ସୋନାଙ୍କ ସୋସିଆଲ ମିଡ଼ିଆ କଳି ଥମୁନି : ବିବାଦ ବନ୍ଦ କର, ନହେଲେ ପ୍ରକୃତ ଚଣ୍ଡୀ ରୂପ ଦେଖେଇବି

ଭୁବନେଶ୍ୱର : କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କୁ ନେଇ ସୋସିଆଲ୍‌ ମିଡ଼ିଆ ଯୁଦ୍ଧ ଥମିବାର ନାଁ ଧରୁନି। ବର୍ଷକ ତଳେ ମୁମ୍ବାଇର ସଂଗୀତ ସମ୍ମେଳନରେ ‘ଆହେ ନୀଳ ଶଇଳ… ଗାଇ ଯେତିକି ତାଳି ସାଉଁଟିଥିଲେ ଏବେ ଏଇ ୩ ଦିନ ହେବ ତାଠୁ ବେଶି ଅପମାନିତ ହେବାକୁ ପଡ଼ିଛି। ସାଲବେଗଙ୍କ ଜଣାଣରେ ଥିବା ବିଭିନ୍ନ ଶବ୍ଦକୁ ଭୁଲ ଉଚ୍ଚାରଣ କରିବା ପରେ ପ୍ରଥମେ ସୋସିଆଲ୍‌ ମିଡ଼ିଆରୁ ଆରମ୍ଭ ହୋଇଥିବା କଳି ବିଭିନ୍ନ ଗଣମାଧ୍ୟମକୁ ବ୍ୟାପିଛି। ତେବେ କିଛି ବ୍ୟକ୍ତିବିଶେଷ ଟ୍ଵିଟରରେ ଖୋଲାଖୋଲି ଭାବେ ସୋନାଙ୍କୁ ଅପମାନିତ କରିବା ତାଙ୍କ ଦେହରେ ଯାଇନି। ନିନ୍ଦୁକ, ବିନା ପରାମର୍ଶରେ ତାଙ୍କର ଉପଦେଷ୍ଟା ସାଜିଥିବା ବ୍ୟକ୍ତିବିଶେଷ ଓ ଗଣମାଧ୍ୟମ କେହି ବି ସୋନାଙ୍କ ରାଗରୁ ବାଦ୍‌ ଯାଇନାହାନ୍ତି।

ଟ୍ଵିଟରରେ ବିଭୁପ୍ରସାଦ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ସୋନାଙ୍କୁ ଲାଲପରୀ ବୋଲି ସମ୍ବୋଧନ କରି କହିଥିଲେ, ଏହା ଆଧୁନିକ ଗୀତ ନୁହେଁ ବରଂ ଭଜନ। ଏହି ଗୀତରେ ଆମ ସଂସ୍କୃତିର ପ୍ରତିଫଳନ ହୋଇଥିବାବେଳେ ଏହାକୁ କଦର୍ଥ କରିବାକୁ ତୁମକୁ କିଏ ଅଧିକାର ଦେଲା। ଏଥିସହିତ ସୋନାଙ୍କ ପରିଧାନକୁ ନେଇ ପ୍ରଶ୍ନ ଉଠାଇବା ସହ ଓଡ଼ିଆ ଜାତି ପାଇଁ ତୁମେ କଳଙ୍କ ବୋଲି ଟ୍ଵିଟ୍‌ କରିଥିଲେ। ଏହା ଦେଖିବା ପରେ ସୋନା ତାଙ୍କୁ ରି-ଟ୍ଵିଟ୍‌ କରି ମୂର୍ଖ ବୋଲି କହିବା ସହ କହିଲେ, ଯଦି ତମେ ଏଭଳି କହିବା ବନ୍ଦ ନକରିବ ମୁଁ ଆହୁରି ଉଚ୍ଚ ହିଲ୍‌ ପିନ୍ଧି ପୂର୍ଣ୍ଣ ନଗ୍ନ ହୋଇ ଯିବି ଏବଂ ପ୍ରକୃତ ଚଣ୍ଡୀ ରୂପ ଦେଖାଇବି।

ଏଥିସହ ସେ ଏକଥା ବି ଟ୍ଵିଟ୍‌ କରିଛନ୍ତି ଯେ, ଯେଉଁମାନେ ‘ଆହେ ନୀଳ ଶଇଳ…ଭଜନ ଗାଇବା ବେଳେ ମୋ’ର କିଛି ଶବ୍ଦର ଭୁଲ ଓ ବିଦେଶୀ ଉଚ୍ଚାରଣ ଯୋଗୁଁ ଜଳୁଛନ୍ତି ସେଇ ଓଡ଼ିଆମାନେ ଇଂରାଜୀ ଓ ହିନ୍ଦୀ ଉଚ୍ଚାରଣ ବେଳେ ନିଜର ଉଚ୍ଚାରଣ ଓ ବ୍ୟାକରଣ ଦକ୍ଷତାକୁ ଟିକେ ନଜର କରନ୍ତୁ ବୋଲି ଟ୍ଵିଟ୍‌ କରିଛନ୍ତି।

ସମ୍ବନ୍ଧିତ ଖବର