ଅପରାଧ ଓ ଆଇନଶୃଙ୍ଖଳା ସମ୍ଭାଳି ହେଉନି, ଭୁବନେଶ୍ୱରରେ ରହିବେ ଦୁଇଜଣ ଡିସିପି

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ଅପରାଧ ବଢ଼ିବାରେ ଲାଗିଛି। ସହରର ଲୋକ ସଂଖ୍ୟା ବୃଦ୍ଧି ସାଙ୍ଗକୁ ତାଳ ଦେଇ ବୃଦ୍ଧିି ପାଉଛି ଏହାର କଳେବର। ଗୋଟିଏ ପଟେ କମିସନରେଟ୍‌ ପୁଲିସର ପରିସୀମା ଜଟଣୀ ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ଭୁବନେଶ୍ୱରରେ ପ୍ରତିଦିନ ନୂଆ ନଗର, ଜନବସତି ଗଢ଼ି ଉଠୁଛି। କେବଳ ସେତିକି ନୁହେଁ, ପ୍ରତ୍ୟହ ରାଜଧାନୀକୁ ପ୍ରାୟ ୩ରୁ ୪ ଲକ୍ଷ ଲୋକ ବିଭାନ୍ନ କାର୍ଯ୍ୟ ନେଇ ରାଜଧାନୀ ବାହାରୁ ଭୁବନେଶ୍ୱରକୁ ଆସିଥାନ୍ତି। ଲୋକ ସଂଖା ବୃଦ୍ଧି ସହିତ ଅପରାଧ ଓ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ତାଳ ଦେଇ ବୃଦ୍ଧି ପାଇବାରେ ଲାଗିଛି। କୌଣସି ଏକ ବିଶେଷ ପରିସ୍ଥିତି ସୃଷ୍ଟି ହେଲେ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ୁଛି। ତେଣୁ ଏ ସମସ୍ୟାର ସମାଧାନ ପାଇଁ ରାଜଧାନୀ ଭୁବନେଶ୍ୱରରେ ଦ୍ୱିତୀୟ ଡିସିପିଙ୍କୁ ନିଯୁକ୍ତି ଦିଆଯିବା ପାଇଁ ବ୍ୟବସ୍ଥା କରାଯାଉଛି। ଆସନ୍ତା ୧୫ ଦିନ ଭିତରେ ଆଉ ଜଣେ ଆଇପିଏସ ଅଫିସରଙ୍କୁ ଭୁବନେଶ୍ୱରର ଦ୍ୱିତୀୟ ଡିସିପି ଭାବେ ନିଯୁକ୍ତି ଦେବା ପାଇଁ ଯୋଜନା କରାଯାଉଥିବା କଟକ-ଭୁବନେଶ୍ୱର ପୁଲିସ କମିସନର ଯୋଗେଶ ବାହଦୂର ଖୁରାନିଆ କହିଛନ୍ତି।

ଭୁବନେଶ୍ୱରରେ ନିଯୁକ୍ତି ପାଇବେ ଆଉ ଜଣେ ଡେପୁଟି କମିସନର ଅଫ ପୁଲିସ (ଡିସିପି)। ଦୁଇଜଣ ଡିସିପି ସମ୍ଭାଳିବେ ରାଜଧାନୀର ଆଇନଶୃଙ୍ଖଳା ବ୍ୟବସ୍ଥା। ଦୁଇ ଡିସିପି ମିଶି କରିବେ ଅପରାଧ ନିୟନ୍ତ୍ରଣ। ଏ ନେଇ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବ ଗୃହୀତ ହେଲେ, ଆଗାମୀ ୧୫ ଦିନ ମଧ୍ୟରେ ରାଜଧାନୀବାସୀ ଆଉ ଜଣେ ଡିସିପିଙ୍କ ସେବା ପାଇବେ।

ପୁଲିସ କମିସନର ଶ୍ରୀ ଖୁରାନିଆଙ୍କ ଠାରୁ ପ୍ରକାଶ ଯେ, ରାଜଧାନୀରେ ଦ୍ୱିତୀୟ ଡିସିପି ନିଯୁକ୍ତି ପାଇଁ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପ୍ରାୟ ୧୫ ଦିନ ତଳେ  ଦିଆଯାଇଛି। ଏହି ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିବା ପରେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ବ୍ୟବସ୍ଥାର କରାଯିବ ବୋଲି ଶ୍ରୀ ଖୁରାନିଆ କହିଛନ୍ତି।

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଭୁବନେଶ୍ୱର ଡିସିପିଙ୍କ ଅଧୀନରେ ୧୯ଟି ଥାନା ରହିଛି। ରାଜଧାନୀର ପ୍ରତ୍ୟେକ ଥାନାର ଯଥେଷ୍ଟ ଗୁରୁତ୍ୱ ରହିଛି। ତେବେ ବିଧାନସଭା ଅଧିବେଶନ ସମୟରେ ଲୋୟର ପିଏମ୍‌ଜିରେ ପ୍ରତ୍ୟେହ କେବଳ ୨୦ରୁ ୩୦ ହଜାର ପର୍ଯ୍ୟନ୍ତ ଆନ୍ଦୋଳନାକାରୀ ଏକାଠି ହେଉଛନ୍ତି। ସେହିପରି ରାଜଧାନରେ ବିଭିନ୍ନ ରାଜନୈତିକ ଦଳର ସମାବେଶ ପ୍ରାୟତଃ ଅନୁଷ୍ଠିତ ହେଉଥିବା ବେଳେ ଅଧିକାଂଶ ସମୟରେ କେନ୍ଦ୍ରୀୟ ନେତାମାନେ ଭୁବନେଶ୍ୱର ଆସୁଛନ୍ତି। ତେଣୁ ସମାବେଶ, ଆନ୍ଦୋଳନ ସମୟରେ ଆଇନ ଶୃଙ୍ଖଳା ରକ୍ଷା ସହିତ ଅପରାଧ ନିୟନ୍ତ୍ରଣ ଏକ ସମସ୍ୟା ସୃଷ୍ଟି ହେଉଛି। ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ପ୍ରତ୍ୟେହ ନୂଆ ନୂଆ ଅଞ୍ଚଳରେ ଜନବସତି ଗଢ଼ି ଉଠୁଥିବାରୁ ଥାନାଗୁଡ଼ିକର କାର୍ଯ୍ୟଭାର ବଢ଼ିବଢ଼ି ଚାଲିଛି। ତେଣୁ ଥାନାଗୁଡ଼ିକୁ ଠିକ୍‌ ମାର୍ଗଦର୍ଶନ ସହିତ ଆଇନ କାନୁନ୍‌ ବ୍ୟବସ୍ଥା ବଜାୟ ରଖିବା ପାଇଁ ଆଉ ଜଣେ ଡିସିପିଙ୍କୁ ଭୁବନେଶ୍ୱରରେ ନିଯୁକ୍ତି ଦେବା ପାଇଁ ଏକ ପ୍ରସ୍ତାବ କମିସନରେଟ୍‌ ପୁଲିସ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିଲା। ଏହି ପ୍ରସ୍ତାବକୁ ରାଜ୍ୟ ସରକାର ସମ୍ମତି ଦେଇଥିବା ଜଣାପଡ଼ିଛି।


ମିଳିଥିବା ସୂଚନା ଅନୁଯାୟୀ, ରାଜଧାନରେ ଯେଉଁ ଦୁଇଜଣ ଡିସିପି ରହିବେ ସେମାନଙ୍କ ମଧ୍ୟରେ ଏହି ୧୯ଟି ଥାନାକୁ ବଣ୍ଟାଯିବ। ଜଣେ ଡିସିପିଙ୍କ ଅଧୀନରେ ଖାରବେଳନଗର ଥାନା, ମହିଳା ଥାନା, କ୍ୟାପିଟାଲ ଥାନା, ଏୟାରଫିଲ୍ଡ ଥାନା, ମଞ୍ଚେଶ୍ୱର ଥାନା, ଶ୍ରୀଲିଙ୍ଗରାଜ ଥାନା, ସହିଦନଗର ଥାନା, ଲକ୍ଷ୍ମ୍ମୀସାଗର ଥାନା,ବାଲିଅନ୍ତା ପ୍ରଭୃତି ଥାନା ରହିବ ଓ ଅନ୍ୟ ଜଣେ ଡିସିପିଙ୍କ ଅଧୀନରେ ଜଟଣୀ ଥାନା, ଖଣ୍ଡଗିରି ଥାନା, ତମାଣ୍ଡୋ ଥାନା,ଇନ୍‌ଫୋସିସ୍‌ ଥାନା, ଚନ୍ଦ୍ରଶେଖରପୁର ଥାନା,ନୂଆପଲ୍ଲୀ ପ୍ରଭୃତି ଥାନା ରହିବ। ଏହାଦ୍ୱାରା ଅପରାଧ ଓ ଅପରାଧୀଙ୍କୁ ଟ୍ରାକିଂ କରିବା ସହିତ ଆଇନଶୃଙ୍ଖଳା ରକ୍ଷା କରିବା କ୍ଷେତ୍ରରେ ବିଶେଷ ସହାୟତା ମିଳିବ ବୋଲିି କୁହାଯାଉଛି।

ସମ୍ବନ୍ଧିତ ଖବର