ଆହେ ନୀଳ ଶଇଳ.. ବିବାଦ ଥମୁନି, ଭୁଲ୍‌ କରି ମୁହଁ ଫୁଟାଣି

ଭୁବନେଶ୍ୱର: ‘ଆହେ ନୀଳ ଶଇଳ…କୁ କଦର୍ଥ କରି ଗାଇଲେ। ମାତ୍ର ପ୍ରତିବାଦ କରିବାରୁ ମୁହଁ ଫୁଟାଣି ମାରୁଛନ୍ତି କଣ୍ଠଶିଳ୍ପୀ ସୋନା ମହାପାତ୍ର। କହିଛନ୍ତି ମୁଁ ଏଥିପାଇଁ ଆଦୌ ଅନୁତପ୍ତ ନୁହେଁ। ମୁଁ ଏମିତି ଗାଇ ଚାଲିଥିବି। କ୍ଷମା ମାଗିବା ପରିବର୍ତେ ନିଜ ପରିଧାନ ଓ ବେଶଭୂଷାରେ ସେ କିଭଳି ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦିଅନ୍ତି ସେନେଇ ଟ୍ଵିଟ୍‌ କରିଛନ୍ତି। ଗତବର୍ଷ ସୋନା ମୁମ୍ବାଇରେ ପରିବେଷଣ କରିଥିବା ଜଣାଣକୁ ସୋମବାର ୟୁ-ଟ୍ୟୁବ୍‌ରେ ଛାଡ଼ିବା ପରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ଧରୁନି। ସୋନା ଗାଇଥିବା ୪ମିନିଟ୍‌ ୨୦ ସେକେଣ୍ଡ୍‌ର ଏହି ଭିଡିଓକୁ ୟୁ-ଟ୍ୟୁବ୍‌ରେ ଛାଡ଼ିଥିବା ବେଳେ ଏଥିରୁ ୩ଟି ପଙ୍କ୍ତି ବିଲ୍କୁଲ ଗାଇ ନାହାନ୍ତି। ଯେଉଁ ୪ଟି ପଙ୍କ୍ତି ଗାଇଛନ୍ତି ସେଥିରେ ୧୧ଟି ଶବ୍ଦକୁ ଭୁଲ ଉଚ୍ଚାରଣ କରିଛନ୍ତି। ସପ୍ତଦଶ ଶତାବ୍ଦୀରେ ସାଲବେଗଙ୍କ ରଚିତ ଏହି ଜଣାଣ ପ୍ରତିଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ। ମାତ୍ର ଏହାକୁ ସମ୍ମାନ ଦେବା ପରିବର୍ତେ ଗୀତକୁ ବିକୃତ କରି ଜଗନ୍ନାଥ, ଓଡ଼ିଶା ଓ ଓଡ଼ିଆଙ୍କୁ ବାହାରେ ଅପମାନ କରିବାର କୌଣସି ଅଧିକାର ନାହିଁ ବୋଲି ବୁଦ୍ଧିଜୀବୀ ଓ ଜଗନ୍ନାଥ ପ୍ରେମୀ କହିଛନ୍ତି। ଏନେଇ ପୁରୀ ସିଂହଦ୍ୱାର ଥାନାରେ ସଚେତନ ନାଗରିକ ମଂଚ ପକ୍ଷରୁ ଏତଲା ବି ଦିଆଯାଇଛି। ସାମ୍ନାସାମ୍ନି ନହେଲେ ବି ଟ୍ଵିଟରରେ ଏନେଇ ଅନେକ ସୋନାଙ୍କୁ ନିନ୍ଦା କରିଥିଲେ। ଅକ୍ଷୟ ପରିଜା, ପିଙ୍କି ପ୍ରଧାନଙ୍କ ସମେତ ଅନେକ ଜଣାଶୁଣା ବ୍ୟକ୍ତିବିଶେଷ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ତେବେ ସୋନା ନିଜର ଭୁଲ୍‌କୁ ସ୍ୱୀକାର କରିବା ପରିବର୍ତେ ଓଡ଼ିଶାବାସୀଙ୍କୁ ଦୟା କରିବା ଭଳି ସେ କିଭଳି ଶରୀର ଓ ପରିଧାନରେ ଓଡ଼ିଆ ସଂସ୍କୃତିକୁ ସମ୍ମାନ ଦିଅନ୍ତି ସେନେଇ ଦୃଢ଼ୋକ୍ତି ରଖିଛନ୍ତି। ବହୁ ଓଡ଼ିଆ ପରମ୍ପରା ଓ ସଂସ୍କୃତିଗତ କଳା ଓ କାର୍ଯ୍ୟକୁ ଭୁଲି ଯାଉଥିବା ବେଳେ ସେ କିଭଳି ନିଜଠାରେ ଏହାର ପ୍ରତିଫଳନ କରୁଛନ୍ତି ତାହା ଦର୍ଶାଇଛନ୍ତି।

ଏନେଇ ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ଛୋଟରାୟ କହିଛନ୍ତି, ଜଣାଣରେ ଶବ୍ଦ ଅପଭ୍ରଂଶ କରିବା ଅର୍ଥ ଏହା ଜଗନ୍ନାଥଙ୍କୁ ନିନ୍ଦା। ପ୍ରଭୁଙ୍କୁ ନିନ୍ଦା କରିବାର ଅର୍ଥ ଓଡ଼ିଆମାନଙ୍କୁ ନିନ୍ଦା। କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତ୍‌ ମଧ୍ୟ ଆହେ ନୀଳ ଶଇଳ..ଗାଇବା ବେଳେ ଓଡ଼ିଆ ଶବ୍ଦକୁ ଠିକ୍‌ ଭାବେ ଉଚ୍ଚାରଣ କରିବା ଉଚିତ୍‌ ବୋଲି କହିଛନ୍ତି।

ସୋନାଙ୍କ ଟ୍ଵିଟ୍‌
ପ୍ରିୟ ଓଡ଼ିଆ, ଓଡ଼ିଶା ଓ ଗଣମାଧ୍ୟମଙ୍କୁ ସମ୍ବୋଧନ କରି ସେ ଉଲ୍ଲେଖ କରିଛନ୍ତି ଯେ, ମୁଁ ଯେତେବେଳେ ମଞ୍ଚରେ ‘ଆହେ ନୀଳ ଶଇଳ.. ପରିବେଷଣ କରୁଛି ସେତେବେଳେ ହାତରେ ଓ ଅଣ୍ଟାରେ ପାରମ୍ପରିକ ତାରକସି ହସ୍ତକଳା ସାମଗ୍ରୀ ପରିଧାନ କରିଛି। ମାତ୍ର ଅଧିକାଂଶ ଓଡ଼ିଆ ଓଡ଼ିଶାର ଏହି ପାରିମ୍ପରିକ ହସ୍ତକଳାକୁ ପରିଧାନ କରୁନାହାନ୍ତି। ମୁଣ୍ଡରେ ଧଳା ଚନ୍ଦନ ଟିପା ଲଗାଇଛି। କୋଟପାଡ୍‌ ଶାଢ଼ି ପିନ୍ଧିଛି। ତାହା ମୋର ଓଡ଼ିଶା ପ୍ରତି ସମ୍ମାନକୁ ସୂଚାଉଛି। ମାତ୍ର ଅଧିକାଂଶ ଓଡ଼ିଆ ଏବେ ବି ଆଧୁନିକ ଶାଢ଼ି ପିନ୍ଧୁଛନ୍ତି। ଏହା କ’ଣ ଆପଣଙ୍କ ପାଇଁ କୌଣସି ମୂଲ୍ୟ ରଖୁନି ?

ସାଲବେଗଙ୍କ ରଚନା
ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ
ମୋ ଆରତ ନଳିନୀ ବନକୁ କର ଦଳନ।
ଗଜରାଜ ଚିନ୍ତାକଲା ଥାଇ ଘୋର ଜଳେଣ
ଚକ୍ରପେଶି ନକ୍ର ନାଶି ଉଦ୍ଧରିଲ ଆପଣ।
ଘୋରବନେ ମୃଗୁଣୀକୁ ପଡ଼ିଥିଲା କଷଣ
କେଡ଼େବଡ଼ ବିପତ୍ତିରୁ କରିଅଛ ତାରଣ।
କୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ।
କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ।
ରାବଣର ଭାଇ ବିଭୀଷଣ ଗଲା ଶରଣ
ଶରଣ ସମ୍ଭାଳି ତାଙ୍କୁ ଲଙ୍କେ କଲ ରାଜନ।
ପ୍ରହଲ୍ଲାଦ ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ
ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ।
କହେ ସାଲବେଗ ହୀନ ଜାତିରେ ମୁଁ ଯବନ
ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ।

ସୋନା ଗାଇଲେ…

ଆହେ ନୀଳ ଶଇଳ ପ୍ରବଳ ମାତ୍ତ ବାରଣ
ମୋ ଆରତ ନଳିନୀ ବନକୁ କଳ ଦଳନ।
ଗଜରାଜ ଚିନ୍ତାକଲା ଥାଇ ଗର ଜଳେଣ
ଚକ୍ରପେଶି ନକ୍ର ନାଶି ଉଦ୍ଧାରିଲା ଆପଣ।
କୁରୁସଭା ତଳେ ଶୁଣି ଦ୍ରୌପଦୀର ଜନାନ।
କୋଟି ବସ୍ତ୍ର ଦେଇ ହେଲେ ଲଜ୍ଜା କଳ ବାରଣ।
କହେ ସାଲେବେଗ ହୀନ ଜାତିରେ ମୁଁ ଯବନ
ଚ୍ଛିରଙ୍ଗା ଚରଣେ ତଳେ କରୁଅଛି ଜନନ।

ସମ୍ବନ୍ଧିତ ଖବର