‘ସୌଭାଗ୍ୟ’ ଦୁର୍ନୀତି‌ : ନିଲମ୍ବିତ କର୍ମଚାରୀ ଫେରାଇଲେ ଲାଞ୍ଚ ଟଙ୍କା

ରାଜନଗର : ରାଜନଗରରେ ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ହୋଇଥିବା ଦୁର୍ନୀତି ନୂଆ ମୋଡ଼ ନେଇଛି। ‘ସମ୍ବାଦ’ରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ସେସୁ ଲାଇନ୍‌ମ୍ୟାନ୍‌ଙ୍କୁ ନିଲମ୍ବିତ କରାଯିବା ସହ ଆଜିଠାରୁ ତଦନ୍ତ ଆରମ୍ଭ ହୋଇଛି। ଏହି ୪ ଜଣିଆ ଟିମ୍‌ର ତଦନ୍ତ ବେଳେ ନିମ୍ନମାନର ବିଦ୍ୟୁତ୍ ସାମଗ୍ରୀ ପ୍ରଦାନ, ସୌଭାଗ୍ୟ କିଟ୍‌ରୁ ବଲ୍‌ବ ଉଭାନ୍‌ ଆଦି ଅନିୟମିତତା ଧରାପଡ଼ିଛି। କିନ୍ତୁ ନିଲମ୍ବିତ ଲାଇନ୍‌ମ୍ୟାନ୍‌ ତଦନ୍ତକାରୀ ଟିମ୍‌ ଆସିବା ପୂର୍ବରୁ ଗୋଟିଏ ଗାଁର ହିତାଧିକାରୀଙ୍କୁ ଲାଞ୍ଚ ଟଙ୍କା ଫେରାଇ କ୍ଷମା ପ୍ରାର୍ଥନା କରିଥିବା ଜଣାପଡ଼ିଛି।

ସେସୁ କେନ୍ଦ୍ରାପଡ଼ା ଡିଭିଜନ୍‌ର ସହକାରୀ ଭିଜିଲାନ୍ସ୍‌ ଅଫିସର୍ କିଶୋର ଚନ୍ଦ୍ର ମହାନ୍ତି, ସହକାରୀ ଫାଇନାନ୍ସ୍‌ ଅଫିିସର୍‌ ଭରତ ଚନ୍ଦ୍ର ଦାସ, ସହକାରୀ ମ୍ୟାନେଜର୍‌(ଟେକ୍‌ନିକାଲ୍‌)ମାନସ ରଂଜନ ଗୁରୁ, କେନ୍ଦ୍ରାପଡ଼ା ସବ୍‌ଡିଭିଜନ୍‌ ସହକାରୀ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ ଆଜି ପରିପଙ୍ଗରା ଓ ଶିରିଗଡ଼ ଗାଁରେ ପହଞ୍ଚି ତଦନ୍ତ କରିଛନ୍ତି। ଶିରିଗଡ଼ ଗାଁରେ ସୌଭାଗ୍ୟ ଯୋଜନାରେ ଉପଭୋକ୍ତାଙ୍କ ଘରକୁ ଯାଇ ବସିଥିବା ବୋର୍ଡ, ଅନ୍ୟାନ୍ୟ ସାମଗ୍ରୀ ଦେଖିଥିଲେ। ୩ ମାସ ତଳୁ ବୋର୍ଡ ବସାଯାଇଥିବା ବେଳେ ବିଦ୍ୟୁତ୍‌ ସଂଯୋଗ ଦିଆ ଯାଇନାହିିଁ। ନିିମ୍ନମାନର ସରଞ୍ଜାମ ଲଗାଯାଇଥିବା ଓ ସଂଯୋଗ ପାଇଁ ଟଙ୍କା ନିଆଯାଇଥିବା ହିତାଧିକାରୀ ଅଭିଯୋଗ କରିଥିଲେ। ଗାଁର ପଦ୍ମାବତୀ ପ୍ରଧାନ ଓ ପ୍ରଭାଲତା ପ୍ରଧାନ ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ ପାଇଁ ଲାଇନ୍‌ମ୍ୟାନ୍‌ ଓ ଠିକାଦାର୍‌ଙ୍କ ଲେ‌ାକେ ୧୫ଶହ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ କରିଥିଲେ। ମମତା ପ୍ରଧାନ, ଇନ୍ଦୁମତି ପ୍ରଧାନ, ରଂଗବତୀ ପ୍ରଧାନ ପ୍ରମୁଖ ହଜାର ଟଙ୍କା ଲେଖାଏଁ ଲାଞ୍ଚ ଦେଇଥିବା ତଦନ୍ତକାରୀ ଟିମ୍‌ ଆଗରେ କହିଥିଲେ। ପାଞ୍ଚାଳି ପ୍ରଧାନ, ବାସନ୍ତୀ ପ୍ରଧାନ, ମଂଜୁଲତା ଦାସ, ସସ୍ମିତା ପ୍ରଧାନ ପ୍ରମୁଖ ୫ଶହ ଟଙ୍କା ଲେଖାଏଁ ଲାଞ୍ଚ ଦେଇଥିବା ତଦନ୍ତକାରୀ ଟିମ୍ ଆଗରେ ପ୍ରକାଶ କରିଥିଲେ। ସେହିପରି ସସ୍ମିତା ପ୍ରଧାନ ତାଙ୍କଠାରୁ ୭ଶହ ଟଙ୍କା ନିଆଯାଇଥିବା କହିଥିଲେ। କିନ୍ତୁ ତଦନ୍ତକାରୀ ଟିମ୍‌ ଗାଁର ଶେଷ ଯାଏଁ ନ ଯାଇ ଅଧାରୁ ଚାଲି ଆସିଥିଲେ ବୋଲି ହିତାଧିକାରୀମାନେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ତଦନ୍ତକାରୀ ଟିମ୍‌ ଆସିବା ପୂର୍ବରୁ ଗତକାଲି ରାତିରେ ନିଲମ୍ବିତ ସେସୁ ଲାଇନ୍‌ମ୍ୟାନ୍‌ ବିଭୁଦତ୍ତ ସାହୁ ପରିପଙ୍ଗରା ଗ୍ରାମର ୧୨ ଜଣ ହିତାଧିକାରୀଙ୍କଠାରୁ ଆଣିଥିବା ଲାଞ୍ଚ ବାବଦ ଟଙ୍କା ଫେରାଇଛନ୍ତି। ସେମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି। ଗାଁର ସଂଯୁକ୍ତା ପାଢ଼ୀ ଓ ଜାମିନୀକାନ୍ତ ସାହୁଙ୍କ କହିବା ଅନୁଯାୟୀ, ଗତକାଲି ରାତିରେ ଶ୍ରୀ ସାହୁ ଗାଁ‌େର ପହଞ୍ଚି ଲାଞ୍ଚ ନେଇଥିବା ୫ଶହ ଲେଖାଏଁ ଟଙ୍କା ଫେରାଇଥିଲେ। କିନ୍ତୁ କେବଳ ଲାଇନ ମ୍ୟାନଙ୍କୁ ବଳି ନପକାଇ ଏହି ଦୁର୍ନୀତିରେ ସଂପୃକ୍ତ ସମସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର