ଟାଙ୍ଗିଆରେ ହାଣି ସାବତ ମା’କୁ ହତ୍ୟା : ୫ ଶିଶୁ ଅନାଥ, ପ୍ରଶାସନର ଥଇଥାନ ଚିନ୍ତା

କୋଇଡ଼‌ା : କୋଇଡ଼ା ବ୍ଲକ୍ ମାଲଦା ଗ୍ରାମପଞ୍ଚାୟତ ଅନ୍ତଗର୍ତ ଓରଘାଟ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଜଣେ ନାବାଳକ ତା’ର ସାବତ ମା’କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। କୋଇଡ଼ା ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ହତ୍ୟାକାରୀ ନାବାଳକକୁ ଅଟକ ରଖି ପଚରା ଉଚରା କରୁଛି। ଘରୋଇ କଳିରେ ଉତ୍‌କ୍ଷିପ୍ତ ହୋଇ ନାବାଳକ ଏହି ହତ୍ୟାକାଣ୍ଡ ଘଟାଇଥିବା ଜଣାପଡ଼ିଛି।

ଓରାଘାଟ ଗ୍ରାମର ପର୍ଶୁ ମୁଣ୍ଡାଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ଘଟିବା ପରେ ଜେମା ମୁଣ୍ଡା (୩୫)ଙ୍କୁ ଦ୍ବିତୀୟ ପତ୍ନୀ ଭାବେ ଘରେ ରଖିଥିଲେ। ପ୍ରଥମ ପତ୍ନୀଙ୍କର ୩ଟି ସନ୍ତାନ ଥିବା ବେଳେ ଜେମାଙ୍କର ମଧ୍ୟ ଆଉ ୩ଟି ସନ୍ତାନ ହୋଇଥିଲେ। ପର୍ଶୁଙ୍କ ମୃତ୍ୟୁ ପରେ ଜେମାଙ୍କ ଉପରେ ଘର ଦାୟିତ୍ବ ଥିଲା। ସେ ହାଣ୍ଡିଆ ବିକ୍ରି କରି ୬ ସନ୍ତାନକୁ ଆହାର ଯୋଗାଉଥିଲା। ଗତକାଲି ରାତିରେ ଘରୋଇ ସମସ୍ୟାକୁ ନେଇ ଜେମା ଓ ତାଙ୍କର ସାବତ ପୁଅ (୧୫)ଙ୍କ ମଧ୍ୟରେ ପାଟୁତୁଣ୍ଡ ହୋଇଥିଲା। ଜେମା ଘରେ ଶୋଇଯିବା ପରେ ବିଳମ୍ବିତ ରାତିରେ ପୁଅ ଘରୁ ଟାଙ୍ଗିଆ ବାହାର କରି ସାବତ ମା’ ଜେମାଙ୍କୁ ଚୋଟ ପରେ ଚୋଟ ପକାଇଥିଲା। ଶୋଇଥିବାରୁ ସେ ଏହାର ପ୍ରତିରୋଧ କରି ପାରି ନ ଥି‌େଲ। ଜେମାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିିଥିଲା। ଜେମାଙ୍କ ମୃତ୍ୟୁ ପରେ ତାଙ୍କର ୩ ଶିଶୁ ସନ୍ତାନ ସହ ୨ ସାବତ ପୁଅଙ୍କ ଭବିଷ୍ୟତ ଅନ୍ଧକାର ହୋଇଯାଇଛି। ଜେମାଙ୍କ ମୃତ୍ୟୁ ପରେ ୩ ଶିଶୁଙ୍କୁ ଲାଳନ ପାଳନ କରିବାକୁ ଘରେ କେହି ନାହିଁ। ଏହି ଶିଶୁମାନେ ଏବେ କେଉଁଠି ରହିବେ ତାହା ପ୍ରଶାସନ ପାଇଁ ଚିନ୍ତାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର