ଢେଙ୍କାନାଳ : ସଦର ଥାନା ଗେଙ୍ଗୁଟିଆ ଗାଁରେ ଆଜି ବିଦ୍ୟୁତ୍ ଆଘାତରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ତାଙ୍କ ବାପା ଗୁରୁତର ଆହତ ହୋଇଛନ୍ତି। ବାପାଙ୍କୁ ରକ୍ଷା କରିବାକୁଯାଇ ପୁଅର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହାକୁ କେନ୍ଦ୍ର କରି ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଅଞ୍ଚଳବାସୀ ଶବ ରଖି ରାସ୍ତା ଅବରୋଧ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଗେଙ୍ଗୁଟିଆ ଗାଁ ହରିଜନସାହିର ଯୋଗୀନାଥ ନାଏକ(୫୦) ଆଜି ସକାଳ ପ୍ରାୟ ୭ଟାବେଳେ ନିଜ ଘର ଛପର ପାଇଁ ଚାଳରେ ଚଢ଼ିଥିଲେ। ଚାଳରୁ ନଡ଼ା କାଢିବା ସମୟରେ ତାଙ୍କ ଘରକୁ ଯାଇଥିବା ବିଦ୍ୟୁତ୍ ତାର ତାଙ୍କ ଦେହରେ ଲାଗିଯାଇଥିଲା। ଫଳରେ ସେ ତାର ସହ ତଳକୁ ଖସିପଡ଼ିଥିଲେ। ଏତିକିବେଳେ ତାଙ୍କ ପୁଅ ଜିତେନ୍ଦ୍ର ନାଏକ(୨୦)ଦୌଡ଼ିଆସି ବାପାଙ୍କୁ ଉଠାଉଥିବାବେଳେ ବିଦ୍ୟୁତ୍ ତାର ତାଙ୍କ ଦେହରେ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ଉଭୟ ବାପା ଓ ପୁଅଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ଜିତେନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଯୋଗୀନାଥ ଗୁରୁତର ଅବସ୍ଥାରେ ସେଠାରେ ଚିକିତ୍ସିତ ହେଉଛନ୍ତି।