ରାଜଧାନୀ ଉପକଣ୍ଠରେ ଗୁଳିକାଣ୍ଡ : ବ୍ରାଉନସୁଗାର ପାଇଁ ହତ୍ୟା, ପୁଅ ମୃତ, ବାପା ଗୁରୁତର

ବାହାଦଲପୁର, ସରକନ୍ତରାରେ ପୁଲିସ ମୁତୟନ

ଭୁବନେଶ୍ବର : ପୁଣି ରାଜଧାନୀ ଉପକଣ୍ଠରେ ଗଡ଼ିଛି ମୁଣ୍ଡ। ତାହା ପୁଣି ବ୍ରାଉନସୁଗାର କାରବାର ପାଇଁ। ନିଶା କାରବାରକୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ବାପା ଓ ପୁଅଙ୍କୁ ଗୁଳି କରିଛନ୍ତି। ଘଟଣାସ୍ଥଳରେ ପୁଅର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବାପାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତ ଯୁବକ ଜଣକ ହେଲେ ପପୁ ଜେନା ଓରଫ ଅନୀଲ। ତାଙ୍କ ବାପା ଅଭିମନ୍ୟୁ ଜେନାଙ୍କୁ ଗାଁ ଲୋକ ଚିକିତ୍ସା ଲାଗି ଏମ୍‌ସରେ ଭର୍ତି କରିଛନ୍ତି। ଆଜି ସଂଧ୍ୟାରେ ଏଭଳି ଏକ ଗୁଳିକାଣ୍ଡ ଘଟିଛି ଖଣ୍ଡଗିରି ଥାନା ଅଧୀନ ବାହାଦଲପୁର ଗାଁରେ। ହତ୍ୟାକାଣ୍ଡ ପରେ ଉତ୍ତେଜନା ପ୍ରକାଶ ପାଇଛି। ପରିସ୍ଥିତିକୁ ନଜରରେ ରଖି ବାହାଦଲପୁର ଓ ସରକନ୍ତରା ଗାଁରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁଲିସ ଘଟଣାସ୍ଥଳରୁ ୪/୫ଟି ଖୋକା ଓ ଦୁର୍ବୃତ୍ତମାନେ ଛାଡ଼ି ଯାଇଥିବା ଏକ ପଲସର୍‌ ବାଇକ୍‌ ଜବତ କରିଛି। ଦୁର୍ବୃତ୍ତମାନଙ୍କୁ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି।

ରାତିରେ ବାହାଦଲପୁର ଗ୍ରାମବାସୀ ଖଣ୍ଡଗିରି ଥାନାକୁ ଯାଇ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ଖବର ପାଇ ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ ଓ ଡିସିପି ଅନୁପ ସାହୁ ଖଣ୍ଡଗିରି ଥାନାକୁ ଯାଇ ଘଟଣାର ଅନୁଧ୍ୟାନ କରିଛନ୍ତି। ଆସନ୍ତାକାଲି ପୁଲିସ ସାଇଣ୍ଟିଫିକ୍ ଟିମ୍‌ ସହିତ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବ। ସେହିପରି ମୃତ ଅନୀଲଙ୍କର ମଧ୍ୟ ଆସନ୍ତାକାଲି କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯିବ। ନିଶା କାରବାରକୁ ନେଇ ରାଜଧାନୀରେ ହତ୍ୟାକାଣ୍ଡ ଘଟିବା ପୁଲିସ ପାଇଁ ଚିନ୍ତାର ବିଷୟ ହୋଇଛି।

ଯାହା ସୂଚନା ମିଳିଛି, ସରକନ୍ତରା ଗାଁର ବାପି ଓରଫ ଭରତ ସାହୁ ନାମକ ଜଣେ ଯୁବକ ସ୍ଥାନୀୟ ଅଞ୍ଚଳରେ ବ୍ରାଉନସୁଗାର କାରବାର କରେ। ଯାହାକୁ ଅନୀଲ ଦୀର୍ଘ ଦିନ ହେବ ବିରୋଧ କରି ଆସୁଥିଲେ। ଏହି କାରଣରୁ ଦୁହିଁଙ୍କ ମଧ୍ୟରେ ଶତ୍ରୁତା ଥିଲା। ଦୁଇ ଦିନ ତଳେ ଓ ଗତକାଲି ମଧ୍ୟ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଆଜି ସଂଧ୍ୟାରେ ବାପି ଓ ତାର ଦୁଇ ସହଯୋଗୀ ବାହାଦଲପୁର ହନୁମାନ ମନ୍ଦିର ନିକଟରେ ରହୁଥିବା ଅନୀଲଙ୍କ ଘରକୁ ଯାଇ ଡାକିଥିଲେ। ଅନୀଲ ବାହାରକୁ ବାହାରିବା କ୍ଷଣି ତାଙ୍କ ଛାତିକୁ ଲକ୍ଷ୍ୟ କରି ୨ ରାଉଣ୍ଡ ଗୁଳି ଚଳାଇଥିଲେ ଦୁର୍ବୃତ୍ତ। ଗୁଳି ଶବ୍ଦଶୁଣି ତାଙ୍କ ବାପା ଅଭିମନ୍ୟୁ ବାହାରକୁ ଚାଲି ଆସିଥିଲେ। ସେ ଚିତ୍କାର କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଗୋଡ଼କୁ ଲକ୍ଷ୍ୟ କରି ଆଉ ଦୁଇ/ତିନି ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇ ଯାଇଥିଲେ। ତେବେ ଗାଁ ଲୋକ ଗୁଳି ଶବ୍ଦ ଓ ପାଟିତୁଣ୍ଡ ଶୁଣି ଘଟଣାସ୍ଥଳକୁ ଦୌଡ଼ି ଆସିବାରୁ ଦୁର୍ବୃତ୍ତମାନେ ସାଥୀରେ ଆଣିଥିବା ପଲସର୍‌ ବାଇକ୍‌କୁ ଘଟଣାସ୍ଥଳରେ ଛାଡ଼ି ଅନ୍ଧାରରେ ଖସି ଯାଇଥିଲେ। ଏହା ପରେ ଅନୀଲ ଓ ତାଙ୍କ ବାପା ଅଭିମନ୍ୟୁଙ୍କୁ ଏମ୍‌ସ ନିଆଯାଇଥିଲା। ସେଠାରେ କିନ୍ତୁ ଡାକ୍ତର ଅନୀଲଙ୍କୁ ମୃତ ଘୋଷଣା କରିଥିଲେ। ଅନୀଲଙ୍କ ମୃତ୍ୟୁ ପରେ ବାହାଦଲପୁର ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ନିଶା କାରବାରରୁ ଗାଁର ଜଣେ ଯୁବକଙ୍କ ମୃତ୍ୟୁ ଘଟିଲା। ପୁଲିସ ନିଶା କାରବାର କରୁଥିବା ବ୍ୟବସାୟୀମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଆଜି ଏଭଳି ଅବସ୍ଥା ବୋଲି ଅନୀଲଙ୍କ ସମ୍ପର୍କୀୟ ଓ ଗ୍ରାମବାସୀମାନେ କହିଛନ୍ତି। ଏ ନେଇ ଅନୀଲଙ୍କ ଦାଦାପୁଅ ଭାଇ ସୁକାନ୍ତ ଜେନା ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ପୁଲିସ ବାପି ଓ ତାର ସହଯୋଗୀମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି।

ଅନ୍ୟପକ୍ଷରେ ଉଭୟ ମୃତ ଅନୀଲ ଓ ବାପି ନାଁରେ ଖଣ୍ଡଗିରି ଥାନାରେ ଏକାଧିକ ମାମଲା ରହିଛି। ଏପରିକି ବାପି ନାଁରେ ହତ୍ୟାକାଣ୍ଡ ଭଳି ସଂଗିନ ମାମଲା ମଧ୍ୟ ରହିଛି ବୋଲି ଖଣ୍ଡଗିରି ଥାନା ପୁଲିସ ସୂଚନା ଦେଇଛି। ସରକନ୍ତରାର ସୋନୁ ନାମକ ଜଣେ ଯୁବକକୁ ହତ୍ୟା କରି ବାପି ଜେଲ୍‌ ଯାଇଥିଲା। ପରବର୍ତୀ ସମୟରେ ସେ ଜାମିନରେ ଆସି ସ୍ଥାନୀୟ ଅଞ୍ଚଳରେ ବ୍ରା‌ଉନସୁଗାର କାରବାର କରୁଥିଲା। ନିକଟ‌‌ରେ ଏୟାରଫିଲ୍ଡ ଥାନା ଅଧୀନ କପଳିପ୍ରସାଦରେ ଘଟିଥିବା ଅମରେଶ ନାୟକ ହତ୍ୟା ମାମଲାରେ ସମସ୍ତ ଅଭିଯୁକ୍ତ ଗିରଫ ହୋଇ ନ ଥିବା ବେଳେ ଆଜିର ଏହି ହତ୍ୟାକାଣ୍ଡ କମିସନରେଟ୍‌ ପୁଲିସକୁ ଅଡ଼ୁଆରେ ପକାଇଛି।

ସମ୍ବନ୍ଧିତ ଖବର