୁଇ ସନ୍ତାନ। ଜୀବନ ରକ୍ଷା ପାଇଁ ଆର୍ତ୍ତ ଚିତ୍କାର କରୁଥିବା ୫ ବର୍ଷର ଝିଅ ଦିନେଶ୍ୱରୀ ଓ ୪ ମାସର ପୁଅ ରଇଲାକୁ ନିଆଁ କବଳରୁ ବଞ୍ଚାଇ ପାରିଲାଣି ଅଭାଗିନୀ ମା’। ନିଜେ ମଧ୍ୟ ନିଆଁରେ ଜଳି ଗୁରୁତର ଅବସ୍ଥାରେ କୋରାପୁଟ ଏସଏଲଏନ ମେଡିକାଲ କଲେଜରେ ଭର୍ତି ହୋଇଛନ୍ତି। ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ମାଲଦା ପଞ୍ଚାୟତ ଅନ୍ତର୍ଗତ ତାରାଗାଁରେ।

ସୂଚନା ଅନୁଯାୟୀ, ଚାଳ ଘରେ ଧନମତୀଙ୍କ ସହ ଝିଅ ଦିନେଶ୍ୱରୀ ଓ ପୁଅ ରଇଲା ରହୁଥିଲେ। ଆଜି ସକାଳେ ହଠାତ ଚାଳରେ ନିଆଁ ଲାଗିଯାଇ ଚାରି ଆଡ଼କୁ ବ୍ୟାପିଥିଲା। କିଛି ମିନିଟ୍‌ ମଧ୍ୟରେ ପୂରା ଘର ଜଳି ପାଉଁଶ ହୋଇଯାଉଥିଲା ଝାଟିମାଟିର କୁଡ଼ିଆ ଘର। ଘର ହୁତୁହୁତୁ ହୋଇ ଜଳୁଥିବା ବେଳେ ଭିତରେ ଝିଅ ଦିନେଶ୍ୱରୀ ରହିଯାଇଥିଲା। ଗାଁ ଲୋକେ ବହୁ କଷ୍ଟରେ ରଇଲା ଓ ଧନମତୀଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଘଟଣାସ୍ଥଳରୁ ଝିଅକୁ ଉଦ୍ଧାର କରାଯାଇ ପାରିନଥିଲେ। ପରେ ମା ଓ ପୁଅଙ୍କୁ ପ୍ରଥମେ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ପ୍ରାଥମିକ ଚିକିତ୍ସା କରାଯାଇ ଜୟପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। କିନ୍ତୁ ଅବସ୍ଥା ସଂକଟାପନ୍ନ ରହିଥିବାରୁ କୋରାପୁଟ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର