ବାତ୍ୟା ଭଳି ବିପର୍ଯ୍ୟୟର ମୁକାବିଲା : ଶ୍ରୀମନ୍ଦିର ପାଇଁ ଏସ୍‌ଓପି, ସୁପ୍ରିମକୋର୍ଟ ସତ୍ୟପାଠ ପାଇଁ ଅଫିସରଙ୍କୁ ତାଗିଦ୍‌

ପୁରୀ : ବାତ୍ୟା ବା ଝଡ଼ବତାସ ଭଳି ବିପର୍ଯ୍ୟୟ ସମୟରେ ଶ୍ରୀମନ୍ଦିରରେ କି କି କାର୍ଯ୍ୟ ନିଶ୍ଚିତ କରାଯିବ ଓ କି ପ୍ରକାର ପ୍ରତିକାର ବ୍ୟବସ୍ଥା ରହିବ ସେ ନେଇ ଏକ ଏସ୍‌ଓପି ପ୍ରସ୍ତୁତ ହେବ। ‘ଫନି’ ଦିନ ପ୍ରଶାସକମାନେ ମହାପ୍ରଭୁଙ୍କୁ ସେବାୟତଙ୍କ ଦାୟିତ୍ବରେ ଛାଡ଼ି ଦେଇ ନିଜ ନିଜ ଘରକୁ ପଳାଇଯିବା ଘଟଣାରେ ଆଜି ପରିଚାଳନା କମିଟି ବୈଠକରେ ତମ୍ବିତୋଫାନ ହୋଇଥିଲା। ସମସ୍ତେ ପ୍ରଶାସକଙ୍କୁ ଘେରିଥିଲେ। ଏହା ପରେ ଏକ ଏସ୍‌ଓପି ପ୍ରସ୍ତୁତ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏସଓପି ମୁତାବକ ନୀଳଚକ୍ରରେ ଛୋଟ ବାନା ଲଗାଯିବ, ଶ୍ରୀମନ୍ଦିରରେ କୌଣସି ଅସ୍ଥାୟୀ ଢ଼ାଞ୍ଚା ବା ସିଡ଼ି ରଖାନଯିବା, ଅନ୍ୟୂନ ୭ ଦିନ ପାଇଁ ଡିଜେଲ୍‌ ମହଜୁଦ୍‌ ରଖାଯିବା, ସମସ୍ତ ବୈଦ୍ୟୁତିକ ଉପକରଣକୁ ତଦାରଖ କରାଯିବା, ଦାୟିତ୍ବରେ ଥିବା ସମସ୍ତ ପ୍ରଶାସକ ମୁଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହିବା, ବିପର୍ଯ୍ୟୟ ପୂର୍ବରୁ ପ୍ରାକ୍‌ ପ୍ରସ୍ତୁତି, ସେବାୟତମାନଙ୍କ ସହ ସମନ୍ବୟ ରଖି କାର୍ଯ୍ୟ କରାଯିବା ଭଳି ପ୍ରସ୍ତାବ ରହିବ ବୋଲି ପ୍ରାଥମିକ ଭାବେ ନିଷ୍ପତ୍ତି ହୋଇଛି। ଆଜି ପରିଚାଳନା କମିଟି ବୈଠକରେ ସୁପ୍ରିମକୋର୍ଟ ସତ୍ୟପାଠକୁ‌ ନେଇ ମଧ୍ୟ ହୋହଲ୍ଲା ହୋଇଥିଲା। ସେବକ ପ୍ରତିନିଧିମାନେ ସେମାନଙ୍କ ଅଗୋଚରରେ କିପରି ସେବାୟତଙ୍କ ସଂଖ୍ୟା ଧାର୍ଯ୍ୟ ଥିବା ରିପୋର୍ଟକୁ ଆନେକ୍ସଚର କରାଗଲା ବୋଲି ପ୍ରଶ୍ନ କରିଥିଲେ। ଏହାକୁ ନେଇ ଗଜପତି ମଧ୍ୟ ଅସନ୍ତୋଷ ପ୍ରକଟ କରିଥିଲେ। ଆଗକୁ କୌଣସି ସତ୍ୟପାଠ ଦାଖଲ ପୂର୍ବରୁ ପରିଚାଳନା କମିଟିର ଅନୁମୋଦନ ନେବା ଜରୁରି ବୋଲି ବୈଠକରେ ସ୍ପଷ୍ଟ କରାଯାଇଥିଲା।

ସମ୍ବନ୍ଧିତ ଖବର