ସୋନପୁର: ଶିଆଲଜୁରି ନିକଟରେ କାର୍‌-ଡମ୍ପର୍‌ ଟ୍ରକ୍‌ ଧକ୍କା; ଦୁଇ ମୃତ

ସୋନପୁର: ଗୁରୁବାର-ଶୁକ୍ରବାର ରାତିରେ ସୋନପୁର-ବଲାଙ୍ଗୀରକୁ ସଂଯୋଗ କରୁଥିବା ୫୭ ନମ୍ବର ଜାତୀୟ ରାଜପଥର ଶିଆଲଜୁରି ନିକଟସ୍ଥ ରାଜୁ ଢାବା ସମ୍ମୁଖରେ ଗୋଟାଏ କାର୍‌ ଓ ଡମ୍ପର୍‌ ଟ୍ରକ୍‌ ସମ୍ନାସାମ୍ନି ଧକ୍କା ଖାଇବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି।

ମୃତ ବ୍ୟକ୍ତି ହେଉଛନ୍ତି ବଙ୍ଗମୁଣ୍ଡାର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ରାଷ୍ଟ୍ରପତି ବେହେରା ଓ ଏ ପର୍ଯ୍ୟନ୍ତ ପରିଚୟ ମିଳି ନ ଥିବା ତାଙ୍କର କେହି ଜଣେ ସହଯୋଗୀ।

ରାତି ପ୍ରାୟ ୧ଟା ବେଳେ ରାଷ୍ଟ୍ରପତି ନିଜେ କାର୍‌ ଚଳାଇ ଯାଉଥିବା ବେଳେ ରାସ୍ତାର ବିପରୀତ ପଟରୁ ଆସୁଥିବା ଗୋଟାଏ ଡମ୍ପ୍‌ର୍‌ ଟ୍ରକ୍‌ ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ରାଷ୍ଟ୍ରପତି ଓ ତାଙ୍କର ସହଯୋଗୀଙ୍କର ମୃତ୍ୟୁ ହୋଇ ଯାଇଥିଲା।

ସୋନପୁର ଥାନା ଅଧୀନ ହରଡ଼ପାଲି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
ଦୁର୍ଘଟଣାରେ ସମ୍ପୃକ୍ତ ଡମ୍ପର୍‌ ଟ୍ରକ୍‌ଟିକୁ ମଧ୍ୟ ପୁଲିସ ଜବତ କରିଛି।

ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର